
ନୂଆଦିଲ୍ଲୀ: କୋଭିସିଲ୍ଡ ଟିକାର ଦୁଇଟି ମାତ୍ରା ମଧ୍ୟରେ ବ୍ୟବଧାନକୁ ହଠାତ୍ ବଢ଼ାଯିବନି ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ତେବେ ଏ ସଂକ୍ରାନ୍ତ ନିଷ୍ପତ୍ତିର ପୁନର୍ବିଚାର ପାଇଁ ବିଜ୍ଞାନସମ୍ମତ ପ୍ରମାଣ ସଂଗ୍ରହ କରାଯାଉଛି ଏବଂ ନାସନାଲ୍ ଏକ୍ସପର୍ଟ ଗ୍ରୁପ୍ ଅନ୍ ଭାକ୍ସିନ୍ ଆଡ୍ମିନିଷ୍ଟ୍ରେସନ୍(ନେଜ୍ଭାକ୍)ର ପରବର୍ତ୍ତୀ ବୈଠକରେ ଏ ବିଷୟରେ ବିଶଦ ଆଲୋଚନା ହେବ ବୋଲି କୁହାଯାଇଛି। ଡେଲ୍ଟା ପ୍ରଜାତି ରୂପାନ୍ତରିତ ଭୂତାଣୁର ସକ୍ରିୟତା ପରିପ୍ରେକ୍ଷୀରେ ଦୁଇଟି ଟିକା ମଧ୍ୟରେ ଅବଧି କମାଇଲେ କୁଆଡ଼େ କୋଭିଡ୍ ଟିକା ବେଶୀ ଫଳପ୍ରଦ ହେବ ବୋଲି କିଛି ସର୍ବେକ୍ଷଣ ଦାବି କରିବା ପରେ ସରକାରଙ୍କ ଏଭଳି ଆଭିମୁଖ୍ୟ ଗୁରୁତ୍ବ ବହନ କରୁଛି। କୋଭିସିଲ୍ଡ ଟିକାର ଦୁଇଟି ମାତ୍ରା ମଧ୍ୟରେ ଅବଧି ପୂର୍ବରୁ ୬ରୁ ୮ ସପ୍ତାହ ଥିଲା ବେଳେ ନେଜ୍ଭାକ୍ର ପରାମର୍ଶ ଅନୁସାରେ ତାହାକୁ ୧୨ରୁ ୧୬ ସପ୍ତାହ(୮୪ ଦିନ) କରାଯାଇଛି। ତେବେ ଏଭଳି ସମୟ ବ୍ୟବଧାନ ବୃଦ୍ଧି ପାଇଁ କେହି ବିବ୍ରତ ନହେବାକୁ ସରକାର ଭରସା ଦେବା ସହ ତରବର ଭାବେ କୌଣସି ନିଷ୍ପତ୍ତି ନିଆଯାଉନି ବୋଲି ଶୁକ୍ରବାର ସ୍ପଷ୍ଟ କରିଛନ୍ତି।
ଏ ସଂକ୍ରାନ୍ତ ସମସ୍ତ ନିଷ୍ପତ୍ତି ଅତି ସତର୍କତାର ସହ ଗ୍ରହଣ କରାଯାଉଛି। ଟିକାର ଦୁଇଟି ମାତ୍ରା ମଧ୍ୟରେ ଅବଧି ବଢ଼ାଇବା ପୂର୍ବରୁ ଆମକୁ କେବଳ ଗୋଟିଏ ମାତ୍ରା ଟିକା ନେଇଥିବା ହିତାଧିକାରୀ ପ୍ରତି କୌଣସି ବିପଦର ଆଶଙ୍କା ରହିଛି କି ନାହିଁ ତାହା ଆକଳନ କରିବାକୁ ହେବ ବୋଲି ନୀତି ଆୟୋଗର ସ୍ବାସ୍ଥ୍ୟ ସଦସ୍ୟ ଡା. ଭି କେ ପାଲ୍ କହିଛନ୍ତି। ଅପରପକ୍ଷେ, ଏପରି ଅବଧି ବଢ଼ାଇବା ଦ୍ବାରା ଅଧିକରୁ ଅଧିକ ଲୋକ ସେମାନଙ୍କର ପ୍ରଥମ ମାତ୍ରା ନେଇପାରିବେ, ଯଦ୍ଦ୍ବାରା ଅଧିକ ଲୋକ ରୋଗପ୍ରତିରୋଧକତା ହାସଲ କରିପାରିବେ ବୋଲି ମଧ୍ୟ ସେ ଆଶାବାଦୀ ଥିବା କହିଛନ୍ତି। ତେବେ ଆମ ଦେଶରେ ମହାମାରୀର ସ୍ଥିତିକୁ ପର୍ଯ୍ୟାଲୋଚନା କରି ନାସନାଲ୍ ଟେକ୍ନିକାଲ୍ ଆଡ୍ଭାଇଜରି ଗ୍ରୁପ୍ ଅନ୍ ଇମ୍ୟୁନାଇଜେସନ୍(ଣ୍ଟାଗି) ହିଁ ଏ ଦିଗରେ ଆମକୁ ସମୟୋଚିତ ପରାମର୍ଶ କରିବ ଏବଂ ଆମକୁ ତାହା ମାନିବାକୁ ହେବ ବୋଲି ଡା. ପାଲ କହିଛନ୍ତି।
The post ଟିକା ଅବଧି ବୃଦ୍ଧି ନେଇ ସର୍ବାଧିକ ସତର୍କତା ଗ୍ରହଣ କରାଯାଉଛି: କେନ୍ଦ୍ର ସରକାର first appeared on Sambad.from କରୋନା | Sambad https://ift.tt/3zqVb94
0 Comments