
ନୂଆଦିଲ୍ଲୀ: ଦେଶରେ କ୍ରମଶଃ କୋରୋନାଭାଇରସ୍ ସଂକ୍ରମଣ ହ୍ରାସ ପାଇ ଆସୁଥିବା ଦେଖି କେତେକ ରାଜ୍ୟ ଲକ୍ଡାଉନ୍ କୋହଳ କରୁଥିବା ବେଳେ ଅନ୍ୟ କେତେକ ରାଜ୍ୟ ଲକ୍ଡାଉନ୍ ବଢ଼ାଇଥିବା ଜଣାପଡ଼ିଛି। ଗତକାଲି ସୁଦ୍ଧା ଦେଶରେ ସକ୍ରିୟ ସଂକ୍ରମଣ ସଂଖ୍ୟା ୧୦,୨୬,୧୫୯ ଥିଲା ବୋଲଇ କେନ୍ଦ୍ର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଥିଲା।
ଦ୍ରୁତ ସଂକ୍ରମଣ ବେଗ ବୃଦ୍ଧି ଯୋଗୁଁ ଅଧିକାଂଶ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମେ ମାସରେ ଲକ୍ଡାଉନ୍ ଜାରି କରିଥିଲେ। ଏବେ ସଂକ୍ରମଣ ମାମଲା ଏବଂ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବାରୁ ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବା ଲାଗି ଉଦ୍ଦିଷ୍ଟ କଟକଣା ସବୁ କ୍ରମଶଃ କୋହଳ କରାଯାଉଛି।
ନୂଆଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ଜମ୍ମୁ ଓ କଶ୍ମୀର, ହରିୟାଣା, ଆସାମ, ମଧ୍ୟପ୍ରଦେଶ ଏବଂ ପଞ୍ଜାବରେ ଲକ୍ଡାଉନ୍ କିଛି ମାତ୍ରାରେ କୋହଳ କରାଯାଇଥିବା ବେଳେ ଗୋଆରେ କର୍ଫ୍ୟୁ ଜାରି କରାଯାଇଛି।
ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜିଠାରୁ ଆହୁରି କେତେକ କଟକଣା କୋହଳ କରାଯାଉଛି। ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଦୋକାନ ବଜାର ପାଇ ଘୋଷିତ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ହଟାଇ ଦେଇଥିବା ବେଳେ ୫୦% ଆସନ ସାମର୍ଥ୍ୟ ନେଇ ରେସ୍ତୋରାଁ ଖୋଲିବା, ବସ୍ ଓ ମେଟ୍ରୋ ଚଳାଚଳ କରିବା ଲାଗି ଅନୁମତି ଦେଇଛନ୍ତି। ସେହିଭଳି ଜାତୀୟ ରାଜଧାନୀରେ ଉପାସନାସ୍ଥଳୀ ସବୁ ଖୋଲିବାକୁ ଅନୁମତି ପାଇଥିଲେ ହେଁ ଦିଅଁ ଦର୍ଶନ ପାଇଁ ସାଧାରଣ ଜନତାଙ୍କ ଉପରେ କଟକଣା ଲାଗୁ କରାଯାଇଛି।
ତାମିଲନାଡୁରେ ଅନ୍ୟୂନ ୨୭ଟି ଜିଲ୍ଲାରେ କଟକଣା କୋହଳ କରାଯାଇଥିବା ବେଳେ ସଂକ୍ରମଣ ସଂଖ୍ୟା ଅଧିକ ଥିବା ୧୧ଟି ଜିଲ୍ଲାରେ କଠୋର କଟକଣା ଲାଗୁ କରାଯାଇଛି। କଟକଣା କୋହଳ ହୋଇଥିବା ଜିଲ୍ଲାମାନଙ୍କରେ ରେସ୍ତୋରାଁ, ବେକେରି, ଚା ଦୋକାନ ଓ ପ୍ରମୋଦ ଉଦ୍ୟାନ ଖୋଲିବା ଲାଗି ଅନୁମତି ମିଳିଛି। କିନ୍ତୁ , ଉପାସନାପୀଠ ଓ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିବ।
କର୍ଣ୍ଣାଟକରେ ମଧ୍ୟ ୧୧ଟି ଜିଲ୍ଲା ଛାଡ଼ି ବାକି ଜିଲ୍ଲାଗୁଡ଼ିକରୁ ଲକ୍ଡାଉନ୍ କଟକଣା କୋହଳ କରାଯାଇଛି। ପ୍ରମୋଦ ଉଦ୍ୟାନ ଏବଂ କାରଖାନା ଖୋଲିବା ଲାଗି ସ୍ବତନ୍ତ୍ର ‘ଏସ୍ଓପି’ ଜାରି କରାଯାଇଛି।
ଜମ୍ମୁ ଓ କଶ୍ମୀରର ୮ଟି ଜିଲ୍ଲା ଯଥା:- ଶୋପିଆଁ, କୁଲ୍ଗାମ୍, ଗନ୍ଦେରବଲ, ବନ୍ଦୀପଡ଼ା, ପୁଞ୍ଚ୍, ରିଆସି, ରମ୍ବନ ଏବଂ ଦୋଦାରେ କଟକଣା କୋହଳ କରାଯାଇଛି।
କିନ୍ତୁ, ହରିୟାଣାରେ ଜୁନ୍ ୨୧ ପର୍ଯ୍ୟନ୍ତ ଲକ୍ଡାଉନ୍ ପରିବର୍ଦ୍ଧନ କରାଯାଇଥିଲେ ବି ରାଜ୍ୟ ସର୍ତ୍ତମୂଳକ ଭାବେ ସରକାର ଯୁଗ୍ମ-ଅଯୁଗ୍ମ ଭିତ୍ତିରେ ଦୋକାନ, ଜିମ୍, କ୍ରୀଡ଼ା ପରିସର ଓ ଷ୍ଟାଡିୟମ୍ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି। ଯଦି କଟକଣା ଉଲ୍ଲଂଘନ କରାଯାଏ ଉପରୋକ୍ତ ପ୍ରତିଷ୍ଠାନଗୁଡ଼ିକୁ ପୁଣି ବନ୍ଦ କରିଦିଆଯିବ ବୋଲି ସରକାର ଚେତାଇ ଦେଇଛନ୍ତି।
ଆସାମରେ ଆଂଶିକ ଲକ୍ଡାଉନ୍ ଜାରି ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଯେଉଁ ସରକାରୀ କର୍ମଚାରୀମାନେ କୋଭିଡ୍ ଟିକା ନେଇଛନ୍ତି ଆଜି ଠାରୁ ସେମାନେ ନିଜ ନିଜର କାର୍ଯ୍ୟାଳୟରେ ସାର୍ଟିଫିକେଟ୍ ଦାଖଲ କରନ୍ତୁ ବୋଲି ନିର୍ଦେଶ ଦିଆଯାଇଛି।
ମଧ୍ୟପ୍ରଦେଶରେ ମଧ୍ୟ କିଛି ମାତ୍ରାରେ ଲକ୍ଡାଉନ୍ କଟକଣା କୋହଳ କରାଯାଇଛି। ରାଜ୍ୟରେ ବିବାହ ଅନୁଷ୍ଠାନରେ ୪୦ଜଣ ବ୍ୟକ୍ତି ଯୋଗ ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘୋଷଣା କରିଛନ୍ତି। ଜିମ୍ ଖୋଲାଯିବା ପ୍ରସଙ୍ଗ ବିଚାରାଧୀନ ରହିଛି।
ଗୋଆରେ କୋଭିଡ୍-୧୯ ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବା ଲାଗି ସରକାର ରବିବାର ଦିନ ଜୁନ୍ ୨୧ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ କର୍ଫ୍ୟୁ ଘୋଷଣା କରିଛନ୍ତି। ସଂପ୍ରତି ରାଜ୍ୟରେ ପଜିଟିଭିଟି ହାର ୧୪% ରହିଥିବା ସରକାରୀ ସୂତ୍ରରୁ ପ୍ରକାଶ।
ପଞ୍ଜାବରେ କୋହଳ କରାଯାଇଥିବା କଟକଣା ଅନୁସାରେ, ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରିବଟା ପାଇଁ ଅନୁମତି ଦିଆଯାଇଛି।
The post ଭାରତରେ କୋଭିଡ୍ ସଂକ୍ରମଣ ହ୍ରାସ ପାଉଥିବା ଦେଖି କେତେକ କଟକଣା ରାଜ୍ୟ କୋହଳ କରୁଥିବା ବେଳେ ଅନ୍ୟ କେତେକ ରାଜ୍ୟ ଲକ୍ଡାଉନ୍ ବଢ଼ାଇଛନ୍ତି first appeared on Sambad.from କରୋନା | Sambad https://ift.tt/2SnrJjz
0 Comments