ନୂଆଦିଲ୍ଲୀ: ରୁଷୀୟ କୋଭିଡ୍‌-୧୯ ଟିକା ‘ସ୍ପୁଟ୍‌ନିକ୍‌ ଭି’ ଖୁବ୍‌ ଶୀଘ୍ର ବଜାରରେ ବିକ୍ରୟ ହେବ ବୋଲି ବୁଧବାର ଦିନ ‘ଡକ୍ଟର୍‌ ରେଡିସ୍‌ ଲାବ୍ରଟରିଜ୍‌’ କହିଛି।

ଭାରତରେ ଉପରୋକ୍ତ ଟିକା ଉତ୍ପାଦନ ନିମନ୍ତେ ‘ଦି ରଷିଆନ୍‌ ଡାଇରେକ୍ଟ୍‌ ଇନ୍‌ଭେଷ୍ଟ୍‌ମେଣ୍ଟ୍‌ ଫଣ୍ଡ୍‌’ ସହ ସମ୍ମିଳିତ ହୋଇଥିବା ‘ଡକ୍ଟର୍‌ ରେଡିଜ୍‌ ଲାବ୍ରଟରିଜ୍‌’ ଆହୁରି ମଧ୍ୟ ଘୋଷଣା କରିଛି ଯେ, ପ୍ରାରମ୍ଭରେ ‘ସ୍ପୁଟ୍‌ନିକ୍‌ ଭି’ କେବଳ ହାଇଦ୍ରାବାଦରେ ମିଳୁଥିଲା। ଏବେ ଆହୁରି ୯ଟି ଭାରତୀୟ ସହରରେ ଏହି ଟିକା ମିଳିବ।

ସୀମିତ ତଥା ପରୀକ୍ଷାମୂଳକ ଭାବେ ଭାରତରେ ସାମାନ୍ୟ ଆକାରରେ ଶୁଭାରମ୍ଭ କରାଯାଇଥିବା ‘ସ୍ପୁଟ୍‌ନିକ୍‌ ଭି’ ସମ୍ପ୍ରତି ବିଶାଖାପାଟଣା, ବେଙ୍ଗାଲୁରୁ, ମୁମ୍ବାଇ, କୋଲ୍‌କାତା, ଦିଲ୍ଲୀ, ବଡ୍ଡି, ଚେନ୍ନାଇ, ମିର୍ଯ୍ୟାଲାଗୁଡ଼ା ଏବଂ କୋହ୍ଲାପୁର ଭଳି ଅନ୍ୟାନ୍ୟ ଭାରତୀୟ ସହରରେ ମିଳିବ। ଅଳ୍ପ କିଛି ଦିନ ପରେ ଆହୁରି ଅନ୍ୟାନ୍ୟ ଭାରତୀୟ ସହରରେ ମଧ୍ୟ ଏହା ବିକ୍ରୟ କରାଯିବ ବୋଲି କମ୍ପାନି କହିଛି।

Image Courtesy of Reuters

କମ୍ପାନି ଆହୁରି ମଧ୍ୟ କହିଛି ଯେ, ବ୍ୟାବସାୟିକ ଶୁଭାରମ୍ଭ ପୂର୍ବରୁ ପରୀକ୍ଷାମୂଳକ ଭାବେ କରାଯାଇଥିବା ଶୁଭାରମ୍ଭ ପର୍ଯ୍ୟାୟରେ ଉପରୋକ୍ତ ସହରମାନଙ୍କରେ ବିଯୁକ୍ତ ୧୮ ଡିଗ୍ରି ତାପମାତ୍ରାରେ ଟିକାକୁ ସଂରକ୍ଷିତ ରଖିବା ବ୍ୟବସ୍ଥା, ‘କୋୱିନ୍‌ ଇଣ୍ଟିଗ୍ରେସନ୍‌’, ‘ଟ୍ରାକ୍‌-ଆଣ୍ଡ୍‌-ଟ୍ରେସ୍‌’ ଏବଂ ଅନ୍ୟାନ୍ୟ ପରିବହନ ଉପାୟ କରାଯାଇଛି।

ଏବେ ରୁଷୀୟ ଟିକା ନିମନ୍ତେ ‘କୋୱିନ୍‌’ ପ୍ଲାଟ୍‌ଫର୍ମରେ ପଞ୍ଜିକରଣ କରାଯିବାକୁ ଉଦ୍ୟମ ଚାଲିଥିବା ବେଳେ ଏହାକୁ ବଜାରରୁ ଖରିଦ କରିବା ଲାଗି ଲୋକମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ।

ଘରୋଇ ହସ୍ପିଟାଲ୍‌‌ରେ ‘ସ୍ପୁଟ୍‌ନିକ୍‌ ଭି’ର ଡୋଜ୍‌ପିଛା ମୂଲ୍ୟ ଟ. ୧,୪୧୦ ବୋଲି କେନ୍ଦ୍ର ସରକାର ଦର ଧାର୍ଯ୍ୟ କରିଛନ୍ତି। ‘ସ୍ପୁଟ୍‌ନିକ୍‌ ଭି’ର ଫଳପ୍ରଦତା ୯୪.୩% ବୋଲି ବାହାରିନ୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆୟୋଜନ କରିଥିବା ଟିକାକରଣ ଅଭିଯାନରୁ ଜଣାପଡ଼ିଥିବା କଥା ଜୁନ୍‌ ୧୦ ତାରିଖ ଦିନ ଭାରତ ସରକାର କହିଥିଲେ।

The post ଚୂଡ଼ାନ୍ତ ପର୍ଯ୍ୟାୟରେ ‘ସ୍ପୁଟ୍‌ନିକ୍‌ ଭି’ର ବ୍ୟାବସାୟିକ ଶୁଭାରମ୍ଭ; ଏବେ ଆଉ ୯ଟି ସହରରେ ମିଳିବ ଏହି ଟିକା: ଡକ୍ଟର୍‌ ରେଡିସ୍‌ first appeared on Sambad.

from କରୋନା | Sambad https://ift.tt/3iNDUkw