ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ ଟିକାକରଣକୁ ଆଜି ୧୫୦ ଦିନ ପୂର୍ତ୍ତି ହୋଇଥିବା ବେଳେ କେନ୍ଦ୍ର ସରକାର ଆଗାମୀ ୨୧ ତାରିଖରୁ ଦେଶରେ ନୂଆ ଟିକା ନୀତି ଲାଗୁ କରିବାକୁ ଯାଉଛନ୍ତି। ଏହି ପ୍ରିକ୍ରିୟାରେ ୧୮ ବର୍ଷ ବୟସରୁ ଅଧିକ ସମସ୍ତ ନାଗରିକଙ୍କ ମାଗଣା ଟିକାକରଣ ହେବ। ଟିକା ନେବାପାଇଁ ଆଗୁଆ ପଂଜୀକରଣ ଆଦୌ ଜରୁରୀ ନୁହେଁ। ଆଗୁଆ ପଂଜୀକରଣ ନକରି ମଧ୍ୟ ୧୮ ବର୍ଷରୁ ଊର୍ଦ୍ଧ୍ବ ଯେକୌଣସି ବ୍ୟକ୍ତି ସିଧାସଳଖ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ପହଞ୍ଚି ନାମ ପଂଜୀକରଣ କରିପାରିବେ ଏବଂ ଟିକା ନେଇପାରି‌ବେ। ଏଥିରେ କୌଣସି ଅସୁବିଧା ନାହିଁ ବୋଲି ଆଜି ସରକାର ସ୍ପଷ୍ଟ କରିଛନ୍ତି। ସରକାର କହିଛନ୍ତି, ଟିକା ନେବାପାଇଁ ଆଗୁଆ ପଂଜୀକରଣ ବାଧ୍ୟତାମୂଳକ ନୁହେଁ। ହିତାଧିକାରୀ ସିଧାସଳଖ ଟିକାକରଣ କେନ୍ଦ୍ରରେ ପହଞ୍ଚିବାପରେ କୋୱିନ୍‌ ଡିଜିଟାଲ୍‌ ପ୍ଲାଟଫର୍ମ‌୍‌ରେ ତାଙ୍କ ନାମ ପଂଜୀକରଣ କରାଯିବ। ଟିକା ନେବାପାଇଁ ବିଭିନ୍ନ ରାଜ୍ୟରେ ଅନିଚ୍ଛା ବଢ଼ିବାପରେ ସରକାର ଏହି ଘୋଷଣା କରିଛନ୍ତି। ଟିକା ନେବା ପାଇଁ ଅନାଗ୍ରହ ଯୋଗୁଁ ତାମିଲନାଡ଼ୁରେ ଟିକାକରଣ ହାର ସବୁଠାରୁ କମ୍‌ ଥିବା ଜଣାପଡ଼ିଛି। ଆଜି ସୁଦ୍ଧା ଦେଶରେ ପ୍ରାୟ ୨୬ କୋଟି ଲୋକଙ୍କ ଟିକାକରଣ ହୋଇଥିବା ବେଳେ ଆଗକୁ ଦୈନିକ ୫୦ ଲକ୍ଷରୁ ଅଧିକ ଲୋକଙ୍କ ଟିକାକରଣ ପାଇଁ ଯୋଜନା ହୋଇଛି।

ଅନ୍ୟପକ୍ଷରେ ଦେଶରେ ଟିକା ନେବା ପରେ ପ୍ରଥମ ମୃତ୍ୟୁ ଘଟିଥିବା ସମ୍ପର୍କରେ ଅନୁଧ୍ୟାନ କରୁଥିବା ସରକାରଙ୍କ ଟିକା ପର ପ୍ରତିକୂଳ ପାର୍ଶ୍ବ ପ୍ରତିକ୍ରିୟା(ଏଇଏଫ୍‌ଆଇ) କମିଟି ନିଶ୍ଚିତ କରିଛି। କୋଭିଡ୍‌ ଟିକା ନେବା ପରେ ସଂପୃକ୍ତ ୬୮ ବର୍ଷୀୟ ହିତାଧିକାରୀଙ୍କ ଠାରେ ଆନାଫିଲାକ୍ସିସ୍‌ ପରି ଘାତକ ପ୍ରତିକୂଳ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା। ଟିକା ନେବା ପରେ ଦେଶରେ ବିଭିନ୍ନ ପ୍ରକାର ଗୁରୁତର ପ୍ରତିକୂଳ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇଥିବା ୩୧ ଜଣ ମୃତକଙ୍କ ଲକ୍ଷଣକୁ ତର୍ଜମା କରି ଏଇଏଫ୍‌ଆଇ କେବଳ ଏହି ଜଣଙ୍କର ଟିକା ପ୍ରତିକ୍ରିୟା ଜନିତ ମୃତ୍ୟୁ ହୋଇଛି ବୋଲି ସ୍ପଷ୍ଟ କରିଛି। ଅପରପକ୍ଷେ, ଟିକା ନେବା ପରେ ଏପରି ତିନି ଜଣଙ୍କର ଆନାଫିଲାକ୍ସିସ ପ୍ରତିକ୍ରିୟା ଦେଖାଦେଇଥିବା ବେଳେ କେବଳ ଏହି ଗୋଟିଏ ମାମଲାକୁ ଏଇଏଫ୍‌ଆଇ ଅଧ୍ୟକ୍ଷ ଡା. ଏନ୍‌ କେ ଆରୋରା ନିଶ୍ଚିତ କରିଛନ୍ତି। ତେବେ ଏ ସମ୍ପର୍କରେ ସେ ଆଉ କିଛି ଅଧିକ ମତାମତ ଦେବାକୁ ମନା କରିଦେଇଛନ୍ତି। ସୂଚନାନୁଯାୟୀ, ମୃତକ ଜଣକ ଗତ ମାର୍ଚ୍ଚ ୮ ତାରିଖରେ ହିଁ କୋଭିଡ୍‌ ଟିକା ନେଇଥିଲେ। ସେହିପରି ଆନାଫିଲାକ୍ସିସ ପ୍ରତିକ୍ରିୟା ଦେଖାଇଥିବା ଅନ୍ୟ ଦୁଇ ଜଣ ୨୦ ବର୍ଷରୁ କମ୍‌ ବୟସର ହୋଇଥିବା ବେଳେ ସେମାନେ ଜାନୁଆରି ୧୬ ଓ ୧୯ ତାରିଖରେ ଟିକା ନେଇଥିଲେ ଏବଂ ଡାକ୍ତରଖାନାରେ ଚିକିତ୍ସିତ ହେଲା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

କୋଭିଡ୍‌ ଗବେଷଣାରେ ଖିଲାଫକୁ ସରକାରଙ୍କ ଖଣ୍ଡନ
ନୂଆଦିଲ୍ଲୀ: ଦେଶରେ ହାହାକାର ରଚାଇଥିବା ମହାମାରୀ କୋଭିଡ୍‌-୧୯ ପାଇଁ ଦାୟୀ ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍‌-୨ର ଆନୁବଂଶିକ ଅନୁକ୍ରମ ଅନୁଧ୍ୟାନ କରିବାରେ ସରକାର ହେଳା କରିଛନ୍ତି ବୋଲି ଉଠିଥିବା ଅଭିଯୋଗକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ଅପରପକ୍ଷେ, ବିଭିନ୍ନ ସମୟରେ ଘାତକ ସାବ୍ୟସ୍ତ ହେଉଥିବା ବିଭିନ୍ନ ରୂପାନ୍ତରିତ ପ୍ରଜାତିର କରୋନାଭୂତାଣୁକୁ ଠାବ କରିବାରେ ଭାରତୀୟ ସାର୍ସ-କୋଭ୍‌-୨ ଜେନେଟିକ୍ସ କନ୍‌ସୋର୍ଟିଅମ୍‌(ଇନ୍ସାକୋଗ୍‌) ମଧ୍ୟ ସମୟୋପଯୋଗୀ ସହାୟତା କରଛି ଏବଂ ଠିକଣା ସମୟରେ ପ୍ରକୃତ ତଥ୍ୟକୁ ମଧ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ଅବଗତି ଓ ସତର୍କତା ପାଇଁ ଉପଲବ୍‌ଧ କରାଯାଇଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ସୂଚନା ଥାଉ କି, ଭାରତରେ ବିଭିନ୍ନ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁର ସଂକ୍ରମଣ ଏବଂ ସେମାନଙ୍କର ଆନୁବଂଶିକ ଅନୁକ୍ରମ ଅନୁଧ୍ୟାନ କରିବା ପାଇଁ ୨୦୨୦ ଡିସେମ୍ବର ୨୫ ତାରିଖରେ ହିଁ ଇନ୍ସାକୋଗ୍‌ ଗଠିତ ହୋଇଥିଲା। ପ୍ରାଥମିକ ଅବସ୍ଥାରେ ରୂପାନ୍ତରିତ ପ୍ରଜାତିକୁ ବହନ କରୁଥିବା ସନ୍ଦିଗ୍ଧ ଆନ୍ତର୍ଜାତିକ ଯାତ୍ରୀମାନଙ୍କୁ ଚିହ୍ନଟ କରାଯାଉଥିଲା। ସେମାନଙ୍କ ଶରୀରରେ ପୂର୍ବରୁ ସଂପୃକ୍ତ ରୂପାନ୍ତରିତ ପ୍ରଜାତି ରହିଥିଲା ନା ସେ ଏଠାରେ ବହନ କରିଛନ୍ତି ତାହା ପରୀକ୍ଷା ନିରୀକ୍ଷା କରାଯାଉଥିଲା। ଏଥିପାଇଁ ନିର୍ଦ୍ଦିଷ୍ଟ ଦେଶମାନଙ୍କରୁ ଆସୁଥିବା ଯାତ୍ରୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ସଂସ୍ପର୍ଶ ଉପରେ ନିଘା ରଖାଯାଉଥିଲା। ସେହିପରି ପ୍ରତି ରାଜ୍ୟରେ ସଂଘଟିତ ଆର୍‌ଟିପିସିଆର୍‌ ପରୀକ୍ଷଣର ୫ ପ୍ରତିଶତ ପଜିଟିଭ୍‌ ମାମଲାର ଗୋଷ୍ଠୀଭିତ୍ତିକ ନମୁନୀକରଣ କରାଯାଥିଲା। ଏହି ଦୁଇଟି ଯାକ ଉଦ୍ଦେଶ୍ୟ ପୂରଣ ହୋଇଥିଲା ଯେତେବେଳେ ଆନ୍ତର୍ଜାତିକ ବିମାନ ଯାତ୍ରୀମାନେ ଏପରି ବିଶେଷ କରି ଯୁକେ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ବହନ କରିଥିବା ଜଣାପଡ଼ିଥିଲା ଏବଂ ସଂପୃକ୍ତ ପ୍ରଜାତି ଦ୍ବାରା ମଧ୍ୟ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଥିଲା।

ପର୍ଯ୍ୟାୟକ୍ରମେ, ବିଶ୍ବସ୍ତରୀୟ ଭୂତାଣୁ ଅନୁକ୍ରମ ପଦ୍ଧତି ତଥା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପରାମର୍ଶାବଳୀ ଅନୁସାରେ ପୂର୍ବ ପ୍ରକ୍ରିୟାକୁ ଇନ୍ସାକୋଗ୍‌ ଦ୍ବାରା ସଂଶୋଧନ କରାଯାଇଥିଲା। କୋଭିଡ୍‌ ପୀଡ଼ିତଙ୍କ ସଂଖ୍ୟାବୃଦ୍ଧିକୁ ଦୃଷ୍ଟିରେ ରଖି ଗତ ଏପ୍ରିଲ ୧୨ ତାରିଖରେ ‘ସେଣ୍ଟିନେଲ୍‌ ସର୍ଭିଲେନ୍ସ’ ବା ପ୍ରହରୀ ନିରୀକ୍ଷଣ ପଦ୍ଧତି ଅନୁସରଣ କରାଯାଇଥିଲା। ଏଥିରେ ନମୁନା ପଠାଇବା ପାଇଁ ରାଜ୍ୟମାନେ ୫ଟି ପରୀକ୍ଷାଗାର ଓ ୫ଟି କୋଭିଡ୍‌ ଡାକ୍ତରଖାନାକୁ ପ୍ରହରୀ ସ୍ଥଳ ଭାବେ ବାଛିଥିଲେ। ପ୍ରତି ପ୍ରହରୀ ସ୍ଥଳ ନିୟମିତ ଭାବେ ୧୫ଟି ନମୁନା ନିର୍ଦ୍ଦିଷ୍ଟ ବିଜ୍ଞାନାଗାରକୁ ପଠାଉଥିଲେ। ଏହିପରି ସେଣ୍ଟିନେଲ୍‌ ସର୍ଭିଲେନ୍ସ ପଦ୍ଧତି ଅନୁସରଣ କରାଯିବା ସହିତ ବିଶାଳ ଆବାସସ୍ଥଳୀ, ଅସ୍ବାଭାବିକ ନୈଦାନିକ ଉପସ୍ଥାପନ, ଟିକାକରଣ ଓ ସନ୍ଦିଗ୍ଧ ପୁନଃସଂକ୍ରମଣ ପରି ଅସ୍ବାଭାବିକ ପରିସ୍ଥିତିର ତର୍ଜମା ପାଇଁ ମଧ୍ୟ ସ୍ବତନ୍ତ୍ର ନିରୀକ୍ଷଣ ପଦ୍ଧତି ଅନୁସରଣ କରାଯାଉଛି ବୋଲି ସରକାର ସଫେଇ ଦେଇଛନ୍ତି। ସୁତରାଂ କୋଭିଡ୍‌ ସଂକ୍ରାନ୍ତ ବହୁବିଧ ତଥ୍ୟ ଅନ୍ବେଷଣ ପାଇଁ ସରକାର ଅବହେଳା କରିଛନ୍ତି ବୋଲି ହେଉଥିବା ଅପପ୍ରଚାର ଭିତ୍ତିହୀନ ବୋଲି କୁହାଯାଇଛି।

The post ଆଗୁଆ ପଞ୍ଜୀକରଣ ଜରୁରୀ ନୁହେଁ, ୨୧ରୁ ନୂଆ ଟିକା ନୀତି first appeared on Sambad.

from କରୋନା | Sambad https://ift.tt/3wwe6xh