କୋଭିଡ ଚିକିତ୍ସା ପାଇଁ ସମର୍ପିତ ସରକାରୀ କୋଭିଡ ହସ୍‌ପିଟାଲ, ସୁସ୍ଥ ହେଉଛନ୍ତି ରୋଗୀ

ରାଉରକେଲା: ‘‘ମତେ ପ୍ରଥମେ ଜ୍ୱର ହେଉଥିଲା। ପରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଲା। ରାଉରକେଲା କୋଭିଡ୍ ହେଲ୍ପଲାଇନକୁ ଫୋନ୍ କରି ଜଣାଇବା ପରେ ଆମ୍ବୁଲାନ୍ସ ଆସି ମତେ କୋଭିଡ୍ ହସ୍ପିଟାଲକୁ ନେଇ ଯାଇଥିଲା। ହସ୍ପିଟାଲର ଡାକ୍ତର, ନର୍ସମାନେ ମତେ ଭଲ ଚିକିତ୍ସା ସେବା ପ୍ରଦାନ କରିଥିଲେ। ଅକ୍ସିଜେନ୍ ସୁବିଧା ସହିତ ନିୟମିତ ଔଷଧ ମଧ୍ୟ ମିଳୁଥିଲା। ଫଳରେ କୋଭିଡରୁ ମୁଁ ସୁସ୍ଥ ହୋଇ ଘରକୁ ଫେରିଛି’’, କହିଛନ୍ତି ରାଉରକେଲା ଛେଣ୍ଡ୍ କଲୋନିର ଜ୍ୟୋତି ସିଂ।

କେବଳ ଜ୍ୟୋତି ନୁହନ୍ତି, ତାଙ୍କ ଭଳି ସୁନ୍ଦରଗଡ଼ ଜିଲ୍ଲାର ଅନେକ କୋଭିଡ୍ ରୋଗୀ ସରକାରୀ ହସ୍ପିଟାଲରେ ଚିକିତ୍ସା ସେବା ପାଇ ସୁସ୍ଥ ହେଉଛନ୍ତି। ଏଥିପାଇଁ ଜ୍ୟୋତି ଓ ତାଙ୍କ ପରିବାରବର୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ହସ୍ପିଟାଲର ଡାକ୍ତର, ନର୍ସଙ୍କ ସହ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କୋଭିଡରୁ ସୁରକ୍ଷିତ ରହିବା ପାଇଁ ନିୟମ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା, ଭଲଭାବେ ହାତ ଧୋଇବା ଲାଗି ଜ୍ୟୋତି ଏବଂ ତାଙ୍କ ସ୍ୱାମୀ ସନ୍ତୋଷ ସିଂ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

କୋଭିଡ୍ ସମ୍ପର୍କରେ ସୂଚନା ଓ ବିଭିନ୍ନ ସହାୟତା ପାଇବା ଲାଗି ଲୋକେ ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ ୧୮୦୦ ୩୪୫ ୭୪୬୧ ଏବଂ ରାଉରକେଲା କୋଭିଡ୍ ହେଲ୍ପଲାଇନ୍ ୧୮୦୦ ୩୪୫ ୭୪୬୮ ନମ୍ବରରେ କଲ୍ କରୁଛନ୍ତି। ଆମ୍ବୁଲାନ୍ସ, ଡାକ୍ତରୀ ପରାମର୍ଶ, ଅକ୍ସିଜେନ୍ ଏବଂ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହେବା ଭଳି ବିଭିନ୍ନ ଜରୁରୀ ଆବଶ୍ୟକତାକୁ ମେଣ୍ଟାଇବାକୁ ପ୍ରସ୍ତୁତ ରହିଛି ଏହି ଦୁଇଟି ୨୪ ଘଣ୍ଟିଆ ମାଗଣା ହେଲ୍ପଲାଇନ୍।

The post କୋଭିଡ ଚିକିତ୍ସା ପାଇଁ ସମର୍ପିତ ସରକାରୀ କୋଭିଡ ହସ୍‌ପିଟାଲ, ସୁସ୍ଥ ହେଉଛନ୍ତି ରୋଗୀ first appeared on Sambad.

from କରୋନା | Sambad https://ift.tt/3xaaqkL

Post a Comment

0 Comments