ଜିଲ୍ଲାରେ ୪୦ ଦିନରେ ୯୬ କୋଭିଡ୍‌ ମୃତ୍ୟୁ
ମୃତକଙ୍କ ମଧ୍ୟରେ ୬୨ ପୁରୁଷ, ୩୪ ମହିଳା

ରାଉରକେଲା: ଜିଲ୍ଲାରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ସଂଖ୍ୟାରେ ଢ଼େର୍‌ ହ୍ରାସ ହେବା ଜିଲ୍ଲାବାସୀଙ୍କୁ ବହୁମାତ୍ରାରେ ଆଶ୍ବସ୍ତ କରିଛି। ଅପରପକ୍ଷରେ ଜିଲ୍ଲାର କୋଭିଡ୍‌ ମୃତ୍ୟୁ କିନ୍ତୁ ଉଦ୍‌ବେଗଜନକ ସ୍ଥିତିରେ। ପ୍ରାୟ ପ୍ରତିଦିନ କରୋନା ରୋଗୀଙ୍କ ମୃତ୍ୟୁ ହେଉଛି। ଗତ ମେ’ ମାସରୁ ଆଜି ପର୍ଯ୍ୟନ୍ତ, ପ୍ରତିଦିନ ଜିଲ୍ଲାବାସୀ କରୋନା ମୃତ୍ୟୁ ଦେଖିଛନ୍ତି। ଉପରୋକ୍ତ ସମୟ ଭିତରେ ମାତ୍ର ଗୋଟିଏ ଦିନ ଜଣେ ହେଲେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନଥିଲା। ସରକାରୀ ତଥ୍ୟ ହିସାବରେ ଗତ ୪୦ ଦିନ ଭିତରେ ଜିଲ୍ଲାର ୯୬ ଜଣଙ୍କ ଜୀବନ ଯାଇଛି। ତେବେ ବେସରକାରୀ ତଥ୍ୟକୁ ହିସାବକୁ ନେଲେ, ଏହି ସଂଖ୍ୟା ମାତ୍ରାଧିକ ହେବ। କେବଳ ବେଦବ୍ୟାସ ଘାଟରେ ଅନ୍ତିମ ସଂସ୍କାର କରାଯାଇଥିବା ମୃତକଙ୍କ ସଂଖ୍ୟା ତିନି ଅଙ୍କ ପାର୍‌ ହେବ। ନିୟମିତ କୋଭିଡ୍‌ ମୃତ୍ୟୁ ଜିଲ୍ଲାରେ ୫ଟି କୋଭିଡ୍‌ ହସପିଟାଲ ପ୍ରତିଷ୍ଠା କରି ଉନ୍ନତମାନର ଚିକିତ୍ସା ଯୋଗାଉଥିବାର ଡିଣ୍ଡିମ ପିଟୁଥିବା ଜିଲ୍ଲା ପ୍ରଶାସନର ଅସଲ ମୁଖା ଖୋଲିଦେଇଛି।

କରୋନା ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ହେବା ସହ କୋଭିଡ୍‌ ମୃତ୍ୟୁ ସାମ୍ନାକୁ ଆସିଛି। ବିଶେଷକରି ଏପ୍ରିଲ ଦ୍ବିତୀୟ ସପ୍ତାହରୁ କରୋନା ମୃତ୍ୟୁ ଥମିବାର ନାଁ ନେଉନି। ଜିଲ୍ଲାରେ ଗତ ମେ’ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ମୋଟ୍‌ ୯୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ୬୨ ଜଣ ପୁରୁଷ (୬୪.୫୮%) ଓ ୩୪ ଜଣ ମହିଳା(୩୫.୪୨%) ଅଛନ୍ତି। କେବଳ ଗତ ମେ’ ମାସରେ ୪୨ ଜଣ ପୁରୁଷ ଓ ୨୯ ଜଣ ମହିଳା, ମୋଟ୍‌ ୭୧ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବ ଜଳିତ ଜୁନ୍‌ ମାସର ୯ ଦିନ ଭିତରେ ୨୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏଥିମଧ୍ୟରୁ ୨୦ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି। ମେ’ ମାସ ତୁଳନାରେ ଚଳିତ ମାସରେ ମୃତ୍ୟୁ ହାର ଅଧିକ ରହିଛି। ପ୍ରତିଦିନ ୩/୪ ଜଣଙ୍କ ମୃତ୍ୟୁ ହେଉଛି। ଗତ ୩ ତାରିଖରେ, ଦିନକରେ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ସଂକ୍ରମଣ ଆଖିଦୃଶିଆ କମିଥିବାବେଳେ ମୃତ୍ୟୁ ହାର ବୃଦ୍ଧି ଜିଲ୍ଲାବାସୀଙ୍କ ନିଦ ହଜାଇ ଦେଇଛି। କରୋନା ମୃତ୍ୟୁ ରୋକିବାକୁ ସ୍ବାସ୍ଥ୍ୟସେବାରେ ବୃଦ୍ଧି କରିବାର ଆବଶ୍ୟକତା ଥିବା ବିଭିନ୍ନ ମହଲରୁ ମତ ଆସୁଛି।

The post ସୁନ୍ଦରଗଡ଼ ଜିଲ୍ଲାରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ମୃତ୍ୟୁ ଅଧିକ first appeared on Sambad.

from କରୋନା | Sambad https://ift.tt/3g80KS7