
ନୂଆଦିଲ୍ଲୀ: ଏଲୋପାଥିକୁ ‘ନିର୍ବୋଧ ବିଜ୍ଞାନ’ ଏବଂ ଏଲୋପାଥି ଔଷଧ ଖାଇ ବହୁସଂଖ୍ୟକ କୋଭିଡ୍-୧୯ ରୋଗୀ ପ୍ରାଣ ହରାଇଛନ୍ତି ବୋଲି କହିଥିବା ଯୋଗ ଗୁରୁ ରାମଦେବଙ୍କ ବିରୋଧରେ କେନ୍ଦ୍ର ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶନିବାର ଦିନ ‘ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍’ (ଆଇଏମ୍ଏ) ଦାବି କରିଛି।
‘ଆଇଏମ୍ଏ’ କହିଛି ଯେ, ତାଙ୍କର ଏଭଳି ‘ଅଶିକ୍ଷିତ’ ମନ୍ତବ୍ୟ ଜନତାଙ୍କୁ ବିଭ୍ରାନ୍ତ କରିପାରେ। ଅନ୍ୟ ପକ୍ଷରେ ରାମଦେବଙ୍କ ସଂସ୍ଥାପିତ ହରିଦ୍ବାରର ‘ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ୍’ କହିଛି ଯେ, ଉପରୋକ୍ତ ମନ୍ତବ୍ୟଗୁଡ଼ିକର ‘ତ୍ରୁଟିପୂର୍ଣ୍ଣ ଉପସ୍ଥାପନା’ କରାଯାଇଛି।
‘ଆଇଏମ୍ଏ’ କହିବା ଅନୁସାରେ, ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଚାଲିଥିବା ଗୋଟାଏ ଭିଡିଓରେ ରାମଦେବ ଆଧୁନିକ ଔଷଧକୁ ‘ନିର୍ବୋଧ ବିଜ୍ଞାନ’ କହୁଛନ୍ତି। ‘ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ’ ଅନୁମୋଦନ କରିଥିବା ‘ରେମ୍ଡେସିଭିୟର୍’ ଏବଂ ‘ଫେବିଫ୍ଲୁ’ ଭାରତରେ କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ବିଫଳ ହେବା ସହ ଅନେକ ଲୋକଙ୍କ ମୃତ୍ୟୁର କାରଣ ହୋଇଛି ବୋଲି ମଧ୍ୟ ସେ ଏଥିରେ କହିଛନ୍ତି।
ଏକ ବିବୃତିରେ ‘ଆଇଏମ୍ଏ’ କହିଛି ଯେ, ଏଭଳି ‘ଅଶିକ୍ଷିତ’ ମନ୍ତବ୍ୟ ଦେଇଥିବାରୁ ‘ଏପିଡେମିକ୍ ଡିଜିଜ୍ ଆକ୍ଟ୍’ରେ ଯୋଗ ଗୁରୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।
‘ଆଇଏମ୍ଏ’ ଆହୁରି ମଧ୍ୟ ଦାବି କରିଛି ଯେ, ନିଜର ବେଆଇନ ଏବଂ ଅଣସ୍ବୀକୃତ ତଥାକଥିତ ଔଷଧ ବିକ୍ରୟ କରି ଜନତାଙ୍କ ଜୀବନ ବିନିମୟରେ ଅର୍ଥ ଉପାର୍ଜନ କରିବା ଲାଗି ରାମଦେବ ସେମାନଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି। ତାଙ୍କ ବିରୋଧରେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଆପଣାଛାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସର୍ବସାଧାରଣଙ୍କ ନିକଟରେ ସତ୍ୟ ଉପସ୍ଥାପନ ପାଇଁ ଆମେ ସଂଗ୍ରାମ କରିବା ଲାଗି ଅନ୍ୟ ଗଣତାନ୍ତ୍ରିକ ଉପାୟ ଅବଲମ୍ବନ କରିବୁ।
ଏଥିସହ, ଲିଖିତ ଆକାରରେ କ୍ଷମାପ୍ରାର୍ଥନା କରି ଦେଇଥିବା ବିବୃତିକୁ ପ୍ରତ୍ୟାହାର କରିବା ଲାଗି ‘ଆଇଏମ୍ଏ’ ରାମଦେବଙ୍କ ପାଖକୁ ‘ଲିଗାଲ୍ ନୋଟିସ୍’ ମଧ୍ୟ ପଠାଇଛି।
The post ଏଲୋପାଥିକୁ ‘ନିର୍ବୋଧ ବିଜ୍ଞାନ’ କହି ଡାକ୍ତରମାନଙ୍କ ରୋଷର ସରବ୍ୟ ହେଲେ ରାମଦେବ; ଆଇନଗତ କାର୍ଯ୍ୟନୁଷ୍ଠାନ ଦାବି କଲା ‘ଆଇଏମ୍ଏ’ first appeared on Sambad.from କରୋନା | Sambad https://ift.tt/3vjqgJm
0 Comments