
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ସମରଝୋଳ ଗ୍ରାମର ଘଟଣା: କୋଭିଡ୍ ଭୟରେ ଜଣେ ପାରାଦ୍ବୀପ ଫେରନ୍ତା ଯୁବକଙ୍କ ଶବକୁ ସଂପର୍କୀୟ ଓ ଗ୍ରାମବାସୀ ମାନେ ଛୁଇଁ ନଥିଲେ। ଦୀର୍ଘ ୧୦ ଘଣ୍ଟା କାଳ ଶବ ପଡ଼ି ରହିବା ପରେ ବିଡିଓ, ପୌର ନିର୍ବାହୀ ଅଧିକାରୀ ଓ ତହସିଲଦାର ଏବଂ କିଛି ସ୍ବେଚ୍ଛାସେବୀ ପହଞ୍ଚି ପିପିଇ କିଟ୍ ପିନ୍ଧି ଶବକୁ ଘର ଭିତରୁ ଆଣିବା ସହ ଶ୍ମଶାନରେ ସଂସ୍କାର କରିଥିଲେ।
ଏହି ଗ୍ରାମର ମୂଳବାସିନ୍ଦା ଡି.ଗୋବିନ୍ଦା (୪୨) ଦୁଇ ଦିନ ତଳେ ପାରାଦୀପରୁ ଫେରିଥିଲେ। ଜ୍ବରରେ ଆକ୍ରାନ୍ତ ଥିବାରୁ ଗାଁରେ ରହୁଥିବା ଭଡ଼ାଘରର ଉପର ମହଲାରେ ସେ ଏକାନ୍ତବାସରେ ରହୁଥିଲେ। ତଳ ମହଲାରେ ୩ ଝିଅ, ପତ୍ନୀ, ବୃଦ୍ଧ ବାପା ଓ ପିଉସୀ ଥିଲେ। ବିଳମ୍ବିତ ରାତି ପ୍ରାୟ ୨ଟାରେ ଗୋବିନ୍ଦାଙ୍କ ଅବସ୍ଥା ହଠାତ୍ ଗୁରୁତର ହୋଇଥିଲା। ଘର ଭିତରେ ହିଁ ସେ ଟଳି ପଡ଼ିଥିଲେ। ହେଲେ କୋଭିଡ୍ ଭୟରେ ବାପା, ପିଉସୀଙ୍କ ସମେତ ଗ୍ରାମବାସୀ ଓ ସାହି ପଡ଼ିଶା କେହିବି ଶବକୁ ଛୁଇଁ ନଥିଲେ। ୧୦ ଘଣ୍ଟା କାଳ ଶବ ସେମିତି ଘରେ ପଡ଼ି ରହିଥିଲା।
ଶେଷରେ ପରିବାର ନିକଟରେ ଆଜି ଅପରାହ୍ଣରେ ଦେବଦୂତ ଭଳି ପହଞ୍ଚିଥିଲେ ପ୍ରାଶାସନିକ ଅଧିକାରୀ। ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନା, ପୌର ନିର୍ବାହୀ ଅଧିକାରୀ ଡ.ମନୋରଞ୍ଜନ ସାହୁ, ହିଞ୍ଜିଳିକାଟୁ ଅଗ୍ନିଶମ ଅଧିକାରୀ ଗୌତମ ସାହୁ, ବଡ଼ଖଣ୍ଡି ଜିଆରଏସ୍ ମାନସ ସାହୁ ଓ ସ୍ୱେଚ୍ଛାସେବୀ ଏନ୍.ଜୟନ୍ତ, ବାବୁ ଗୌଡ଼ ପିପିଇ କିଟ୍ ପିନ୍ଧି ଗୋବିନ୍ଦାଙ୍କ ଶବକୁ ଘର ତଳକୁ ଓହ୍ଲାଇଥିଲେ। ସମରଝୋଳ ଶ୍ମଶାନକୁ ନେଇ ସମ୍ମାନର ସହ ସଂସ୍କାର କରାଇଥିଲେ।
୩ ପ୍ରାଶାସନିକ ଅଧିକାରୀ, ଜିଆର୍ଏସ୍ ଓ ସ୍ବେଚ୍ଛାସେବୀଙ୍କ ଏଭଳି ମହନୀୟତାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍ କରି ପ୍ରଶଂସା କରିଛନ୍ତି। ସାଂପ୍ରତିକ ପରିସ୍ଥିତିରେ ଏହା ସମାଜ ପାଇଁ ଉତ୍ତମ ବାର୍ତ୍ତା ଓ ଅନ୍ୟ ମାନଙ୍କ ପାଇଁ ଉଦାହରଣ ବୋଲି ମତପ୍ରକାଶ ପାଇଛି।
The post କରୋନା କାରୁଣ୍ୟ : କରୋନା ଭୟରେ ବାପାଙ୍କ ସମେତ କେହିବି ଛୁଇଁଲେନି, ୧୦ ଘଣ୍ଟା ପଡ଼ି ରହିଲା ଶବ first appeared on Sambad.from କରୋନା | Sambad https://ift.tt/3gWKbte
0 Comments