
ନୂଆଦିଲ୍ଲୀ: ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା ନିମନ୍ତେ ଦିଲ୍ଲୀ ପାଇଁ ଦୈନିକ ୭୦୦ ମେଟ୍ରିକ୍ ଟନ୍ ତରଳ ମେଡିକାଲ୍ ଅକ୍ସିଜେନ୍ ଯୋଗାଇ ଦେବାକୁ ପଡ଼ିବ ବୋଲି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି।
ଆଜି ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଜାତୀୟ ରାଜଧାନୀ ଅଞ୍ଚଳରେ ‘ତରଳ ମେଡିକାଲ୍ ଅକ୍ସିଜେନ୍’ ନିଅଣ୍ଟ ସଂକ୍ରାନ୍ତରେ ଦିଲ୍ଲୀ ସରକାର ଦାଖଲ କରିଥିବା ଆବେଦନର ଶୁଣାଣି କରିଥିଲେ। ଚେତାବନୀ ଦେଇ ଖଣ୍ଡପୀଠ କହିଛନ୍ତି ଯେ, ଦୈନିକ ୭୦୦ ମେଟ୍ରିକ୍ ଟନ୍ ‘ତରଳ ମେଡିକାଲ୍ ଅକ୍ସିଜେନ୍’ ଯୋଗାଣ ନ ହେଲେ ସମ୍ପୃକ୍ତ ସରକାରୀ ଅଧିକାରୀମାନଙ୍କ ବିରୋଧରେ ଆଦେଶ ଜାରି ହେବ।
ଦିଲ୍ଲୀ ସରକାରଙ୍କ ତରଫରୁ ପ୍ରତିନିଧିତ୍ବ କରି ବରିଷ୍ଠ ଆଡ୍ଭୋକେଟ୍ ରାହୁଳ ମେହେରା ପୂର୍ବରୁ ଦିଲ୍ଲୀ ସରକାର ଗ୍ରହଣ କରୁଥିବା ଅକ୍ସିଜେନ୍ ପ୍ରସଙ୍ଗରେ ସୁପ୍ରିମ୍ କୋର୍ଟଙ୍କୁ ଅବଗତ କରାଇଥିଲେ। ଶୁକ୍ରବାର ସକାଳ ୯ଟା ସୁଦ୍ଧା ୮୬ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ପାଇଥିବା ଏବଂ ଆଉ ୧୬ ମେଟ୍ରିକ୍ ଟନ୍ ଅମ୍ଳଜାନ ଆସୁଥିବା କଥା ମଧ୍ୟ ସେ ଲିଖିତ ଭାବେ ଖଣ୍ଡପୀଠଙ୍କୁ ଜଣାଇଥିଲେ।
ବିଚାରପତି ଚନ୍ଦ୍ରଚୂଡ଼ କହିଲେ, ଆମେ ଚାହୁଁ ଦିଲ୍ଲୀକୁ ୭୦୦ ମେଟ୍ରିକ୍ ଟନ୍ ଯୋଗାଇ ଦିଆଯାଉ। ଆମେ ଗୁରୁତ୍ବର ସହ ଏକଥା କହୁଛୁ କି, ଅକ୍ସିଜେନ୍ ଯୋଗାଇ ଦିଆଯାଉ। ଆମେ ବଳ ପ୍ରୟୋଗ କରିବାକୁ ଚାହୁଁନା।
ଖଣ୍ଡପୀଠ ଆହୁରି ମଧ୍ୟ ଗୁରୁତ୍ବାରୋପ କରି କହିଛନ୍ତି, ଦିଲ୍ଲୀକୁ ଅକ୍ସିଜେନ୍ ଯୋଗାଣ ସଂକ୍ରାନ୍ତ ଆଦେଶ ଆଜି ଅପରାହ୍ଣ ସୁଦ୍ଧା ଅପ୍-ଲୋଡ୍ ହେବା ଉଚିତ।
The post ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ପାଇଁ ଦୈନିକ ୭୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଯୋଗାଇବାକୁ ପଡ଼ିବ: ସୁପ୍ରିମ୍ କୋର୍ଟ first appeared on Sambad.from କରୋନା | Sambad https://ift.tt/2R10hr1
0 Comments