ବିହାର ମୃତ୍ୟୁସଂଖ୍ୟାରେ ବିସ୍ଫୋରଣ: ହାଇକୋର୍ଟଙ୍କ ଆଦେଶ ପରେ ଯାଞ୍ଚ ହେଲା, ୨୪ ଘଣ୍ଟାରେ ମୃତ୍ୟୁସଂଖ୍ୟା ୩,୯୫୧

ପାଟନା : ବିହାର ସରକାର ରାଜ୍ୟର କୋଭିଡ୍‌ ଦୈନିକ ମୃତ୍ୟୁରେ ଆଣିଥିବା ସଂଶୋଧନ ଏବେ ବିବାଦୀୟ ହୋଇପଡ଼ିଛି। ଗୁରୁବାର ସକାଳେ ବୁଧବାରର ସଂଶୋଧିତ ମୃତ୍ୟୁସଂଖ୍ୟାରେ ୩,୯୫୧ଟି ନୂତନ ମୃତ୍ୟୁ ଯୋଡ଼ିହେବା ଘଟଣା ହଇଚଇ ସୃଷ୍ଟି କରିଛି। ପୂର୍ବରୁ ରାଜ୍ୟରେ ମୋଟ ୫,୪୨୪ ଜଣ କୋଭିଡ୍‌ରେ ଆଖି ବୁଜିଥିବା ବେଳେ ଗୁରୁବାରର ଘୋଷଣା ଅନୁଯାୟୀ ତାହା ୯,୩୭୫ ହୋଇଛି। ଗୋଟିଏ ଦିନରେ ରାଜ୍ୟ ମୃତ୍ୟୁସଂଖ୍ୟାରେ ୭୨ ପ୍ରତିଶତ ବୃଦ୍ଧି ଦେଶର ଦୈନିକ ମୃତ୍ୟୁକୁ ମଧ୍ୟ ଅବିଶ୍ବସନୀୟ ଭାବେ ବଢ଼ାଇ ଦେଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ବିଭିନ୍ନ ମହଲରୁ କଟୁ ସମାଲୋଚନାର ଶିକାର ହୋଇଛନ୍ତି।

ଗତ ମାସରେ ବିହାରର ବକ୍ସାର ନିକଟ ନଦୀଜଳରେ ବହୁ ସଂଖ୍ୟାରେ ପଚାଶଢ଼ା ଶବ ଭାସୁଥିବା ଦୃଶ୍ୟ ଦେଶବାସୀଙ୍କୁ ସ୍ତବ୍‌ଧ କରିଦେବା ସହ ବିରୋଧୀ ଦଳମାନେ ସରକାରଙ୍କୁ ଘେରିଥିଲେ। ରାଜ୍ୟରେ ପ୍ରକୃତ କୋଭିଡ୍‌ ମୃତକଙ୍କ ସଂଖ୍ୟା ସରକାର ଲୁଚାଉଛନ୍ତି ବୋଲି ଅଭିଯୋଗ ଆସିବା ପରେ ପାଟନା ହାଇକୋର୍ଟ ମଧ୍ୟ ଏପ୍ରିଲ-ମେ’ ମାସରେ ରାଜ୍ୟରେ କୋଭିଡ୍‌ରେ ଆଖି ବୁଜିଥିବା ପୀଡ଼ିତଙ୍କ ସମ୍ପର୍କରେ ଟିକିନିଖି ଯାଞ୍ଚ କରିବାକୁ ନିର୍ଦ୍ଦେଶ କରିଥିଲେ।

ଯାଞ୍ଚ ଅନୁସାରେ, ଗତବର୍ଷ ମାର୍ଚ୍ଚରୁ ଚଳିତ ବର୍ଷ ମାର୍ଚ୍ଚ ଯାଏ ବର୍ଷକ ଭିତରେ ମାତ୍ର ୧,୬୦୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚଳିତ ବର୍ଷ ଏପ୍ରିଲରୁ ଗତ ୭ ତାରିଖ(ପ୍ରାୟ ଦୁଇ ମାସ) ଭିତରେ ୭,୭୭୫ ଜଣ ଆଖି ବୁଜିଛନ୍ତି। ତେବେ ବିଭିନ୍ନ ଜିଲ୍ଲାରୁ ସଂଶୋଧିତ ତାଲିକା ଆସିବା ପରେ ଏହି ସଂଖ୍ୟା ବଢ଼ିଛି ବୋଲି ସ୍ବାସ୍ଥ୍ୟ ବିଭାଗ ସଫେଇ ଦେଇଛି।

The post ବିହାର ମୃତ୍ୟୁସଂଖ୍ୟାରେ ବିସ୍ଫୋରଣ: ହାଇକୋର୍ଟଙ୍କ ଆଦେଶ ପରେ ଯାଞ୍ଚ ହେଲା, ୨୪ ଘଣ୍ଟାରେ ମୃତ୍ୟୁସଂଖ୍ୟା ୩,୯୫୧ first appeared on Sambad.

from କରୋନା | Sambad https://ift.tt/3xgByye

Post a Comment

0 Comments