ନୂଆଦିଲ୍ଲୀ: ମହାମାରୀର ତୃତୀୟ ପ୍ରବାହକୁ ଦୂରେଇ ରଖିବା ଲାଗି କୋଭିଡ୍-୧୯ ନିୟମ ପାଳନ ଏବଂ ଟିକାକରଣ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ପ୍ରଚାର ଉପରେ ଧ୍ୟାନ ନିବଦ୍ଧ କରିବା ଲାଗି ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି।

‌ତୃତୀୟ ପ୍ରବାହ କଥା ନ କହି କୋଭିଡ୍‌-୧୯ ନିୟମ, ମାସ୍କ୍‌, ସାମାଜିକ ଦୂରତ୍ବ ଏବଂ ଟିକାକରଣ ବିଷୟରେ ପ୍ରଚାର କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ମନ୍ତ୍ରୀ ପରିଷଦ୍‌ଙ୍କୁ କହିଛନ୍ତି। ବିରୋଧୀମାନେ ଯାହା କହୁଛନ୍ତି ସେଥିପ୍ରତି କମ୍ ଗୁରୁତ୍ବ ଦେଇ ସକାରତ୍ମକତା ବୃଦ୍ଧି କରାଇବା ଲାଗି ମଧ୍ୟ ସେ ମନ୍ତ୍ରୀମାନଙ୍କୁ କହିଛନ୍ତି।

ସ୍ଥଳବିଶେଷକୁ ଗସ୍ତ କରି ଟିକାକରଣ ଅଭିଯାନର ଗତିଶୀଳତା ବିଷୟରେ ସୁନିଶ୍ଚିତ ହେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ମନ୍ତ୍ରୀମାନଙ୍କୁ କହିଛନ୍ତି। ସେ କହିଛନ୍ତି ଯେ, ଟିକାକରଣ ଦିଗରେ ସମସ୍ତ ମନ୍ତ୍ରୀ ନିଜ ନିଜର ଉଦ୍ୟମ ଜାରି ରଖିବା ଉଚିତ। ଲୋକେ କି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଆପଣମାନେ ଧାଡ଼ିରେ ଠିଆ ହୋଇ ତାହା ଦେଖନ୍ତୁ।

Image Courtesy of The Hindu

ଏହା ବ୍ୟତିରେକେ, ଏହି ମନ୍ତ୍ରୀ ପରିଷଦ୍‌ ବୈଠକରେ ତିନୋଟି ମନ୍ତ୍ରାଳୟର କାର୍ଯ୍ୟାବଳୀ ସଂକ୍ରାନ୍ତରେ ଉପସ୍ଥାପନ କରାଯାଇଥିଲା। ସେଗୁଡ଼ିକ ହେଲା, ରାଜପଥ ଭିତ୍ତିଭୂମି, ଦୂରସଞ୍ଚାର ଏବଂ ବେସାମରିକ ବିମାନ ଚଳାଚଳ। ସମ୍ପୃକ୍ତ ମନ୍ତ୍ରାଳୟର ସଚିବମାନେ ସେଗୁଡ଼ିକୁ ଉପସ୍ଥାପନ କରିଥିଲେ।

ଯେଉଁ ପ୍ରକଳ୍ପ ସବୁର ଶିଳାନ୍ୟାସ ହୋଇଥିଲା ତାହା ଯେମିତି ସମ୍ପୂର୍ଣ୍ଣ ହୋଇ ସେମାନଙ୍କଦ୍ବାରା ଉଦ୍ଘାଟିତ ହେବ ସେ ବିଷୟରେ ସୁନିଶ୍ଚିତ ହେବାକୁ ପ୍ରଧାନମନ୍ତ୍ରୀ ମୋଦୀ ମନ୍ତ୍ରୀମାନଙ୍କୁ ଏହି ବୈଠକରେ ପରାମର୍ଶ ଦେଇଛନ୍ତି।

ଏହି ବୈଠକରେ ନୀତି ଆୟୋଗ (ସ୍ବାସ୍ଥ୍ୟ) ସଦସ୍ୟ ଡାକ୍ତର ଭି.କେ. ପଲ୍‌ ମଧ୍ୟ କୋଭିଡ୍‌-୧୯ ମହାମାରୀ ଉପରେ ଏକ ପ୍ରସ୍ତାବନା ଦେଇଥିଲେ।

The post ଲୋକଙ୍କ ସହ ଧାଡ଼ିରେ ଠିଆ ହୋଇ ଟିକାକରଣ ସଚେତନତା ପ୍ରଚାର କରନ୍ତୁ: କ୍ୟାବିନେଟ୍‌ ବୈଠକରେ ମନ୍ତ୍ରୀମାନଙ୍କୁ କହିଲେ ପ୍ରଧାନମନ୍ତ୍ରୀ first appeared on Sambad.

from କରୋନା | Sambad https://ift.tt/2TmPUyZ