ଭୁବନେଶ୍ବର : ବରିଷ୍ଠ ନାଗରିକ, ଗର୍ଭବତୀ ମହିଳାମାନଙ୍କ ଘରକୁ ଯାଇ ସ୍ବାବ୍ ସଂଗ୍ରହ କରିବା ଏବଂ ବରିଷ୍ଠ ନାଗରିକମାନଙ୍କୁ ଘରୁ ଆଣି ଟିକାଦାନ କେନ୍ଦ୍ରରେ ଟିକା ଦେବା କାର୍ଯ୍ୟକ୍ରମ ସଫଳ ହେବା ପରେ ବିଏମ୍‌ସି ଏହାର ପଞ୍ଜୀକରଣ ସମୟ ବଢ଼ାଇ ଦେଇଛି। ପୂର୍ବରୁ ଯେଉଁମାନେ ଗୋଟିଏ ଦିନ ପୂର୍ବରୁ ୧୯୨୯ ନମ୍ବରରେ ସକାଳ ୮ଟାରୁ ୧୧ଟା ମଧ୍ୟରେ ଫୋନ୍‌ କରି ନାମ ପଞ୍ଜୀକରଣ କରୁଥିଲେ ସେମାନଙ୍କ ଘରକୁ ତା’ ପରଦିନ ବିଏମ୍‌ସି ଟିମ୍ ଯାଉଥିଲା। କିନ୍ତୁ ଏବେ ପଞ୍ଜୀକରଣ ସମୟ ସକାଳ ୮ଟାରୁ ଅପରାହ୍‌ଣ ୫ଟା କରି ଦିଆଯାଇଛି। ଲୋକଙ୍କ ଚାହିଦାକୁ ଦେଖି ଆମେ ପଞ୍ଜୀକରଣ ସମୟ ବଢ଼ାଇବା ସହ ୪ଟି ସ୍ବତନ୍ତ୍ର ଲାଇନ୍ ଏଥିପାଇଁ ରଖିଛୁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଝାରପଡ଼ା ଜେଲ୍‌କୁ ଗଲା ଆର୍‌ଆର୍‌ଟି ଟିମ୍‌
ଭୁବନେଶ୍ବର : ଝାରପଡ଼ା ଜେଲ୍‌ରେ ପ୍ରାୟ ୧୦୦ଜଣ ଅନ୍ତେବାସୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଆଜି ବିଏମ୍‌ସିର ରାପିଡ୍‌ ରେସ୍ପନ୍ସ ଟିମ୍‌ (ଆର୍‌ଆର୍‌ଟି) ଜେଲ୍‌ ପରିଦର୍ଶନ କରିଛି। ଏଥିରେ ଜଣେ ଡାକ୍ତର ଓ ଜଣେ ସ୍ବାସ୍ଥ୍ୟକର୍ମୀ ଥିଲେ। ସେମାନେ ପିପିଇ କିଟ୍‌ ପିନ୍ଧି ଜେଲ୍‌ ଭିତରକୁ ଯାଇଥିଲେ। ସେଠାରେ ଆକ୍ରାନ୍ତଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ ସେମାନଙ୍କୁ ଔଷଧ ଦେଇଥିଲେ। କିଛି ଆକ୍ରାନ୍ତଙ୍କର ଲକ୍ଷଣ ଥିବାରୁ ସେମାନଙ୍କୁ ରେଡ୍‌ ଫ୍ଲାଗ୍ ଆକ୍ରାନ୍ତ ତାଲିକାରେ ରଖାଯାଇଛି। ସେମାନଙ୍କର ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ ହେବ। ଆବଶ୍ୟକସ୍ଥଳେ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

The post ଟେଷ୍ଟିଂ ଓ ଟିକା ପାଇଁ ପଞ୍ଜୀକରଣ ସମୟ ବଢ଼ିଲା; ୮ଟାରୁ ୧୧ଟା ବଦଳରେ, ୮ଟାରୁ ୫ଟା first appeared on Sambad.

from କରୋନା | Sambad https://ift.tt/3f9oxR7