
ୱାସିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକାର ପ୍ରବୀଣ ସଂକ୍ରାମକ ରୋଗ ବିଶେଷଜ୍ଞ ତଥା ବାଇଡେନ୍ ପ୍ରଶାସନର ସର୍ବୋଚ୍ଚ ଡାକ୍ତରୀ ପରାମର୍ଶଦାତା ଡାକ୍ତର ଆନ୍ଥୋନି ଫାଉଚି ‘ଲ୍ୟାବ୍ ଲିକ୍ ଥିଓରି’କୁ (ଚୀନ୍ ପରୀକ୍ଷାଗାରରୁ ଭୂତାଣୁ ବାହାରି ଥିବା କଳ୍ପନା) ତେଜିୟାନ୍ କରିବା ସହ କହିଛନ୍ତି ଯେ, ସମଗ୍ର ବିଶ୍ବ କୋଭିଡ୍-୧୯ ମହାମାରୀର ଉତ୍ପତ୍ତି ସଂକ୍ରାନ୍ତ ତଦନ୍ତ ଚାଲୁ ରଖିବା ଉଚିତ।
ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ଆନ୍ଥୋନି ଫାଉଚି କହିଛନ୍ତି, ଆମର ଦୃଢ଼ ମତ ଯେ, ଆମେ ତଦନ୍ତ ଚାଲୁ ରଖିବା ସହ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କରିଥିବା ତଦନ୍ତର ଦ୍ବିତୀୟ ପର୍ଯ୍ୟାୟକୁ ଯିବା ଉଚିତ। କାରଣ ଏହି ଭୂତାଣୁର ଉତ୍ପତ୍ତି ସଂକ୍ରାନ୍ତରେ ଆମେ ସମ୍ପୂର୍ଣ୍ଣ ତଥ୍ୟ ଜାଣି ନାହୁଁ। ତେଣୁ ଆମେ ଅନୁସନ୍ଧାନ କରି ତଦନ୍ତ କରିବା ଜରୁରୀ।
ହ୍ବାଇଟ୍ ହାଉସ୍ର ଅନ୍ୟତମ ବରିଷ୍ଠ କରୋନାଭାଇରସ୍ ଉପଦେଷ୍ଟା ଆଣ୍ଡି ସ୍ଲାଭିଟ୍ କହିଛନ୍ତି, ବିଶ୍ବ କୋଭିଡ୍-୧୯ ମହାମାରୀ ଉତ୍ପତ୍ତିର ମୂଳ ଅନ୍ବେଷଣ କରିବା ଆବଶ୍ୟକ। ଏହାର ନିର୍ଦ୍ଦିଷ୍ଟ ଉତ୍ତର ପାଇବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏବଂ ଚୀନ୍ ଅଧିକ ଅନୁସନ୍ଧାନ କରିବା ଆବଶ୍ୟକ।
ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ରିପୋର୍ଟ ଆଧାରରେ ରବିବାର ଦିନ ‘ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ ରିପୋର୍ଟ କରିଥିଲା ଯେ, ୨୦୧୯ ନଭେମ୍ବର ପ୍ରାରମ୍ଭରେ ‘ଉହାନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି’ର ତିନିଜଣ ଗବେଷକଙ୍କ ଠାରେ ଉଭୟ କୋଭିଡ୍-୧୯ ଏବଂ ଋତୁ ପରିବର୍ତ୍ତନକାଳୀନ ଅସୁସ୍ଥତା ଲକ୍ଷଣ ଦେଖା ଦେଇଥିଲା।
ଉପରୋକ୍ତ ରିପୋର୍ଟ ପ୍ରସଙ୍ଗରେ ପଚରାଯିବାରୁ ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଚାଓ ଲିଜିଆନ୍ କହିଲେ ଯେ, ଏହି ରିପୋର୍ଟ ‘ନିରୋଳା ମିଥ୍ୟା’। ଲ୍ୟାବ୍ର ବିବୃତି ଅନୁସାରେ, ୨୦୧୯ ଡିସେମ୍ବର ୩୦ ପୂର୍ବରୁ ଲ୍ୟାବ୍ କୋଭିଡ୍-୧୯ ସଂସ୍ପର୍ଶରେ ଆସି ନ ଥିଲା। ଏପର୍ଯ୍ୟନ୍ତ ମଧ୍ୟ ଲ୍ୟାବ୍ର କର୍ମଚାରୀ ଏବଂ ସ୍ନାତକ ବିଦ୍ୟାର୍ଥୀମାନେ ‘ସଂକ୍ରମଣ ଶୂନ୍ୟ’ ଥିବା ରେକର୍ଡ ରହିଛି। କିନ୍ତୁ, ଅଧ୍ୟୟନ ନିମନ୍ତେ କରୋନାଭାଇରସ୍କୁ ‘ଲ୍ୟାବ୍’କୁ ନିଆଯାଇଥିଲା।
ଏହି ମାରାତ୍ମକ ଭୂତାଣୁ ଚୀନ୍ ପରୀକ୍ଷାଗାରରୁ ବ୍ୟାପିଛି ବୋଲି ଉପୁଜିଥିବା ‘ସନ୍ଦେହ’କୁ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ପ୍ରଶାସନ ଚାରିଆେଡ଼େ ପ୍ରଘଟ କରାଇଥିଲା।
ମାତ୍ର, ଉହାନ୍ରେ ୪ ସପ୍ତାହ ଅତିବାହିତ କରିବା ପରେ ମାର୍ଚ ମାସରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଏବଂ ‘ଚୀନ୍ ବିଶେଷଜ୍ଞମାନେ’ କରିଥିବା ମିଳିତ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ, ଉପରୋକ୍ତ ସନ୍ଦେହ ଭିତ୍ତିହୀନ।
The post କରୋନାଭାଇରସ୍ର ଉତ୍ପତ୍ତି: ‘ଲ୍ୟାବ୍ ଲିକ୍ ଥିଓରି’କୁ ତେଜିବା ସହ ‘ହୁ’ର ଆଗାମୀ ପର୍ଯ୍ୟାୟ ତଦନ୍ତକୁ ସମର୍ଥନ କଲେ ଡାକ୍ତର ଫାଉଚି first appeared on Sambad.from କରୋନା | Sambad https://ift.tt/3uvnP5f
0 Comments