
ନୂଆଦିଲ୍ଲୀ: ଭାରତରେ ନିର୍ମିତ କୋଭିଡ୍ ଟିକା ‘କୋଭାକ୍ସିନ୍’ର ଉତ୍ପାଦନକାରୀ ‘ଭାରତ ବାୟୋଟେକ୍’ର ହାଇଦ୍ରାବାଦ କ୍ୟମ୍ପ୍ସ୍ର ନିରାପତ୍ତା ଭାର ଜୁନ୍ ୧୪ ତାରିଖରୁ ‘ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ’ ଗ୍ରହଣ କରିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।
ହାଇଦ୍ରାବାଦର ଶମୀରପେଟ ଅଞ୍ଚଳ ଅନ୍ତର୍ଗତ ‘ଜିନୋମ୍ ଉପତ୍ୟକା’ରେ ଅବସ୍ଥିତ କମ୍ପାନିର ପଞ୍ଜିକୃତ କାର୍ଯ୍ୟାଳୟ ଏବଂ କାରଖାନାରେ ୬୪ ସଦସ୍ୟବିଶିଷ୍ଟ ‘ସିଆଇଏସ୍ଏଫ୍’ ଟିମ୍ ପହରା ଦେବେ।
କିନ୍ତୁ, ଏଥିପାଇଁ ଆବଶ୍ୟକ ଖର୍ଚ୍ଚ ସରକାର କି, କମ୍ପାନି ଦେବେ ତାହା ଜଣାପଡ଼ିନାହିଁ।
ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଉପରୋକ୍ତ କାରଖାନାରେ ‘ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ’ ମୁତୟନ କରିବା ଲାଗି ନିକଟରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ ପ୍ରସ୍ତାବ ଅନୁମୋଦନ କରିବା ପରେ ‘ସିଆଇଏସ୍ଏଫ୍’ ସେଠାରେ ସର୍ବେକ୍ଷଣ ଶେଷ କରିଛି।
ଜଣେ ସରକାରୀ ଅଧିକାରୀ କହିଛନ୍ତି, ଦେଶର ଡାକ୍ତରୀ ଏବଂ ସ୍ବାସ୍ଥ୍ୟ ନିରାପତ୍ତା ସୁନିଶ୍ଚିତ କରାଇବାରେ ଏହି ସଂସ୍ଥାନ ଗୁରୁତ୍ବବହନ କରୁଥିବାରୁ କେତେକ ବିପଜ୍ଜନକ ତତ୍ତ୍ବଙ୍କ ଠାରୁ ଧମକ ଚମକ ପାଇବା ସ୍ବାଭାବିକ କଥା। ସେହି କାରଣରୁ ହାଇଦ୍ରାବାଦସ୍ଥିତ ‘ଭାରତ ବାୟୋଟେକ୍ କାରଖାନା’ର ନିରାପତ୍ତା ଭାର ଗ୍ରହଣ କରିବା ଲାଗି ‘ସିଆଇଏସ୍ଏଫ୍’କୁ ଦାୟିତ୍ବ ଦିଆଯାଇଛି।
ଜୁନ୍ ୧୪ ତାରିଖରୁ ସେ କାରଖାନାରେ ନିରାପତ୍ତା କର୍ମଚାରୀ ମୁତୟନ କରାଯିବେ ବୋଲି ‘ସିଆଏସ୍ଏଫ୍’ର ଡେପୁଟି ଇନ୍ସପେକ୍ଟର୍ ଜେନେରାଲ୍ ଏବଂ ମୁଖ୍ୟ ମୁଖପାତ୍ର ଅନୀଲ ପାଣ୍ଡେ ଗଣମାଧ୍ୟମକୁ କହିଛନ୍ତି।
The post ଜୁନ୍ ୧୪ରୁ ‘ଭାରତ ବାୟୋଟେକ୍’ର ହାଇଦ୍ରାବାଦ କ୍ୟାମ୍ପସ୍ରେ ପହରା ଦେବ ‘ସିଆଇଏସ୍ଏଫ୍’ first appeared on Sambad.from କରୋନା | Sambad https://ift.tt/3giVGZN
0 Comments