
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦେଶଜ କୋଭିଡ୍ ଟିକା କୋଭାକ୍ସିନ୍ର ନିର୍ମାତା ଭାରତ ବାୟୋଟେକ୍ ଲି. ଏହି ଅବସରରେ ଉକ୍ତ ଟିକାର ତୃତୀୟ ପରିବର୍ଦ୍ଧକ(ବୁଷ୍ଟର) ମାତ୍ରା ପାଇଁ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଦେଇଛି ବୋଲି ସୋମବାର ସୂଚନା ମିଳିଛି। ଗତ ଏପ୍ରିଲ ମାସରେ ଭାରତୀୟ ଭେଷଜ ମହାନିୟନ୍ତ୍ରକଙ୍କ ଠାରୁ ଏଥିପାଇଁ ଅନୁମତି ପାଇଥିବା ଭାରତ ବାୟୋଟେକ୍ ଅଧୁନା ଦିଲ୍ଲୀ ଓ ପାଟନା ସ୍ଥିତ ଏମ୍ସରେ ଏହାର ପରୀକ୍ଷଣ ଜାରି ରଖିଥିବା କମ୍ପାନି ପକ୍ଷରୁ କୁହାଯାଇଛି। ଏହି ପରୀକ୍ଷଣରେ ଅନ୍ତତଃ ଛଅ ମାସ ତଳେ କୋଭାକ୍ଲିନ୍ର ଦ୍ବିତୀୟ ମାତ୍ରା ନେଇଥିବା ସ୍ବେଚ୍ଛାସେବୀମାନେ ହିଁ ସାମିଲ ହୋଇଛନ୍ତି। ଏଥିରୁ ଟିକାର ଦୀର୍ଘକାଳୀନ ରୋଗପ୍ରତିରୋଧକତା ଓ ନିରାପଦତା ସମ୍ପର୍କରେ ସୂଚନା ମିଳିପାରିବ ବୋଲି ଆଶା କରାଯାଉଛି। ତେବେ ପରୀକ୍ଷଣର ଫଳାଫଳକୁ ଭିତ୍ତି କରି ଉକ୍ତ ବୁଷ୍ଟର ମାତ୍ରା ପାଇଁ ଦେଶର ନିୟାମକ ପ୍ରାଧିକରଣ ଆବଶ୍ୟକ ଅନୁମତି ପ୍ରଦାନ କଲାପରେ ହିଁ ତାହାକୁ କୋଭାକ୍ସିନ୍ର ଦ୍ବିତୀୟ ମାତ୍ରା ନେଇ ସାରିଥିବା ହିତାଧିକାରୀଙ୍କ ଠାରେ ପ୍ରୟୋଗ କରାଯିବ ବୋଲି କୁହାଯାଇଛି। ତେବେ ଦ୍ବିତୀୟ ମାତ୍ରା ଓ ଏହି ତୃତୀୟ ବୁଷ୍ଟର ମାତ୍ରା ମଧ୍ୟରେ ବ୍ୟବଧାନ ୬ ମାସ ରହିବ ବୋଲି କମ୍ପାନି ସ୍ପଷ୍ଟ କରିଛି।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ୨ରୁ ୧୭ ବର୍ଷ ବୟସର କନିଷ୍ଠମାନଙ୍କ ପାଇଁ କୋଭାକ୍ସିନ୍ ଟିକାର ମଧ୍ୟ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଆସନ୍ତା ମାସରେ ଆରମ୍ଭ କରାଯିବ ବୋଲି ଭାରତ ବାୟୋଟେକ୍ ପକ୍ଷରୁ ସୂଚନା ମିଳିଛି। ସମ୍ପ୍ରତି ଦେଶରେ ଜାରି ରହିଥିବା ବୟସ୍କମାନଙ୍କ ଗଣଟିକାକରଣରେ କୋଭାକ୍ସିନ୍ର ଉପଯୋଗ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଥିବା ବେଳେ ଶିଶୁମାନଙ୍କ ଠାରେ ଏହାର ପ୍ରୟୋଗ ନିମନ୍ତେ ଆବଶ୍ୟକ ନୈଦାନିକ ପରୀକ୍ଷଣ ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର୍) ଚଳିତ ମାସ ୧୩ ତାରିଖରେ ଅନୁମତି ଦେଇଛି। ତଦନୁସାରେ କମ୍ପାନି ଏହି ପରୀକ୍ଷଣ ଜୁନ୍ରେ ଆରମ୍ଭ କରି ଆଗାମୀ ଜୁଲାଇ ମଧ୍ୟଭାଗ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତି ଜାରି ରହିଥିବା ବେଳେ ଜଣେ ୨ ବର୍ଷର ସର୍ବକନିଷ୍ଠ ସମେତ ଅନ୍ୟାନ୍ୟ ନାବାଳକ ସ୍ବେଚ୍ଛାସେବୀଙ୍କର ପଞ୍ଜୀକରଣ ଚାଲିଥିବା ଜଣାଯାଇଛି।
The post କୋଭାକ୍ସିନ୍ ବୁଷ୍ଟର ମାତ୍ରା ପାଇଁ ପରୀକ୍ଷଣ ଆରମ୍ଭ: ଜୁନ୍ରୁ ଶିଶୁମାନଙ୍କ ଟିକା ପାଇଁ ନୈଦାନିକ ପରୀକ୍ଷଣ first appeared on Sambad.from କରୋନା | Sambad https://ift.tt/34rRqlv
0 Comments