
ନୂଆଦିଲ୍ଲୀ: ୧୦ ଦିନ ମଧ୍ୟରେ ୧୨ଶ ଶ୍ରେଣୀ ନିମନ୍ତେ ମୂଲ୍ୟାୟନ ବ୍ୟବସ୍ଥା ସୂଚାଇ ଦେବା ସହ ଜୁଲାଇ ୩୧ ସୁଦ୍ଧା ଫଳାଫଳ ପ୍ରକାଶ କରିବା ଲାଗି ଆଜି ସୁପ୍ରିମ କୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।
କିନ୍ତୁ, ଆନ୍ଧ୍ରପ୍ରଦେଶ କହିଛି ଯେ, କୋଭିଡ୍-୧୯ ମାମଲା ହ୍ରାସ ପାଉଥିବାରୁ ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସମ୍ମତି ପାଇଥିବାରୁ ସେ ୧୨ଶ ଶ୍ରେଣୀ ପରୀକ୍ଷା କରାଇବ। ଜୁଲାଇ ଚତୁର୍ଥ ସପ୍ତାହରେ ‘ଫିଜିକାଲ୍ ମୋଡ୍’ରେ ପରୀକ୍ଷା ହେବ ବୋଲି ଆନ୍ଧ୍ର ପ୍ରଦେଶ ସରକାର ଏକ ସତ୍ୟପାଠରେ କହିଛନ୍ତି। ମାତ୍ର ଏଥିରେ ପ୍ରତିକ୍ରିୟାଶୀଳ ହୋଇ ବିଚାରପତି ଏମ୍ ଖାନୱିଲ୍କର ଏବଂ ଦିନେଶ ମାହେଶ୍ବରୀଙ୍କ ଖଣ୍ଡପୀଠ କହିଲେ ଯେ, ରାଜ୍ୟମାନେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବା ସହ ସୁବ୍ୟବସ୍ଥିତ ଯୋଜନା କରିବା ଆବଶ୍ୟକ। ପିଲାମାନଙ୍କ ଜୀବନ ସହ ଖେଳ ଖେଳିବେ କିପରି? ପରିସ୍ଥିତି ବଡ଼ ଅନିଶ୍ଚିତତା ମଧ୍ୟରେ ଚାଲୁଥିବା ବେଳେ ଯଦି ଜୁଲାଇ ମାସରେ ପରୀକ୍ଷା ହୁଏ, ଫଳାଫଳ ବାହାରିବାରେ ଆହୁରି ବିଳମ୍ବ ହେବ।
ଦାଖଲ କରିଥିବା ସତ୍ୟପାଠରେ ଆନ୍ଧ୍ରପ୍ରଦେଶ ସରକାର କହିଛନ୍ତି ଯେ, ପ୍ରାୟ ୫.୨୦ ଲକ୍ଷ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେବେ। ତେଣୁ, ସେଥିପାଇଁ ଦିନେ ଛଡ଼ା ଦିନେ ପରୀକ୍ଷା କରାଇବା ଏବଂ ଗୋଟିଏ ପରୀକ୍ଷା କେନ୍ଦ୍ରରେ ମାତ୍ର ୧୫ ରୁ ୧୮ଜଣ ଛାତ୍ରଛାତ୍ରୀଙ୍କୁ ବସାଯିବା ଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ।
କିନ୍ତୁ, ଏ ବିଷୟରେ ହୋଇଥିବା ଚୂଡ଼ାନ୍ତ ବନ୍ଦୋବସ୍ତ ଆସନ୍ତାକାଲି ଉପସ୍ଥାପନ କରିବା ଲାଗି ଅଦାଲତ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଆଦେଶ ଦେଇଛନ୍ତି।
କୋଭିଡ୍-୧୯ଜନିତ ପରିସ୍ଥିତି ଯୋଗୁଁ ୧୨ଶ ଶ୍ରେଣୀର ପ୍ରତ୍ୟକ୍ଷ ପରୀକ୍ଷା ବାତିଲ କରିବା ଲାଗି ଆଗତ ଜନସ୍ବାର୍ଥ ମାମଲା ଶୁଣାଣି କରି ସୁପ୍ରିମ୍ କୋର୍ଟ ଆଜି ଏହି ନିର୍ଦେଶ ଦେଇଛନ୍ତି।
The post ଜୁଲାଇ ୩୧ ସୁଦ୍ଧା ୧୨ଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବା ଲାଗି ରାଜ୍ୟ ବୋର୍ଡମାନଙ୍କୁ ନିର୍ଦେଶ ଦେଲେ ସୁପ୍ରିମ୍ କୋର୍ଟ first appeared on Sambad.from କରୋନା | Sambad https://ift.tt/3qom6y3
0 Comments