
ଭୁବନେଶ୍ବର : ପ୍ରାୟ ୧୩ ଦିନ ଧରି କରୋନା ସହ ଲଢ଼େଇ କରିବା ପରେ ସପ୍ତମ ବାଟାଲିଅନରେ ଜଣେ ସିପାହୀ ଆଜି ପ୍ରାଣ ହରାଇଛନ୍ତି। ମୃତ ସିପାହୀ ହେଲେ, ହେମନ୍ତ କୁମାର ପ୍ରଧାନ(୫୭)। ତାଙ୍କ ଘର ନୟାଗଡ଼ ଶରଣକୁଳରେ। ଶେଷକୃତ୍ୟ ପୂର୍ବରୁ କୋଭିଡ୍ ଯୋଦ୍ଧା ଭାବେ ସତ୍ୟନଗର ଶ୍ମଶାନରେ କମିସନରେଟ ପୁଲିସ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର୍ ପ୍ରଦାନ କରାଯାଇଥିଲା।
ମିଳିଥିବା ସୂଚନା ଅନୁସାରେ, ହେମନ୍ତ ଗତ ୧୫ ତାରିଖରେ କୋଭିଡ୍ ଆକ୍ରାନ୍ତ ହୋଇଥିଲେ। ଏହା ପରେ ସେ ହୋମ୍ ଆଇସୋଲେସନ୍ରେ ରହି ଚିକିତ୍ସିତ ହେଉଥିଲେ। ୨୦ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କିମସ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ହେମନ୍ତ ପୂର୍ବରୁ କୋଭିଡ୍ ଟିକାର ଦୁଇଟି ଡୋଜ୍ ନେଇ ସାରିଛନ୍ତି। କିନ୍ତୁ ସେ ଦୀର୍ଘ ଦିନ ହେବ ଡାଇବେଟିସ୍ରେ ପୀଡ଼ିତ ଥିଲେ ବୋଲି ଜଣାପଡ଼ିଛି।
ସପ୍ତମ ବାଟାଲିଅନ୍ କମାଣ୍ଡାଣ୍ଟ ବିଜୟ ସାହୁ, ଏସିପି ତରୁଣ କୁମାର ଦାସ ପ୍ରମୁଖ ଗାର୍ଡ ଅଫ ଅନର୍ରେ ଉପସ୍ଥିତ ରହିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସପ୍ତମ ବାଟାଲିଅନରେ ଏବେ ପ୍ରାୟ ୩୭ଜଣ ସିପାହୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି।
The post କୋଭିଡରେ ପ୍ରାଣ ହରାଇଲେ ସପ୍ତମ ବାଟାଲିଅନ ସିପାହୀ, ଏବେ ୩୭ ଆକ୍ରାନ୍ତ ଚିକିତ୍ସାଧୀନ first appeared on Sambad.from କରୋନା | Sambad https://ift.tt/3yKafOv
0 Comments