୫ ମାସ ଧରି ରହିଥିଲା ମାଲକାନଗିରିର ବୃଦ୍ଧଙ୍କ ଶବ
ମାସକ ମଧ୍ୟରେ ଶତାଧିକ ଚିକିତ୍ସାଧୀନ ବ୍ୟକ୍ତିଙ୍କ ମୃତ୍ୟୁ!

ଭୁବନେଶ୍ବର : ୮ ଦିନ ହେଲା ପରିଜନଙ୍କୁ ଅପେକ୍ଷା କରି ରହିଛି ଏମ୍ସ ଭୁବନେଶ୍ବର ଶବଗୃହର କୋଭିଡ ଆକ୍ରାନ୍ତ ଥିବା ଜଣେ ମହିଳାଙ୍କ ସମେତ ୪ ଜଣଙ୍କ ମରଶରୀର। ଡାକ୍ତରଖାନା ପକ୍ଷରୁ ସେମାନଙ୍କ ପରିଜନଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ସ୍ବିଚ ଅଫ୍‌ ଆସୁଛି କିମ୍ବା ଫୋନ ଲାଗୁ ନାହିଁ। ସେମାନେ ପ୍ରକୃତରେ ନିଜ ପରିଜନଙ୍କ ମୃତ୍ୟୁ ସମ୍ପର୍କରେ ଜାଣିନାହାନ୍ତି ନା ଜାଣି ମଧ୍ୟ ଆସୁନାହାନ୍ତି ତାହା ସ୍ପଷ୍ଟ ହୋଇନାହିଁ। କରୋନା କାଳରେ ଅନେକ ‌କ୍ଷେତ୍ରରେ ଆତ୍ମୀୟମାନେ ଭୟରେ କରୋନା ଆକ୍ରାନ୍ତ ଆତ୍ମୀୟଙ୍କ ଶବ ଛୁଉଁ ନଥିବାବେଳ ଏଭଳି ଏମ୍ସରୁ ଏଭଳି ଏକ ବିଚଳିତ କଲା ଭଳି ଖବର ଆସିଛି।

ଏମ୍ସରେ ଏବେ ଅଣକୋଭିଡ ଓ୍ବାର୍ଡ ବନ୍ଦ ରହିଛି। କେବଳ ଆପାତକାଳୀନ ସ୍ଥିତିରେ ଗୁରୁତର ରୋଗୀଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଏହା ସତ୍ତ୍ବେ ବର୍ତ୍ତମାନ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ବୃଦ୍ଧି ପାଇବାରେ ଲାଗିଛି। ଅସମର୍ଥିତ ସୂତ୍ର ଅନୁସାରେ, ପ୍ରାୟ ଏକ ମାସ ହେଲା ଏଠାରେ ଚିକିତ୍ସାଧୀନ ଶହେରୁ ଅଧିକଙ୍କ ମୃତ୍ୟୁ ହୋଇ ଶବ ଗୃହକୁ ଅଣାଯାଇଛି। ଏଥିରୁ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି।

ଗତବର୍ଷ କୋଭିଡ ଆକ୍ରାନ୍ତ ଥିବା ମାଲକାନଗିରିର ଜଣେ ବ୍ୟକ୍ତିଙ୍କ ମରଶରୀର ୫ ମାସ ଧରି ଏମ୍ସ ଶବଗୃହରେ ରହିଥିଲା। ତାଙ୍କ ପୁଅ ଆସିବା ପରେ ଶବ ହସ୍ତାନ୍ତରିତ ହୋଇଥିଲା। ପଶ୍ଚିମବଙ୍ଗର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ଅନେକ ଦିନ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। କୋଭିଡ ଆକ୍ରାନ୍ତ ମରଶରୀରଙ୍କ ପ୍ରତି ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ପାରିବାରିକ ସମ୍ପର୍କ କିଭଳି ହୁଗୁଳା ହେବାରେ ଲାଗିଛି ତାହା ପଦାକୁ ଆସୁଛି।

ଗୁରୁତର ରୋଗୀଙ୍କୁ ଚିକିତ୍ସା କରିବା ଏମ୍ସ ପାଇଁ ନୂଆଁ ନୁହେଁ। ସଙ୍କଟାପନ୍ନ ସ୍ଥିତିରେ ହିଁ ରୋଗୀ ଏଠାକୁ ଆସିଥାଆନ୍ତି। ଆସୁଥିବା ରୋଗୀଙ୍କ ସଂଖ୍ୟା ଏତେ ଅଧିକ ଯେ ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ୩ରୁ୪ ମାସ ଅପେକ୍ଷା କରିବାକୁ ପଡ଼େ। ପୂର୍ବରୁ ଡାକ୍ତରଖାନାର ଶବଗୃହକୁ ଦୈନିକ ହାରାହାରି ଯେଉଁଠି ଗୋଟିଏ କିମ୍ବା ଦୁଇଟି ମରଶରୀର ଆସୁଥିଲା। କିନ୍ତୁ ଅଣକୋଭିଡ ରୋଗୀଙ୍କ ଚିକିତ୍ସା ବନ୍ଦ ଥିବା ସତ୍ତ୍ବେ ବର୍ତ୍ତମାନ ଦୈନିକ ହାରାହାରି ୪ରୁ୫ ଜଣଙ୍କ ଶବ ଆସୁଛି। ଏଥିରୁ ପ୍ରାୟ ୩ରୁ୪ ଜଣ କୋଭିଡ ଆକ୍ରାନ୍ତ ରହୁଛନ୍ତି। ଏମ୍ସକୁ ଆସୁଥିବା ଅଧିକାଂଶ ରୋଗୀ ଆର୍ଥିକ ଦୁର୍ବଳ ଶ୍ରେଣୀର। ଉଭୟ କୋଭିଡ ଓ ଅଣକୋଭିଡ ରୋଗୀଙ୍କ ପରିଜନ ଡାକ୍ତରଖାନା ପ୍ରାଙ୍ଗଣରେ ରହୁଛନ୍ତି। ଏଥିଯୋଗୁଁ ଚିକିତ୍ସାଧୀନ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ତୁରନ୍ତ ସେମାନଙ୍କ ପରିଜନ ମରଶରୀର ନେଇ ଯାଆନ୍ତି। ବର୍ତ୍ତମାନ କୋଭିଡ ସମୟରେ ବିଏମସି ପକ୍ଷରୁ ପରିଜନଙ୍କ ଉପସ୍ଥିତିରେ ସତ୍ୟନଗର ଶ୍ମଶାନଘାଟରେ ମୃତକଙ୍କ ଅନ୍ତିମ ସଂସ୍କାର କରି ଦିଆଯାଉଛି। ମାତ୍ର ଏବେ ସପ୍ତାହେ ହେଲା ୪ ଜଣଙ୍କ ମରଶରୀର ଶବଗୃହରେ ପଡ଼ି ରହିବା ଦେଖିବାକୁ ମିଳିଛି। ଏହି ବ୍ୟକ୍ତିମାନେ ମୁଖ୍ୟତଃ ଶ୍ରମଜୀବୀ ଶ୍ରେଣୀର ହୋଇଥିବା ଅନୁମାନ କରାଯାଉଛି। ଏମ୍ସ ଶବଗୃହରେ ମରଶରୀରକୁ ସଂରକ୍ଷିତ କରି ରଖିବା ପାଇଁ ସମୁଦାୟ ୧୮ଟି ଫ୍ରିଜର ରହିଛି। ସେଥିରୁ ୧୨ଟି ଫ୍ରିଜର ମାସେରୁ ଅଧିକ ସମୟ ହେଲା ଅଚଳ ହୋଇ ପଡ଼ିଥିବାବେଳେ ଏବେ ୮ ଦିନ ହେଲା ମରାମତି ହୋଇଛି। ଏଠାରେ ଏକ ଶୀତତାପ ନିୟନ୍ତ୍ରିତ ସ୍ବତନ୍ତ୍ର ଗୃହ ରହିଛି। ଫ୍ରିଜର ଅଚଳ ହୋଇ ପଡ଼ିଲେ କିମ୍ବା ଫ୍ରିଜରରେ ଅଧିକ ଶବ ରଖିବା ପାଇଁ ସ୍ଥାନାଭାବ ରହିଥିଲେ ସ୍ବତନ୍ତ୍ର ଗୃହରେ ଶବ ରଖାଯାଏ। ଶବ ରଖିବା ପାଇଁ ସ୍ଥାନାଭାବ ରହୁନଥିବାରୁ ମରଶରୀରଙ୍କ ସମ୍ମାନ ପାଇଁ ପରିଜନଙ୍କୁ ଅପେକ୍ଷା କରାଯାଏ। ମାତ୍ର ଧୀରେ ଧୀରେ ଶବଗୃହରେ ପଡ଼ି ରହୁଥିବା ଶବ ସଂଖ୍ୟା ବଢ଼ୁଥିବାରୁ ଆଗାମୀ ଦିନରେ ଏହା ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି।

The post ଏମ୍ସ ଶବଗୃହରେ ୮ ଦିନ ହେଲା ପଡ଼ି ରହିଛି ୪ କୋଭିଡ ଆକ୍ରାନ୍ତ ମରଶରୀର first appeared on Sambad.

from କରୋନା | Sambad https://ift.tt/2TMCwEb