
ନୂଆଦିଲ୍ଲୀ: ଦେଶରେ ମହାମାରୀ କୋଭିଡ୍-୧୯ର ଦ୍ବିତୀୟ ଲହରରେ ଯଦିଓ ସୋମବାର ତୁଳନାରେ ଦୈନିକ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି, ତଥାପି ମଙ୍ଗଳବାର ବି ଦୈନିକ ସଂକ୍ରମଣ ଲକ୍ଷେ ତଳେ ରହିଛି। ସେହିପରି କୋଭିଡ୍ ମୃତକଙ୍କ ସଂଖ୍ୟା ମଧ୍ୟ ଦୁଇ ହଜାର ପାଖାପାଖି ରହିଛି। ତେବେ ସବୁଠୁ ଆଶ୍ବସ୍ତିର ବିଷୟ ହେଲା, ଲଗାତାର ନୂତନ ସଂକ୍ରମିତଙ୍କ ତୁଳନାରେ ଅଧିକ ସଂଖ୍ୟକ ରୋଗୀ ଆରୋଗ୍ୟଲାଭ କରିବା ସହ ସକ୍ରିୟ ମାମଲା ୧୨ ଲକ୍ଷ ପାଖକୁ ଖସି ଆସିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବୁଧବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟା ଭିତରେ ଦେଶରେ ୯୨,୬୯୬ ଜଣ ନୂତନ ସଂକ୍ରମିତଙ୍କୁ ଠାବ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ ୨,୯୦,୮୯,୦୬୯ ଜଣ ଦେଶବାସୀ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।
ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ତାମିଲନାଡୁରେ ମଧ୍ୟ ପୂର୍ବପରି ସର୍ବାଧିକ ୧୮,୦୨୩ ଜଣ ସଂକ୍ରମିତ ଟିହ୍ନଟ ହୋଇଥିବା ବେଳେ ତାହା ପଛକୁ କେରଳରେ ୧୫,୫୬୭ ଜଣ, ମହାରାଷ୍ଟ୍ରରେ ୧୦,୮୯୧ ଜଣ, କର୍ଣ୍ଣାଟକରେ ୯,୮୦୮ ଜଣ, ଆନ୍ଧ୍ରପ୍ରଦେଶରେ ୭,୭୯୬ ଜଣ ସଂକ୍ରମିତ ବାହାରିଛନ୍ତି। କେବଳ ଏହି ୫ଟି ରାଜ୍ୟରେ ହିଁ ଦେଶର ୬୭.୦୪ ପ୍ରତିଶତ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ, ଏହି ଦିନକ ଭିତରେ ଦେଶରେ ୨,୨୧୯ ଜଣ କୋଭିଡ୍ ପୀଡ଼ିତ ଆଖି ବୁଜିଥିବା ଜଣାଯାଇଛି। ଏଥି ସହିତ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ କୋଭିଡ୍ ମୃତକଙ୍କ ସଂଖ୍ୟା ୩,୫୩,୫୨୮ରେ ପହଞ୍ଚିଛି। ମଙ୍ଗଳବାରର ଏହି ସଦ୍ୟ ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୭୦୨ ଜଣ କୋଭିଡ୍ ପୀଡ଼ିତ ଆଖି ବୁଜିଥିବା ବେଳେ ତାହା ପଛକୁ ତାମିଲନାଡୁରେ ୪୦୯ଜଣ, କର୍ଣ୍ଣାଟକରେ ୧୭୯ ଜଣ, କେରଳର ୧୨୪ ଜଣ ଓ ପଶ୍ଚିମବଙ୍ଗରେ ୯୮ ଜଣଙ୍କର ମୃତ୍ୟୁ ଘଟିଛି।
ବିଗତ ୨୪ ଘଣ୍ଟା ଭିତରେ ଦେଶରେ ୧,୬୨,୬୬୪ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨,୭୫,୦୪,୧୨୬ ଜଣ ସମ୍ପୂର୍ଣ୍ଣ ଆରୋଗ୍ୟଲାଭ କରିଥିବା ଜଣାଯାଇଛି। ଏଥି ସହିତ ଗତ ୨୪ ଘଣ୍ଟା ଭିତରେ ଦେଶରେ ସକ୍ରିୟ ମାମଲା ୭୨,୨୮୭ ଖସି ଆସି ୧୨,୩୧,୪୧୫ରେ ପହଞ୍ଚିଛି। ଲଗାତାର ଷୋଳ ଦିନ ପାଇଁ ଏପରି ସକ୍ରିୟ ହାର ୧୦ ପ୍ରତିଶତର ଯଥେଷ୍ଟ ତଳେ ରହିବା ସହ ଲଗାତାର ତୃତୀୟ ଦିନ ପାଇଁ ୫ ପ୍ରତିଶତ ତଳେ(୪.୨୩%) ରହିଛି। ସେହିପରି ଆରୋଗ୍ୟ ହାର ମଧ୍ୟ ୯୪.୫୫ ପ୍ରତିଶତ ପରି ଉଚ୍ଚ ସ୍ତରରେ ପହଞ୍ଚିଛି। ଗତ ୨୪ ଘଣ୍ଟା ଭିତରେ ୨୭,୭୬,୦୯୬ଜଣଙ୍କର ଟିକାକରଣ ହୋଇଛି। ଦେଶରେ ମୋଟ ୨୩,୯୦,୫୮,୩୬୦ ଜଣଙ୍କୁ କୋଭିଡ୍ ଟିକା ପ୍ରଦାନ କରାଯାଇଥିବା ଜଣାଯାଇଛି।
The post ୧୨ ଲକ୍ଷକୁ ଖସିଲା ସକ୍ରିୟ ମାମଲା: ଦିନକରେ ୯୨,୫୯୬ ନୂତନ ସଂକ୍ରମିତ, ୨,୨୧୯ ମୃତ first appeared on Sambad.from କରୋନା | Sambad https://ift.tt/3we4OG6
0 Comments