ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ ଗତ ୫୮ ଦିନ ଭିତରେ ସର୍ବନିମ୍ନ ସ୍ତରକୁ ଖସି ଆସି ୧.୨ ଲକ୍ଷରେ ପହଞ୍ଚିଥିବା ବେଳେ ପୂର୍ବଦିନ ଅପେକ୍ଷା ପାଖାପାଖି ୭୭୦ ଅଧିକ ମୃତ୍ୟୁ ଘଟି ଦୈନିକ ମୃତକଙ୍କ ସଂଖ୍ୟା ପୁଣି ତିନି ହଜାର ଟପିଯିବା ଚିନ୍ତାର କାରଣ ହୋଇଛି। ତେବେ ଗତ ତିନି ସପ୍ତାହରୁ ଅଧିକ ଦିନ ଧରି ନୂତନ ସଂକ୍ରମିତଙ୍କ ତୁଳନାରେ ଅଧିକ ଆରୋଗ୍ୟ ଲାଭ କରିବା ସହ ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ ଘଟିବା ପ୍ରକ୍ରିୟା ଜାରି ରହିଛି। ଆଜି ଦେଶରେ ପଜିଟିଭିଟି ହାର ୫.୭୮%କୁ ଖସି ଆସିବା ଆଶ୍ବସ୍ତିର କାରଣ ହୋଇଛି। ସେହିପରି ଆରୋଗ୍ୟ ହାର ମଧ୍ୟ ୯୩.୩୮ ପ୍ରତିଶତ ପରି ଉଚ୍ଚ ସ୍ତରରେ ପହଞ୍ଚିଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୧,୨୦,୫୨୯ ଜଣ ନୂତନ ସଂକ୍ରମିତଙ୍କୁ ଠାବ କରାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨,୮୬,୯୪,୮୭୯ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।

ଶନିବାର ଦିନକ ଭିତରେ ଦେଶରେ ୩,୩୮୦ ଜଣ କୋଭିଡ୍‌ ପୀଡ଼ିତ ଆଖି ବୁଜିଥିବା ଜଣାଯାଇଛି। ଏହାକୁ ମିଶାଇ ମୋଟ କୋଭିଡ୍‌ ମୃତକଙ୍କ ସଂଖ୍ୟା ୩,୪୪,୦୮୨ରେ ପହଞ୍ଚିଛି। ଶୁକ୍ରବାରର ଏହି ସଦ୍ୟ ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୧,୩୭୭ ଜଣ ଆଖି ବୁଜିଥିବା ବେଳେ ତାହା ପଛକୁ ତାମିଲନାଡୁରେ ୪୬୩ ଜଣ, କର୍ଣ୍ଣାଟକର ୩୬୪ ଜଣ, ଉତ୍ତରପ୍ରଦେଶରେ ୧୩୬ ଜଣ ଓ କେରଳର ୧୩୫ ଜଣଙ୍କର ମୃତ୍ୟୁ ଘଟିଛି।

ଅପରପକ୍ଷେ ଲଗାତାର ୨୩ ଦିନ ପାଇଁ ଶୁକ୍ରବାର ମଧ୍ୟ ନୂତନ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସଂଖ୍ୟକ କୋଭିଡ୍‌ ପୀଡ଼ିତ ଏହି ମହାମାରୀରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ୨୪ ଘଣ୍ଟା ଭିତରେ ଦେଶରେ ୧,୯୭,୮୯୪ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨,୬୭, ୯୫,୫୪୯ ଜଣ ସମ୍ପୂର୍ଣ୍ଣ ଆରୋଗ୍ୟଲାଭ କରିଛନ୍ତି। ଗତ ୨୪ ଘଣ୍ଟା ଭିତରେ ଦେଶରେ ସକ୍ରିୟ ମାମଲା ୮୦,୭୪୫ ଖସି ଆସି ୧୫,୫୫,୨୪୮ରେ ପହଞ୍ଚିଛି।

The post ଖସୁଛି ପଜିଟିଭ୍ ହାର: ଦେଶରେ ୫.୭୮%କୁ ଖସିଲା, ୫୮ ଦିନରେ ସର୍ବନିମ୍ନ ସଂକ୍ରମଣ first appeared on Sambad.

from କରୋନା | Sambad https://ift.tt/3vYptNY