ନୂଆଦିଲ୍ଲୀ: ଦେଶରେ ଅଧିକ ସଂକ୍ରମଣଶୀଳ କୋଭିଡ୍‌-୧୯ର ଦ୍ବିତୀୟ ପ୍ରବାହ ସମୟରେ ୫୯୪ଜଣ ଡାକ୍ତର ପ୍ରାଣ ହରାଇଥିବା କଥା ବୁଧବାର ଦିନ ‘ଦି ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌’ କହିଛି।

ସେହିଭଳି, ସ୍ବାସ୍ଥ୍ୟସେବାକାଳୀନ ହିଂସାକାଣ୍ଡ ବିପକ୍ଷରେ ସାମଗ୍ରିକ, ଏକକ ଏବଂ ଫଳପ୍ରଦ ଆଇନ ଅନୁମୋଦନ କରିବା ଲାଗି ମଧ୍ୟ ‘ଆଇଏମ୍‌ଏ’ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଲିଖିତ ଭାବେ ଅନୁରୋଧ କରିଛି। ଅନୁରୋଧ ପତ୍ରରେ ‘ଆଇଏମ୍‌ଏ’ ଲେଖିଛି, କିଛି ବର୍ଷ ହେବ ସ୍ବାସ୍ଥ୍ୟସେବାଜନିତ ହିଂସାକାଣ୍ଡ ବୃଦ୍ଧି ପାଇ ଚାରିଆଡ଼େ ବ୍ୟାପି ଯାଇଥିବା ସହ ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ବିପଦର କାରଣ ହୋଇଛି। ଗତକାଲି ଆସାମର ହୋଜାଇ ଜିଲ୍ଲାରେ ଜଣେ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ଯୋଗୁଁ ଦଳେ ବ୍ୟକ୍ତି ଜଣେ ଡାକ୍ତରଙ୍କୁ ଆକ୍ରମଣ କରିବା ପରେ ‘ଆଇଏମ୍ଏ’ ଗୃହମନ୍ତ୍ରୀଙ୍କୁ ଆଇନ ପାଇଁ ନିବେଦନ କରିଛି।

ସଦ୍ୟତମ ସୂଚନା ଅନୁସାରେ, ଆସାମରେ ଜୁନିୟର ଡାକ୍ତରଙ୍କୁ କରାଯାଇଥିବା ଆକ୍ରମଣରେ ସଂଶ୍ଳୀଷ୍ଟ ୨୪ଜଣଙ୍କୁ ଗିରଫର କରାଯାଇଥିବା କଥା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଟୁଇଟ୍‌ କରି ଆଜି ସୂଚନା ଦେଇଛନ୍ତି।

Image Courtesy of India Today

ଏହାଛଡ଼ା, ଦ୍ବିତୀୟ ପ୍ରବାହରେ କୋଭିଡ୍‌-୧୯ ହେତୁ ପ୍ରାଣ ହରାଇଥିବା ୫୯୪ଜଣ ଡାକ୍ତରଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଜାତୀୟ ରାଜଧାନୀ ଦିଲ୍ଲୀରୁ ବୋଲି ‘ଆଇଏମ୍‌ଏ’ ତାଲିକାରେ ପ୍ରକାଶ ପାଇଛି। ଦିଲ୍ଲୀରେ ପ୍ରାୟ ୧୦୭ଜଣ ଡାକ୍ତରଙ୍କର ମୃତ୍ୟୁ ହୋଇଯାଇଛି। ଦିଲ୍ଲୀ ପଛକୁ ବିହାର, ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ ଝାଡ଼ଖଣ୍ଡରେ ମଧ୍ୟ ଅଧିକ ସଂଖ୍ୟକ ଡାକ୍ତର ପ୍ରାଣ ହରାଇଛନ୍ତି। ବିହାରରେ ୯୬ଜଣ, ଉତ୍ତର ପ୍ରଦେଶରେ ୬୭ଜଣ, ରାଜସ୍ଥାନରେ ୪୩ଜଣ ଏବଂ ଝାଡ଼ଖଣ୍ଡରେ ୩୯ଜଣ ଡାକ୍ତର ପ୍ରାଣ ହରାଇଛନ୍ତି।

ସୂଚନାଯୋଗ୍ୟ, ‘ଆଇଏମ୍‌ଏ’ ହେଉଛି ଭାରତୀୟ ଡାକ୍ତରମାନଙ୍କର ଏକ ସ୍ବେଚ୍ଛାସେବୀ ସଂସ୍ଥାନ। ଏଥିରେ ସଦସ୍ୟ ହୋଇଥିବା ୩.୫ଜଣ ଡାକ୍ତରଙ୍କର ‘ଆଇଏମ୍‌ଏ’ ରେକର୍ଡ ରଖିଥାଏ। କିନ୍ତୁ, ସମଗ୍ର ଦେଶରେ ୧୨ ଲକ୍ଷରୁ ଅଧିକ ଡାକ୍ତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି କୁହାଯାଉଛି।

The post କୋଭିଡ୍‌ ଦ୍ବିତୀୟ ପ୍ରବାହ ବେଳେ ଭାରତ ହରାଇଛି ୫୯୪ ଡାକ୍ତର; ସ୍ବାସ୍ଥ୍ୟସେବା ହିଂସା ବିପକ୍ଷରେ ଆଇନ ଅନୁମୋଦନ ପାଇଁ ଗୃହମନ୍ତ୍ରୀଙ୍କୁ କହିଲା ‘ଆଇଏମ୍‌ଏ’ first appeared on Sambad.

from କରୋନା | Sambad https://ift.tt/3wPdQsP