ଭୁବନେଶ୍ବର :  ଏବେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲେ ହେଁ ବହୁ ଲୋକ ଲକ୍ଷଣ ସତ୍ତ୍ବେ ପରୀକ୍ଷା କରୁନାହାନ୍ତି। ଏପରିକି ଥଣ୍ଡା, କାଶ, ଜ୍ବର ଥିବା ଲୋକ ବାହାରେ ବୁଲାବୁଲି କରୁଛନ୍ତି। ବିଳମ୍ବରେ କୋଭିଡ୍‌ ପରୀକ୍ଷା କରୁଛନ୍ତି। ରିପୋର୍ଟ ପଜିଟିଭ୍ ଜଣାପଡ଼ିଲା ବେଳକୁ ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ହୋଇଯାଉଛି। ଫଳରେ ଅପ୍ରୀତିକର ପରିସ୍ଥିତି ଉପୁଜୁଛି। ତେଣୁ ଯେଉଁମାନଙ୍କର କୌଣସି କରୋନା ଜନିତ ଲକ୍ଷଣ ଦେଖାଯାଉଛି, ସେମାନେ ତୁରନ୍ତ କୋଭିଡ୍‌ ପରୀକ୍ଷା କରାଇ ନିଅନ୍ତୁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ମାଗଣାରେ କୋଭିଡ୍‌ ପରୀକ୍ଷା ସୁବିଧା ଉପଲବ୍ଧ ହେଉଛି, ସମସ୍ତେ ଏହାର ସଦୁପଯୋଗ କରନ୍ତୁ।

ବୁଲୁଛନ୍ତି ୨୦୦୦ ସଚେତକ, ୬୭ ଆର୍‌ଆର୍‌ଟି
ରାଜଧାନୀରେ ବହୁ ଲୋକ କରୋନା ଜନିତ କଟକଣା, ନିୟମାବଳି ମାନୁଥିଲେ ହେଁ କିଛି ଅମାନିଆ ମାନୁନାହାନ୍ତି। ଯେଉଁଥିପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ବହୁ ଲୋକ କରୋନା କଟକଣା ନେଇ ସଚେତନ ହେଉନାହାନ୍ତି। ତେଣୁ ବିଏମ୍‌ସି ପକ୍ଷରୁ ବିଭିନ୍ନ ୱାର୍ଡରେ ୨ହଜାର କୋଭିଡ୍‌ ସଚେତକଙ୍କୁ ନିୟୋଜିତ କରାଯାଇଛି। ସେମାନେ ପ୍ରତି ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବେ। ଆବଶ୍ୟକ ପରାମର୍ଶ ଦେବେ। ସେହିପରି ୪୫ବର୍ଷରୁ ଊର୍ଦ୍ଧ୍ବ ଯେଉଁମାନେ ଏକାଧିକ ରୋଗରେ ଆକ୍ରାନ୍ତ ଅଛନ୍ତି, ସେମାନଙ୍କୁ ରେଡ୍‌ ଫ୍ଲାଗ୍ ଗ୍ରୁପ୍‌‌ରେ ରଖାଯାଇଛି। ସେମାନଙ୍କ ସହ ଆର୍‌ଆର୍‌ଟି ଟିମ୍ ସଂଯୋଗରେ ଅଛନ୍ତି। ସେମାନଙ୍କୁ ଭିଡିଓ କ‌ଲ୍‌ ମାଧ୍ୟମରେ ବିଭିନ୍ନ ପରାମର୍ଶ ଦେବା ସହ ବିଭିନ୍ନ ଔଷଧ ଖାଇବାକୁ ନିୟମିତ ପରାମର୍ଶ ଦିଆଯାଉଛି। ଆକ୍ରାନ୍ତଙ୍କର କୌଣସି ଅସୁବିଧା ହେଲେ ତୁରନ୍ତ ଆର୍‌ଆର୍‌ଟିକୁ ଫୋନ୍‌ କରିବାକୁ ଟିମ୍‌ ସଦସ୍ୟଙ୍କ ନମ୍ବର ଦିଆଯାଇଛି। ଭୁବନେଶ୍ବର ସ୍ଥିତି ଯେପରି ନିୟନ୍ତ୍ରଣରେ ରହିବ, ଏକାଧିକ ଆକ୍ରାନ୍ତ ଚିହ୍ନଟ ହେବେନି, ସେ ଦିଗରେ ଆମେ ପଦକ୍ଷେପ ନେଉଛୁ ବୋଲି ବିଏମ୍‌ସି କମିସନର୍‌ ଶ୍ରୀ ଚୌଧରୀ କହିଛନ୍ତି।

The post ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କର first appeared on Sambad.

from କରୋନା | Sambad https://ift.tt/3eMZL83