ନୂଆଦିଲ୍ଲୀ: ସରକାରୀ ଭାବେ ଘୋଷିତ ମୃତ୍ୟୁସଂଖ୍ୟା ଠାରୁ ଭାରତରେ କୋଭିଡ୍‌ଜନିତ ମୃତ୍ୟୁସଂଖ୍ୟା ‘ପାଞ୍ଚରୁ ସାତଗୁଣ’ ଅଧିକ ବୋଲି ଦାବି କରାଯାଇଥିବା ରିପୋର୍ଟକୁ ଶନିବାର ଦିନ ଭାରତ ସରକାର ଅସ୍ବୀକାର କରି କହିଛନ୍ତି ଯେ, ଏହା ଡାକ୍ତରୀ ପ୍ରମାଣରହିତ ଆନୁମାନିକ ଆକଳନ ଉପରେ ପର୍ଯ୍ୟବେଶିତ।

ଉକ୍ତ ପ୍ରକାଶନର ନାମ ଉଲ୍ଲେଖ ନ କରି ଏକ ବିବୃତିରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତାହାକୁ ସମାଲୋଚନା କରି କହିଛି, ଏହି ଆଲେଖ୍ୟ କଳ୍ପନାପ୍ରସୂତ, ଭିତ୍ତିହୀନ ଏବଂ ତ୍ରୁଟିପୂର୍ଣ୍ଣ ସୂଚନା ଆଧାରିତ। ଏହି ପ୍ରକାଶନ ବ୍ୟବହାର କରିଥିବା ଅଧ୍ୟୟନ ସବୁ କାହିଁକି ବିଶ୍ବାସଯୋଗ୍ୟ ନୁହେଁ, ତାହାର କାରଣ ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜଣାଇଛି।

‘ଦି ଇକୋନୋମିଷ୍ଟ୍‌’ରେ ପ୍ରକାଶିତ ଉକ୍ତ ଆଲେଖ୍ୟରେ ଦାବି କରାଯାଇଛି ଯେ, ସରକାରୀ ଭାବେ ଘୋଷିତ କୋଭିଡ୍-୧୯ ମୃତ୍ୟୁସଂଖ୍ୟା ଠାରୁ ଭାରତରେ ସମ୍ଭବତଃ ୫ ରୁ ୭ଗୁଣା ଅତିରକ୍ତ ମୃତ୍ୟୁ ଘଟିଛି।

Image Courtesy of Zee News

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ, କୋଭିଡ୍ ମହାମାରୀ ଭଳି ତୀବ୍ର ଏବଂ ଦୀର୍ଘ ଦିନ ଧରି ବ୍ୟାପୁଥିବା ଜନସ୍ବାସ୍ଥ୍ୟ ସଙ୍କଟରେ ମୃତ୍ୟୁସଂଖ୍ୟା ପଞ୍ଜିକରଣ କରିବାରେ ସବୁବେଳେ ତାରତମ୍ୟ ରହିଥାଏ ବୋଲି ସମସ୍ତଙ୍କୁ ଜଣା। ତେଣୁ, ସୁପରିଚାଳିତ ଗବେଷଣାତ୍ମକ ଅଧ୍ୟୟନ ଏବଂ ନିର୍ଭରଯୋଗ୍ୟ ସୂତ୍ରରୁ ଅତିରିକ୍ତ ମୃତ୍ୟୁସଂଖ୍ୟାଜନିତ ତଥ୍ୟାବଳୀ ମିଳିଲେ ତାହାକୁ ସରକାରୀ ତାଲିକାଭୁକ୍ତ କରାଯାଇଥାଏ।

କିନ୍ତୁ, କୋଭିଡ୍‌ ତଥ୍ୟାବଳି ପରିଚାଳନାରେ ଭାରତ ସରକାରଙ୍କର ଆଭିମୁଖ୍ୟ ସ୍ବଚ୍ଛ ରହି ଆସିଛି। ତେଣୁ, ମୃତ୍ୟୁହାର ସଠିକ କୋଡିଙ୍ଗ୍‌ ନିମନ୍ତେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସୁପାରିସ କରିଥିବା ‘ଆଇସିଡି-୧୦’ ଆଧାରରେ ଭାରତରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ରେକର୍ଡ କରାଯାଉଛି। ଏଥି ନିମନ୍ତେ ୨୦୨୦ ମେ’ରେ ‘ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ’ ଗାଇଡ୍‌ଲାଇନ୍‌ ଜାରି କରିଥିଲା।

The post ଭାରତରେ କୋଭିଡ୍‌ ମୃତ୍ୟୁସଂଖ୍ୟା ୭ଗୁଣ ଅଧିକ ରିପୋର୍ଟକୁ ‘ତ୍ରୁଟିପୂର୍ଣ୍ଣ ବିଶ୍ଳେଷଣ’ କହିଲେ କେନ୍ଦ୍ର ସରକାର first appeared on Sambad.

from କରୋନା | Sambad https://ift.tt/3vjVRJR