
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ (ପିଏମ୍ଜିକେପି)- ବୀମା ଯୋଜନାରେ ଚଳିତ ମାସ ୩ ତାରିଖ ସୁଦ୍ଧା ଓଡିଶାର ୫୩ଟି କ୍ଲେମ୍ (ଦାବି) ମିଳିଛି। ସେଥିମଧ୍ୟରୁ ୮ଟି ଉପରେ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ୩୬ଟି କ୍ଲେମ୍ରେ ନଥିପତ୍ର ଅସଂପୂର୍ଣ୍ଣ ରହିଛି। ୬ଟି କ୍ଲେମ୍ର କେବଳ ପ୍ରାରମ୍ଭିକ ସୂଚନା ପ୍ରାପ୍ତ ହୋଇଥିବାବେଳେ ୩ଟି କ୍ଲେମ୍ ପାଇଁ ଅଯୋଗ୍ୟ ରହିଛି। ସୁପ୍ରିମ୍କୋର୍ଟରେ କେନ୍ଦ୍ର ସରକାରଙ୍କ ଦ୍ବାରା କୋଭିଡ୍ ମୃତକଙ୍କ କ୍ଷତିପୂରଣ ବାବଦରେ ଦାଖଲ କରାଯାଇଥିବା ସତ୍ୟପାଠରେ ପିଏମ୍ଜିକେପି-ବୀମା ଯୋଜନା ଅନ୍ତର୍ଗତ ଓଡିଶା ସମେତ ସବୁ ରାଜ୍ୟର ବୀମା କ୍ଲେମ୍ ଆବେଦନର ସ୍ଥିତି ସଂପର୍କରେ ଅବଗତ କରାଯାଇଛି। ସତ୍ୟପାଠରେ ଓଡିଶା ସମେତ ଦେଶରୁ ମୋଟ ୧୦୦୩ଟି କ୍ଲେମ୍ ମିଳିଥିବାବେଳେ ୪୭୭ଟି ଉପରେ ପଦକ୍ଷେପ ଗ୍ରହଣ କରାଯାଇ ବୀମା ରାଶି ପୈଠ କରାଯାଇଥିବା କୁହାଯାଇଛି। ତା’ଛଡ଼ା ୧୪୧ଟି ଆବେଦନ ଆଯୋଗ୍ୟ ଥିବା ଏବଂ ୩୪୪ଟି ଉପରେ ପଦକ୍ଷେପ ନିଆଯାଉଥିବା ସତ୍ୟପାଠରେ ଉଲ୍ଲେଖ ଅଛି। ବର୍ତ୍ତମାନ ସୁଦ୍ଧା ବୀମା କଂପାନୀ (ନିଉ ଇଣ୍ଡିଆ ଆସ୍ୟୁରାନ୍ସ)କୁ ୪୪୨.୪ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଦ୍ବାରା ରିଲିଜ୍ କରାଯାଇଥିବା ସୂଚିତ କରାଯାଇଛି।
ଅପରପକ୍ଷେ, କେନ୍ଦ୍ର ସରକାରଙ୍କ କୋଭିଡ୍ ମୃତକଙ୍କ କ୍ଷତିପୂରଣ ବାବଦରେ ଦାଖଲ ସତ୍ୟପାଠରେ କରୋନା ମହାମାରୀରେ ଜୀବନ ହରାଉଥିବା ପ୍ରତ୍ୟେକ ନାଗରିକଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବା ସମ୍ଭବପର ନୁହେଁ ବୋଲି କୁହାଯାଇଛି। ଯଦି ଏଭଳି କରାଯାଏ, ତା’ହେଲେ ରାଜ୍ୟ ବିପର୍ଯ୍ୟୟ ରିଲିଫ ପାଣ୍ଠି (ଏସ୍ଡିଆର୍ଏଫ)ରୁ ସମସ୍ତ ଟଙ୍କା ଖର୍ଚ୍ଚ ହୋଇଯିବ ତଥା ଅନ୍ୟ ରୋଗରେ ମରୁଥିବା ଲୋକଙ୍କୁ ସାହାଯ୍ୟ ନ କରିବା ସଂପୂର୍ଣ୍ଣ ଅନ୍ୟାୟ ହେବ ବୋଲି କେନ୍ଦ୍ର ସରକାର ସତ୍ୟପାଠରେ କହିଛନ୍ତି। ମହାମାରୀ ସମୟରେ ଅନେକ ଟଙ୍କାର ଆବଶ୍ୟକତା ପଡୁଥିବାରୁ ଏହା ସମ୍ଭବ ନୁହେଁ ବୋଲି କେନ୍ଦ୍ର ସରକାର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ବିପର୍ଯ୍ୟୟ ଆଇନ ଅନୁଯାୟୀ କେବଳ ଭୂକମ୍ପ, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବାଧ୍ୟତାମୂଳକ କ୍ଷତିପୂରଣ ପ୍ରଯୁଜ୍ୟ ବୋଲି କେନ୍ଦ୍ର ସରକାର ଦର୍ଶାଇଛନ୍ତି। ଏହି ସତ୍ୟପାଠ ଉପରେ ଆସନ୍ତାକାଲି ସୁପ୍ରିମ୍କୋର୍ଟ ଶୁଣାଣି କରିବେ।
The post କୋଭିଡ୍ ମୃତକଙ୍କ କ୍ଷତିପୂରଣ ମାମଲା: ଓଡ଼ିଶାରୁ ୫୩ଟି ଆବେଦନ first appeared on Sambad.from କରୋନା | Sambad https://ift.tt/3cVMOZn
0 Comments