ଭଅଁରଖୋଲ ଗାଁର ଆଲୋକବର୍ତ୍ତିକା କରୋନା ଯୋଦ୍ଧା ଦିବ୍ୟାଙ୍ଗ ଦିଦି

ସୁନ୍ଦରଗଡ଼: ଜନ୍ମରୁ ଦିବ୍ୟାଙ୍ଗ। ଦୁଇ ପାଦ ଓ ହାତ ଭୂଇଁରେ ଲାଗିଲେ ତାଙ୍କ ପାଇଁ ଘୁଞ୍ଚିବା ସମ୍ଭବ ହୁଏ। ଏକ ପ୍ରକାର ଘୁଷୁରି ଘୁଷୁରି ଯିବାଆସିବା କରନ୍ତି। ଏହା ସତ୍ତ୍ବେ ସେ ଅବିଶ୍ବସନୀୟ ଭାବେ ସକ୍ଷମ। ଲଢ଼ୁଛନ୍ତି କରୋନା ଯୁଦ୍ଧ। ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ ଗୋଟିଏ ଗାଁ ଦେଢ଼ ଶହ ପରିବାରର ଢାଲ ସାଜିଛନ୍ତି। ଏମିତି ଘୁଷୁରି ଘୁଷୁରି କେବଳ ଯେ କରୋନା ସହ ଲଢ଼ୁଛନ୍ତି ତାହା ନୁହେଁ, ଗାଁର କୁନି ଶିଶୁମାନଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷା କଥା ମଧ୍ୟ ବୁଝୁଛନ୍ତି। ପିଲାଙ୍କ ପୁଷ୍ଟି ଠାରୁ ଆରମ୍ଭ କରି ଗର୍ଭବତୀ ଓ ପ୍ରସୂତିଙ୍କ ସୁରକ୍ଷା ଓ ଯତ୍ନ ତାଙ୍କ ହାତରେ। ସେ ହେଉଛନ୍ତି ଅଙ୍ଗନବାଡ଼ି ଦିଦି। ଲେଫ୍ରିପଡ଼ା ବ୍ଲକ ବଣପାହାଡ଼ ଘେରା ଗାଁ ଭଅଁରଖୋଲ ମିନି ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ମେରୀ ଜୟନ୍ତୀ ଟିଗା।

କରୋନା ଭଳି ମହାମାରୀ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଙ୍ଗନବାଡ଼ି ଦିଦିମାନେ ଘରେ ବସି ଜନସାଧାରଣଙ୍କୁ ଟେଲି ସେବା ଯୋଗାଇ ଦେଉଥିବା ବେଳେ ଜୟନ୍ତୀ କିନ୍ତୁ ସେବା ପାଇଁ ପଦାକୁ ବାହାରିବାକୁ ପସନ୍ଦ କରନ୍ତି। ତାଙ୍କ ମତରେ ଲୋକଙ୍କ ପାଖକୁ ଗଲେ ହିଁ ସେମାନଙ୍କ ଦୁଃଖ ବୁଝିହୁଏ, ପ୍ରକୃତରେ ସେମାନେ କ’ଣ ଲୋଡ଼ୁଛନ୍ତି, ତାହା ଜାଣିହୁଏ। ଆଉ ଏପରି ବିପଦ ବେଳାରେ ଔଷଧ, ଉପଚାର ସହ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ମନୋବଳ ବଢ଼ାଇବା ଜରୁରୀ ବୋଲି ସେ କହନ୍ତି। ୧୪ ବର୍ଷ ହେଲା ଅଙ୍ଗନବାଡ଼ିକର୍ମୀ ଭାବେ ସେବା ଦେଇ ଆସୁଥିବା ମେରୀ ଜୟନ୍ତୀ ଟିଗା ଭଅଁରପାଲ ଗାଁର ଏକ ଜଣାଶୁଣା ନାଁ। ପ୍ରତିଦିନ ମେରୀ ସକାଳୁ ପ୍ରସ୍ତୁତ ହୋଇ ବାହାରି ପଡ଼ନ୍ତି। ପ୍ରଥମେ କେନ୍ଦ୍ରକୁ ଯାଇ ଝାଡ଼ୁ ମାରିବା ପରେ ଅଙ୍ଗନବାଡ଼ି ଶିଶୁମାନଙ୍କୁ ଓଜନ କରି ଔଷଧ ଦିଅନ୍ତି।

ଏବେ କରୋନା ପାଇଁ କେନ୍ଦ୍ର ବନ୍ଦ ଥିବାରୁ ତାଙ୍କ କାର୍ଯ୍ୟଧାରା ବଦଳି ଯାଇଛି। ଏବେ ସେ ପିଲାଙ୍କ ଘରକୁ ଯାଇ ସେହି କାମ କରିବା ସହ କିଛି ସମୟ ପାଠ ପଢ଼ାଇ ଆସୁଛନ୍ତି। ଏହା ପରେ ଗର୍ଭବତୀ ଓ ପ୍ରସୂତିଙ୍କ ଘରକୁ ଯାଇ ଔଷଧ ଓ ଖାଦ୍ୟ ଦେଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥାନ୍ତି। ସେଠାରୁ ଫେରିବା ପରେ ଆରମ୍ଭ ହୋଇଯାଏ ଜୟନ୍ତୀଙ୍କ ମିଶନ କରୋନା। ଘରକୁ ଘର ଯାଇ ସାମାନ୍ୟ ଲକ୍ଷଣ ଥିବା ଲୋକଙ୍କ ଦେହ ତାପମାତ୍ରା ଓ ଅମ୍ଳଜାନ ସ୍ତର ମାପନ୍ତି। ସନ୍ଦେହ ଥିଲେ ପରୀକ୍ଷା ପାଇଁ ଡାକ୍ତରଖାନା ପଠାଇଥାନ୍ତି। ଏହା ଛଡ଼ା ପ୍ରବାସରୁ ଆସିଥିବା ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବା ସହ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଥାନ୍ତି। ତାଙ୍କ କାର୍ଯ୍ୟ କ୍ଷେତ୍ରଟି ପାହାଡ଼ିଆ ଅଞ୍ଚଳ ହୋଇଥିବା ବେଳେ ପାହାଡ଼ ଚଢ଼ିବା ତାଙ୍କ ପାଇଁ କଷ୍ଟକର ହୋଇଥାଏ। କିନ୍ତୁ ସେଥିରେ ସେ ହାରି ଯାଇ ନାହାନ୍ତି।

ପୂରା ଗାଁକୁ ସୁସ୍ଥ ରଖିବା ପାଇଁ ସେ ପାହାଡ଼ିଆ ରାସ୍ତାରେ ଧିରେ ଧିରେ ଚଢ଼ି ଲୋକଙ୍କ ଘରେ ପହଞ୍ଚି ଆବଶ୍ୟକ ସେବା ଯୋଗାଇ ଟିକା ନେବାକୁ ପ୍ରବର୍ତ୍ତାଇ ଆସୁଛନ୍ତି। ତାଙ୍କ ଅନବରତ ସେବା ଓ ପରାମର୍ଶରେ ଭଅଁରଖୋଲ ଗାଁକୁ କରୋନା ଛୁଇଁ ପାରି ନଥିବା କହନ୍ତି ଗ୍ରାମବାସୀ। ଗୋଡ଼, ହାତ ଚଳୁ ନଥିବା ଅନେକ ଦିବ୍ୟାଙ୍ଗ ଅନ୍ୟର ସାହାରା ଲୋଡ଼ୁଥିବା ଦେଖାଯାଏ। କିନ୍ତୁ ମେରୀ ଜୟନ୍ତୀ ଅନ୍ୟ ପାଇଁ ସାହାରା ପାଲଟିଛନ୍ତି। ନିଜ କଷ୍ଟପ୍ରଦ ଜୀବନ ମଧ୍ୟରେ ସେବା ପ୍ରତି ତାଙ୍କର ଏପରି ସମର୍ପଣ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।

The post ଭଅଁରଖୋଲ ଗାଁର ଆଲୋକବର୍ତ୍ତିକା କରୋନା ଯୋଦ୍ଧା ଦିବ୍ୟାଙ୍ଗ ଦିଦି first appeared on Sambad.

from କରୋନା | Sambad https://ift.tt/2Uez4CA

Post a Comment

0 Comments