
ରାଉରକେଲା: ବୟସ ମାତ୍ର ୨ ବର୍ଷ ୪ ମାସ। ଭଲଭାବେ କଥାବାର୍ତ୍ତା ଶିଖିନାହାନ୍ତି। ଦୁନିଆ କ’ଣ ଜାଣିନାହାନ୍ତି। ତଥାପି ବିଶ୍ବବ୍ୟାପୀ ଆତଙ୍କ ଖେଳାଇଦେଇଥିବା କରୋନା ମହାମାରୀକୁ ସେ ପରାସ୍ତ କରିଛନ୍ତି। ସଂକ୍ରମିତ ହେବାପରେ ଗୋଟିଏ ଦିନ ଜ୍ବର ହୋଇଥିଲା। ଖାଦ୍ୟ ବି ରୁଚିନଥିଲା। ଏମିତିକି ଔଷଧ ଖାଇବାକୁ ମଧ୍ୟ ଇଚ୍ଛା ପ୍ରକାଶ କରୁନଥିଲେ। ଜୋର୍ଜବରଦସ୍ତ ତରଳ ଔଷଧ ଦିଆଯାଇଥିଲା। ସେମିତି ଶେଷରେ କରୋନାକୁ ମାତ୍ ଦେଇଛନ୍ତି ଏହି ଶିଶୁ। କରୋନାକୁ ପରାସ୍ତ କରିଥିବା ଏହି ଶିଶୁ ଜଣକ ହେଉଛନ୍ତି ରାଉରକେଲା ସେକ୍ଟର-୧୪ର ପୂରବ ମହାନ୍ତି।
ସେକ୍ଟର-୧୪, ବି’ ବ୍ଲକରେ ରୁହନ୍ତି ଆର୍ଏସ୍ପି କର୍ମଚାରୀ ସୁଶାନ୍ତ ମହାନ୍ତି(୪୫)। ସୁଶାନ୍ତଙ୍କ ପରିବାର କହିଲେ ପତ୍ନୀ ନୀତୁ, ଝିଅ ତନୀଷା(୧୫) ଓ ପୁଅ ପୂରବ। ଗତ ମେ’ ୧୦ ତାରିଖରେ ସୁଶାନ୍ତଙ୍କ ସାମାନ୍ୟ କାଶ ହୋଇଥିଲା। ଏଣୁ ତା’ପରଦିନ କୋଭିଡ୍ ଟେଷ୍ଟ୍ କରିଥିଲେ। ରିପୋର୍ଟ ପଜିଟିଭ୍ ଆସିବାପରେ ଘରେ ସଙ୍ଗରୋଧରେ ରହିଥିଲେ। ଏହାର ୨ ଦିନ ପରେ, ଅର୍ଥାତ୍ ୧୩ ତାରିଖରେ ପରିବାରର ଅନ୍ୟ ସଦସ୍ୟଙ୍କ ଟେଷ୍ଟ୍ କରାଯିବାରୁ ସମସ୍ତଙ୍କର ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା। ଶିଶୁ ପୁତ୍ର ଓ ନାବାଳିକା ଝିଅ ବି ସଂକ୍ରମିତ ହେବା ସୁଶାନ୍ତଙ୍କୁ ଚିନ୍ତାରେ ପକାଇଦେଇଥିଲା। ତେବେ ଏଥିରେ ହାର୍ ମାନିନଥିଲେ ସେ। ଡାକ୍ତରଙ୍କ ପରାମର୍ଶକ୍ରମେ ସମସ୍ତେ ଔଷଧ ଓ ପୁଷ୍ଟିକର ଖାଦ୍ୟ ଖାଇଥିଲେ। ନିୟମିତ ଯୋଗ, ପ୍ରାଣାୟାମ କରିଥିଲେ। ପରବର୍ତ୍ତୀ ସମୟରେ ପରିବାର ସଦସ୍ୟଙ୍କ ପାଖରେ ଆଉ କୌଣସି ଲକ୍ଷଣ ଦେଖାଦେଇନଥିଲା।

ମାତ୍ର ୩ ଦିନ ପରେ ପୂରବଙ୍କୁ ଥଣ୍ଡା ଧରିବା ସହିତ ଗୋଡ଼ ହାତ ବିନ୍ଧିଥିଲା। ଏହାସହ ସେ ଦିନସାରା କାନ୍ଦିଥିଲେ; ଯାହାକି ପରିବାରକୁ ଦୁଶ୍ଚିନ୍ତା ଭିତରକୁ ଠେଲିଦେଇଥିଲା। ସେ ଔଷଧ ଖାଇବାକୁ ଇଚ୍ଛା ପ୍ରକାଶ କରୁନଥିଲେ ବି ତରଳ ଔଷଧ, ଯଥା-ମଲ୍ଟିଭିଟାମିନ, ସେଟ୍ରିଜିନ୍ ଓ ପାରାସିଟାମଲ୍ ଆଦି ଦିଆଯାଇଥିଲା। ଔଷଧ ନେବାପରେ ଏସବୁ ଲକ୍ଷଣ ଦୂର ହୋଇଯାଇଥିଲା, କିନ୍ତୁ ମନରୁ ଆଶଙ୍କା ଦୂର ହେଉନଥିଲା। ସମୟ ଅତିବାହିତ କରିବାକୁ ପୂରା ପରିବାର ଏକାଠି ଟିଭି ଓ ଫିଲ୍ମ ଦେଖୁଥିଲେ। ଓଡ଼ିଆ, ହିନ୍ଦି ସିନେମା ଗୀତରେ ବେଶ୍ ନାଚୁଥିଲେ। ମନକୁ ପ୍ରଫୁଲ୍ଲିତ ରଖିବାକୁ ଏହି ପ୍ରୟାସ ଅଯଥା ଚିନ୍ତାରୁ ଦୂରେଇ ରଖିବାରେ ବିଶେଷ ସହାୟକ ହୋଇଥିଲା। ଏହାସହ ଅନ୍ୟତ୍ର ରହୁଥିବା ପରିବାର ସଦସ୍ୟଙ୍କ ସହ ଭିଡିଓ କଲ୍ ମାଧ୍ୟମରେ କଥାବାର୍ତ୍ତା କରୁଥିଲେ। ପ୍ରିୟଜନଙ୍କ ସହ ବ୍ୟାପକ ଆଲୋଚନା, ବିଚାରବିମର୍ଷ କରୁଥିଲେ। ମିଳିମିଶି ରୋଷେଇ କରି ଭୋଜି ଭଳି ଖାଉଥିଲେ। ଏହି ସମୟରେ ପଡ଼ୋଶୀମାନେ ମଧ୍ୟ ସହଯୋଗର ହାତ ବଢ଼ାଇଥିଲେ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇବାରେ ସେମାନେ କେବେ ବି ହେଳା କରିନଥିଲେ। ଶେଷରେ ପୂରବଙ୍କ ସମେତ ପୂରା ପରିବାର କରୋନାମୁକ୍ତ ହୋଇପାରିଥିଲେ।
ଏନେଇ ଶ୍ରୀ ମହାନ୍ତି କହିଛନ୍ତି, ସାମାନ୍ୟ ଲକ୍ଷଣ ଆସିବା ମାତ୍ରେ ଟେଷ୍ଟ୍ କରିବା ନିତାନ୍ତ ଜରୁରି। ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଓ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ। ସଂକ୍ରମିତ ହେବାପରେ ଭୟଭୀତ ନହୋଇ ମନକୁ ସନ୍ତୁଳିତ ଓ ପ୍ରଫୁଲ୍ଲିତ ରଖିବାକୁ ହେବ ବୋଲି ସେ କହିଛନ୍ତି।
The post କରୋନାକୁ ପରାସ୍ତ କଲେ ୨ ବର୍ଷର ଶିଶୁ first appeared on Sambad.from କରୋନା | Sambad https://ift.tt/3uXHo6i
0 Comments