ନୂଆଦିଲ୍ଲୀ: ଏପ୍ରିଲ୍‌ ୨୫ ରୁ ମେ ୧୦ ତାରିଖ ମଧ୍ୟରେ ହୋଇଥିବା ଦ୍ବିତୀୟ କୋଭିଡ୍‌-୧୯ ପ୍ରବାହ ସମୟରେ ଦିଲ୍ଲୀ ସରକାର ଆବଶ୍ୟକ ଠାରୁ ୪ଗୁଣ ଅଧିକ ଅକ୍ସିଜେନ୍ ଦାବି କରିଥିବା କଥା ସୁପ୍ରିମ୍‌ କୋର୍ଟଙ୍କଦ୍ବାରା ନିଯୁକ୍ତ ଅଡିଟ୍ ପାନେଲ୍‌ ଶୁକ୍ରବାର ଦିନ ପ୍ରକାଶିତ ତା’ର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟରେ ଉଲ୍ଲେଖ କରିଛି।

ଉକ୍ତ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟରେ ଉଲ୍ଲେଖ ଅଛି, ବେଡ୍‌ପିଛା ଆବଶ୍ୟକତା ହିସାବରେ ଦିଲ୍ଲୀ ସରକାର ଦାବି କରିଥିବା ୧,୧୪୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ର ପରିମାଣ ହେଉଛି ୪ଗୁଣ ଅଧିକ। ପ୍ରକୃତ ଆବଶ୍ୟକତା ଥିଲା ମାତ୍ର ୨୮୯ ମେଟ୍ରିକ୍‌ ଟନ୍।

Image Courtesy of India Today

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଦିଲ୍ଲୀକୁ ଅତିରିକ୍ତ ଅକ୍ସିଜେନ୍‌ ଯୋଗାଣ ଯୋଗୁଁ ଅଧିକ କୋଭିଡ୍‌ ସଂକ୍ରମଣ ମାମଲା ଥିବା ୧୨ଟି ରାଜ୍ୟ ପାଇଁ ସଙ୍କଟ ସୃଷ୍ଟି କରିଥାଆନ୍ତା। ସିଂହଲ ହସ୍ପିଟାଲ, ଅରୁଣା ଅସିଫ ଅଲି ହସ୍ପିଟାଲ ଏବଂ ଇଏସ୍‌ଆଇସି ମଡେଲ୍‌ ହସ୍ପିଟାଲ୍‌ ଏବଂ ଲାଇଫ୍‌ ରେ’ ହସ୍ପିଟାଲ୍‌ ଆଦି ଦିଲ୍ଲୀର ଏହି ୪ଟି ଡାକ୍ତରଖାନା ସେ ସମୟରେ ଅଧିକ ଅକ୍ସିଜେନ୍‌ ଖର୍ଚ୍ଚ ହେଉଥିବା ଦାବି କରିଥିଲେ। କିନ୍ତୁ, ସେମାନଙ୍କର ଶଯ୍ୟା ତୁଳନାରେ ଦାବି କରାଯାଇଥିବା ଅକ୍ସିଜେନ୍‌ର ପରିମାଣ ମେଳ ଖାଇ ନ ଥିଲା।

କରୋନାଭାଇରସ୍‌ ସଂକ୍ରମଣ ସମୟରେ ଦିଲ୍ଲୀରେ ଅକ୍ସିଜେନ୍ ଚାହିଦା ଓ ଯୋଗାଣ ଆବଶ୍ୟକତା ଉପରେ ଅଧ୍ୟୟନ କରିବା ନିମନ୍ତେ ସୁପ୍ରିମ୍‌ କୋର୍ଟ ଉକ୍ତ କମିଟିକୁ ନିର୍ଦେଶ ଦେଇଥିଲେ। କମିଟି ଆଜି ଅଦାଲତରେ ତା’ର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରିଛି।

The post ଦ୍ବିତୀୟ କୋଭିଡ୍‌ ପ୍ରବାହ ବେଳେ ଆବଶ୍ୟକ ଠାରୁ ୪ଗୁଣ ଅଧିକ ଅକ୍ସିଜେନ୍‌ ଦାବି କରିଥିଲା ଦିଲ୍ଲୀ: ସୁପ୍ରିମ୍‌ କୋର୍ଟ କମିଟି first appeared on Sambad.

from କରୋନା | Sambad https://ift.tt/3xORt7q