ଭୁବନେଶ୍ବର: ଶିକ୍ଷା ବିକାଶ ସମିତି, ଓଡ଼ିଶା ଆନୁକୂଲ୍ୟରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । କରୋନା କାଳରେ ସମାଜକୁ ସୁସ୍ଥ ରହିବା ଲାଗି ଯୋଗକୁ ବିକଳ୍ପ ବ୍ୟବସ୍ଥା ଭାବେ ଗ୍ରହଣ କରାଯାଉଛି। ମେ ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଦ୍ୱାରା ଅନଲାଇନରେ ଅନୁଷ୍ଠିତ ଯୋଗ ଶିବିର ସମାପିତ ହୋଇଯାଇଛି।
ସମାପନ ଦିବସରେ ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ଯୋଗ ଶିକ୍ଷାର ଅଖିଳ ଭାରତୀୟ ସହ ପ୍ରମୁଖ ଆଦରଣୀୟ ଯୋଗାଚାର୍ଯ୍ୟ ହରିଶ କୁମାର ଶ୍ରୀବାସ୍ତବ ଉପସ୍ଥିତ ରହି ଶରୀରର ବଳ, ପ୍ରାଣ ଶକ୍ତି ପରିବର୍ଦ୍ଧନ କରି ସୁସ୍ଥ ରହିବା ପାଇଁ ବିଭିନ୍ନ ଆସନ ଓ ପ୍ରାଣାୟାମର ଅଭ୍ୟାସ କରାଇବା ସହ ବ୍ୟକ୍ତିଗତ ଜୀବନଚର୍ଯ୍ୟା ଓ ନିରାମୟତା ଉପରେ ମାର୍ଗଦର୍ଶନ କରିଥିଲେ । ସମସ୍ତେ ପ୍ରତିଦିନ ନିଜେ ନିଜ ପରିବାର ସହ ଯୋଗ (ଆସନ ଓ ପ୍ରାଣାୟାମ) କରି ସୁସ୍ଥ ରହିବା ସହ ସମାଜକୁ ସୁସ୍ଥ ରହିବାରେ ସହଯୋଗୀ ହେବା ପାଇଁ ସେ ପ୍ରେରଣା ପ୍ରଦାନ କରିଥିଲେ ।
ସେହିପରି ସମାପନ କାର୍ଯ୍ୟକ୍ରମରେ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ସଂଗଠନ ସମ୍ପାଦକ ରମାକାନ୍ତ ମହାନ୍ତ ଉପସ୍ଥିତ ରହି କରୋନା କାଳରେ ଯୋଗ ହିଁ ଆମର ରକ୍ଷା କବଚ ବୋଲି କହିଥିଲେ । ଆଜିର ସମୟରେ ନିଜକୁ, ନିଜ ପରିବାର ତଥା ସମାଜକୁ ସୁରକ୍ଷିତ ରଖିବା ପାଇଁ ଯୋଗକୁ ଆପଣେଇବା ଏକାନ୍ତ ଆବଶ୍ୟକ । ସେହିପରି ଆଜି ଅମ୍ଳଜାନର ଯେଉଁ ଉତ୍କଟ ଅଭାବ ଦେଖାଦେଇଛି ତାହା ଦୂର କରିବା ଲାଗି ସମସ୍ତେ ଗଛ ଲଗାଇବା ଆବଶ୍ୟକ ବୋଲି ସମସ୍ତଙ୍କୁ ଆହ୍ୱାନ କରିଥିଲେ।


ପ୍ରାନ୍ତ ଯୋଗ ଶିକ୍ଷା ସଂଯୋଜକ ମଧୁସୂଦନ ବାରିକ ଅତିଥି ଓ କାର୍ଯ୍ୟକର୍ତ୍ତାଙ୍କ ପରିଚୟ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପ୍ରାନ୍ତ ଯୋଗ ପ୍ରମୁଖ ନଳିନୀକାନ୍ତ ମହାନ୍ତ ଯୋଗ ଶିବିରକୁ ସଂଚାଳନ କରିଥିଲେ । ଏହି ୧୦ ଦିନିଆ ଯୋଗ ଶିବିରରେ ଶିକ୍ଷା ବିକାଶ ସମିତି, ଓଡ଼ିଶାର ଡାକ୍ତରୀ ପୂର୍ବଛାତ୍ରମାନେ ପ୍ରତ୍ୟେକ କାଳାଂଶରେ ଯୋଡ଼ି ହୋଇ କରୋନା ସମ୍ବନ୍ଧରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଯୋଗ ଶିବିରରେ ୫୦୦ଜଣ ଛାତ୍ରଛାତ୍ରୀ, ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ ପ୍ରତିଦିନ ଉପସ୍ଥିତ ରହି ଯୋଗାଭ୍ୟାସ କରୁଥିଲେ।

The post ଶିକ୍ଷା ବିକାଶ ସମିତିର ଯୋଗ ଶିବିର ‘କର ଯୋଗ ରୁହ ନିରୋଗ ’ first appeared on Sambad.

from କରୋନା | Sambad https://ift.tt/34d8sUl