ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦୀ କୋଭିଡ୍‌-୧୯ ପରିସ୍ଥିତିରେ ପ୍ରତ୍ୟକ୍ଷ ସ୍ବାସ୍ଥ୍ୟକର୍ମୀଙ୍କ ନିମନ୍ତେ ପ୍ରସ୍ତୁତ ଏକ ‘କ୍ରାସ୍-କୋର୍ସ ପ୍ରୋଗ୍ରାମ୍‌’ର ଶୁଭାରମ୍ଭ କରିଛନ୍ତି। ସମଗ୍ର ଦେଶରେ ଏକ ଲକ୍ଷ ‘କୋଭିଡ୍‌ ଯୋଦ୍ଧା’ଙ୍କୁ କୁଶଳୀ ଓ ଅଧିକ କୁଶଳୀ କରିବା ହେଉଛି ଏହି ପାଠ୍ୟକ୍ରମର ଉଦ୍ଦେଶ୍ୟ।

‘ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌’ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସମଗ୍ର ଦେଶରେ ଏକ ଲକ୍ଷ ପ୍ରତ୍ୟକ୍ଷ ସ୍ବାସ୍ଥ୍ୟକର୍ମୀ ପ୍ରସ୍ତୁତି କରିବା ଲାଗି ଆମେ ଉଦ୍ୟମ କରୁଛୁ।

ଦେଶ ପାଇଁ ସମସ୍ୟା ସାଜିଥିବା କ୍ରମାଗତ ଗୁଣସୂତ୍ର-କ୍ରମ ପରିବର୍ତ୍ତନକାରୀ କରୋନାଭାଇରସ୍‌ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, କୋଭିଡ୍‌-୧୯ ମହାମାରୀରର ଦ୍ବିତୀୟ ପ୍ରବାହରେ ଆମେ ଦେଖିଲେ ଯେ, ଗୁଣସୂତ୍ର-କ୍ରମ ପରିବର୍ତ୍ତନକାରୀ କରୋନାଭାଇରସ୍‌ ସମସ୍ୟା ସୃଷ୍ଟି କରୁଛି। ଏବେ ମଧ୍ୟ ଭୂତାଣୁ ରହିଛି ଏବଂ ସେ ଆହୁରି ଗୁଣସୂତ୍ର-କ୍ରମ ପରିବର୍ତ୍ତନ କରିବାର ସମ୍ଭାବନା ବି ରହିଛି। ତେଣୁ, ଏହି ଭୂତାଣୁକୁ ମୁକାବିଲା କରିବା ଲାଗି ଦେଶ ଉନ୍ନୀତ ପ୍ରସ୍ତୁତି ଆବଶ୍ୟକ କରୁଛି। ଏହି ଉଦ୍ଦେଶ୍ୟ ନେଇ ଆଜିଠାରୁ ଏକ ଲକ୍ଷ ପ୍ରତ୍ୟକ୍ଷ ସ୍ବାସ୍ଥ୍ୟକର୍ମୀ ତାଲିମ କରିବା ନିମନ୍ତେ ଭାରତ ଗୋଟାଏ ବଡ଼ଧରଣର କାର୍ଯ୍ୟକ୍ରମ ଆରମ୍ଭ କରୁଛି।

ଘରୋଇ ସେବାଯତ୍ନ ସହାୟତା, ମୌଳିକ ସେବାଯତ୍ନ ସହାୟତା, ଉନ୍ନୀତ ସେବାଯତ୍ନ ସହାୟତା, ଜରୁରୀ ସେବାଯତ୍ନ ସହାୟତା, ନୁମନା ସଂଗ୍ରହ ସହାୟତା ଏବଂ ଡାକ୍ତରୀ ଉପକରଣ ସହାୟତା ଆଦି ଛଅଟି ନିର୍ଦ୍ଧାରିତ କାର୍ଯ୍ୟରେ ଭୂମିକା ନିର୍ବାହ ନିମନ୍ତେ ସେମାନଙ୍କୁ ତାଲିମ ଦିଆଯିବ। ‘ପ୍ରଧାନମନ୍ତ୍ରୀ କ‌ୌଶଳ ବିକାଶ ଯୋଜନା’ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ନିମନ୍ତେ ୨୭୬ କୋଟି ଟଙ୍କା ବ୍ୟୟ ବରାଦ ‌ହୋଇଥିବା କଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି।

The post ୧ ଲକ୍ଷ କୋଭିଡ୍-୧୯ ପ୍ରତ୍ୟକ୍ଷ ସ୍ବାସ୍ଥ୍ୟକର୍ମୀଙ୍କୁ ତାଲିମ ଦେବା ଲାଗି ‘କ୍ରାସ୍‌-କୋର୍ସ ପ୍ରୋଗ୍ରାମ୍‌’ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ first appeared on Sambad.

from କରୋନା | Sambad https://ift.tt/3wC7Jsf