କୋଭିଡ୍‌ ରୋକିବାକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଗୁରୁତ୍ବପୂର୍ଣ୍ଣ: ଡା. ଗୁଲେରିଆ

ନୂଆଦିଲ୍ଲୀ : ସମ୍ପ୍ରତି ଦେଶରେ ମହାମାରୀ କୋଭିଡ୍‌-୧୯ ଦ୍ବିତୀୟ ଲହର ସଂକ୍ରମଣ ଦିନକୁ ଦିନ ବେକାବୁ ହୋଇ ଚାଲିଥିବା ବେଳେ ଏହାର ନିୟନ୍ତ୍ରଣ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ସ୍ଥିତି ନିର୍ଣ୍ଣାୟକ ଭୂମିକା ନିର୍ବାହ କରିପାରିବ ବୋଲି ଦେଶର କୋଭିଡ୍‌ ଟାସ୍କ ଫୋର୍ସ ସଦସ୍ୟ ତଥା ଦିଲ୍ଲୀ ଏମ୍‌ସ ମୁଖ୍ୟ ଡା. ରଣଦୀପ ଗୁଲେରିଆ କହିଛନ୍ତି। ଦେଶର ଡାକ୍ତରଖାନାଗୁଡ଼ିକ ଅମ୍ଳଜାନ ଓ ଆଇସିୟୁ ଶଯ୍ୟା ଅଭାବରେ ସନ୍ତୁଳିତ ହେବା ଭଳି ସଂକଟଜନକ ସ୍ଥିତିରୁ ମୁକୁଳିବା ପାଇଁ ଗତବର୍ଷ ପରି କଠୋର ଲକ୍‌ଡାଉନ୍‌ର ଆବଶ୍ୟକତା ରହିଛି ବୋଲି ସେ ଆଶା ପ୍ରକଟ କରିଛନ୍ତି।

ସେହିପରି ଯେଉଁଠି କୋଭିଡ୍‌ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହୁଛି, ସେଠାରେ ତୁରନ୍ତ ଲକ୍‌ଡାଉନ୍‌ ଲାଗୁ କରାଇବା ଅପରିହାର୍ଯ୍ୟ ବୋଲି ସେ ପରାମର୍ଶ କରିଛନ୍ତି। ଅପରପକ୍ଷେ, ଉତ୍ତରପ୍ରଦେଶ, ହରିଆଣା ଓ ମହାରାଷ୍ଟ୍ର ପରି ରାଜ୍ୟରେ ସମ୍ପ୍ରତି ଚାଲୁ ରହିଥିବା ରାତି କର୍ଫ୍ୟୁ ଓ ସପ୍ତାହାନ୍ତ ଲକ୍‌ଡାଉନ୍‌ କଟକଣା ଆଦୌ ଫଳପ୍ରଦ ସାବ୍ୟସ୍ତ ହେଉନାହିଁ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସେହିପରି ଦିଲ୍ଲୀର ବାତ୍ରା ହସ୍ପିଟାଲ୍‌ରେ ଅମ୍ଳଜାନ ଅଭାବରୁ ଜଣେ ଡାକ୍ତରଙ୍କ ମୃତ୍ୟୁ ହେବା ତାଙ୍କ ପାଇଁ ବ୍ୟକ୍ତିଗତ କ୍ଷତି ହୋଇଥିବା ବେଳେ ସେଠାରେ ଅନୁରୂପ ୧୨ଟି ମୃତ୍ୟୁ ଘଟଣା ଦେଶ ପାଇଁ କଠୋର ଲକ୍‌ଡାଉନ୍‌କୁ ଅନିବାର୍ଯ୍ୟ ଅସ୍ତ୍ର ଭାବେ ଆମନ୍ତ୍ରଣ କରୁଛି ବୋଲି ସେ କହିଛନ୍ତି। ଅପରପକ୍ଷେ, ବିଶ୍ବରେ କୌଣସି ବି ଦେଶ ଏପରି ସ୍ଥିତିର ମୁକାବିଲା ପାଇଁ ସକ୍ଷମ ନୁହେଁ ଏବଂ ଏହାର ଉଚିତ ମୁକାବିଲା ପାଇଁ କେବଳ ଲକ୍‌ଡାଉନ୍‌ ହିଁ ପ୍ରଯୁଜ୍ୟ ବୋଲି ଡା. ଗୁଲେରିଆ କହିଛନ୍ତି।

The post କୋଭିଡ୍‌ ରୋକିବାକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଗୁରୁତ୍ବପୂର୍ଣ୍ଣ: ଡା. ଗୁଲେରିଆ first appeared on Sambad.

from କରୋନା | Sambad https://ift.tt/3aWhR6l

Post a Comment

0 Comments