ନୂଆଦିଲ୍ଲୀ: ଦେଶରେ ତୃତୀୟ ଲହର ଅବଶ୍ୟମ୍ଭାବୀ। ଲୋକେ କରୋନା ନିୟମାବଳିର ସଠିକ୍‌ ଭାବେ ପାଳନ ନକଲେ ଏବଂ ବେପରୁଆ ହେଲେ ପରବର୍ତ୍ତୀ ୬-୮ ସପ୍ତାହ ମଧ୍ୟରେ ଦେଶରେ ତୃତୀୟ ଲହର ଆସିଯିବ ବୋଲି ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ସଚେତନ କରାଇଛନ୍ତି। ଦେଶରେ ଅଧିକ ସଂଖ୍ୟକ ଲୋକଙ୍କର ଟିକାକରଣ ସରିବା ପର୍ଯ୍ୟନ୍ତ ପ୍ରତ୍ୟେକ ଲୋକ ମାସ୍କ ପିନ୍ଧିବା ସହ ସମସ୍ତ କୋଭିଡ୍‌ ନିୟମାବଳି ପାଳନ କରିବା ଉଚିତ। ଯଦି କରୋନା ନିୟମାବଳି ପାଳନ କରାନଯାଏ ତେବେ ୬ରୁ ୮ ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିଯିବ। ଦେଶର ସିଂହଭାଗ ଜନତାଙ୍କ ଟିକାକରଣ ହେବା ପର୍ଯ୍ୟନ୍ତ ଆମକୁ ଅତ୍ୟନ୍ତ ସତର୍କତାର ସହ ରହିବାକୁ ପଡ଼ିବ। ଆଉ ଏକ ଲହରର ମୁକାବିଲା ପାଇଁ ସଠିକ୍‌ ପଦକ୍ଷେପ ଗ୍ରହଣ କରିବାକୁ ହେବ । ଦେଶରେ ଟିକାକରଣ ପାଇଁ ଆକଳନ କରାଯାଇଥିବା ୯୫୦ ନିୟୁତ ଜନସଂଖ୍ୟା ମଧ୍ୟରୁ ମାତ୍ର ୫ ପ୍ରତିଶତ ଟିକା ନେଇଛନ୍ତି। ତେଣୁ କୋଟି କୋଟି‌ ଲୋକ ସଂକ୍ରମଣର ଶିକାର ହେବା ଆଶଙ୍କା ରହିଛି।

ଯେଉଁ ଅଞ୍ଚଳରେ ସଂକ୍ରମଣ ମାମଲା ବଢ଼ୁଛି ସେଠାରେ ସ୍ବତନ୍ତ୍ର ଭାବେ ଲକ୍‌ଡାଉନ୍‌ ହେବା ଉଚିତ୍‌। ଯେଉଁ ଅଞ୍ଚଳରେ ପଜିଟିଭ୍‌ ହାର ୫ ପ୍ରତିଶତରୁ ଅଧିକ ରହୁଛି ସେଠାରେ ଲକ୍‌ଡାଉନ୍‌ ଘୋଷଣା କରିବା ସହ ସମ୍ପୃକ୍ତ ଅଞ୍ଚଳକୁ ତୁରନ୍ତ ଅବରୋଧ କରିବା ଉଚିତ୍‌ ବୋଲି ଗୁଲେରିଆ କହିଛନ୍ତି। ତେବେ ଅନ୍ୟ ଏକ ଲହର ଆସିଲେ ଜାତୀୟ ସ୍ତରରେ ଲକ୍‌ଡାଉନ୍‌ କରିବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି। ଏହା ଅର୍ଥନୀତିକୁ ପ୍ରଭାବିତ କରିବ। ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବା ସଂକ୍ରାନ୍ତରେ ଗୁଲେରିଆ କହିଛନ୍ତି, ଏଯାବତ୍‌ ସେଭଳି କୌଣସି ପ୍ରମାଣ ମିଳିନାହିଁ।

The post ୬ରୁ ୮ସପ୍ତାହରେ ଆସିପାରେ ତୃତୀୟ ଲହର: ଗୁଲେରିଆ first appeared on Sambad.

from କରୋନା | Sambad https://ift.tt/3j7r1Sz