
ବେଙ୍ଗାଲୁରୁ: କର୍ଣ୍ଣାଟକର କରୋନା ମୃତ୍ୟୁ ଚିନ୍ତାର କାରଣ ପାଲଟିଛି। ଚଳିତମାସର ପ୍ରଥମ ୧୭ ଦିନରେ ୬୭୯୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଏହାଫଳରେ ମୋଟ କରୋନା ମୃତ୍ୟୁରେ କର୍ଣ୍ଣାଟକ ଦିଲ୍ଲୀକୁ ଟପି ଦେଶରେ ଦ୍ବିତୀୟ ସ୍ଥାନ ହାସଲ କରିଛି। ପ୍ରଥମ ସ୍ଥାନରେ ମହାରାଷ୍ଟ୍ର ରହିଛି। କରୋନାର ଭୟାବହତାକୁ ପ୍ରତିଫଳିତ କରୁଥିବା ମୋଟ କେସ୍ ଫାଟାଲିଟି ରେଟ୍ (ସିଏଫ୍ଆର୍) ଅର୍ଥାତ୍ ସଂକ୍ରମିତଙ୍କ ମଧ୍ୟରେ ମୃତ୍ୟୁ ସଂଖ୍ୟା କର୍ଣ୍ଣାଟକରେ ଅବଶ୍ୟ କମ୍ ରହିଛି। ଜାତୀୟ ସ୍ତରରେ ସିଏଫଆର୍ ୧.୧ ପ୍ରତିଶତ ଥିବାବେଳେ କର୍ଣ୍ଣାଟକରେ ଏହା ୧ ପ୍ରତିଶତ ତଳେ ରହିଛି। ମେ ୧୭ ତାରିଖ ସୁଦ୍ଧା କର୍ଣ୍ଣାଟକରେ ୨୨୩୧୩ ଜଣଙ୍କର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ଏହି ସଂଖ୍ୟା ୨୧୮୪୬ ରହିଛି। ତେବେ କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ମେ ମାସ କର୍ଣ୍ଣାଟକ ପାଇଁ ସବୁଠୁ ଖରାପ ସାବ୍ୟସ୍ତ ହୋଇଛି। ଏବେ ଏଠାରେ ଦିନକୁ ହାରାହାରି ୪୦୦ ଜଣଙ୍କର ମୃତ୍ୟୁ ହେଉଛି।
କର୍ଣ୍ଣାଟକ ଉପରେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ରହିଛି। ସେଠାରେ ୮୨ ହଜାରରୁ ଅଧିକ ମୃତ୍ୟୁ ହେଲାଣି। ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଦିଲ୍ଲୀକୁ ମିଶାଇଲେ ଭାରତରେ ବର୍ତ୍ତମାନ ସୁଦ୍ଧା ହୋଇଥିବା କରୋନା ମୃତ୍ୟୁ (୨.୮ ଲକ୍ଷ)ର ପାଖାପାଖି ୪୬ ପ୍ରତିଶତ ଏହି ତିନି ରାଜ୍ୟରେ ହୋଇଛି। ମହାରାଷ୍ଟ୍ର ଏବଂ ଦିଲ୍ଲୀର ସିଏଫ୍ଆର୍ ଅଧିକ ରହିଛି। ସଂକ୍ରମଣ ସଂଖ୍ୟାକୁ ଦେଖିଲେ କେରଳ ତୃତୀୟ ସ୍ଥାନରେ ରହିଛି। କିନ୍ତୁ ଏଠାରେ ମୃତ୍ୟୁ ୭୦୦୦ରୁ କମ୍ ରହିଛି। କରୋନା ମୃତ୍ୟୁ କ୍ଷେତ୍ରରେ ତାମିଲନାଡ଼ୁ ଏବଂ ଉତ୍ତର ପ୍ରଦେଶ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନର ରହିଛନ୍ତି। ଯଦି କର୍ଣ୍ଣାଟକର ହାରାହାରି ମୃତ୍ୟୁ ମେ ମାସ ୧୭ ତାରିଖ ସୁଦ୍ଧା ଯାହା ରହିଛି ତାହା ଅବ୍ୟାହତ ରହେ ତାହେଲେ ଏଠାରେ ପାଖାପାଖି ୧୧୬୦୦ ମୃତ୍ୟୁ ଦେଖିବାକୁ ମିଳିବ।
The post ଦିଲ୍ଲୀକୁ ଟପିଲା କର୍ଣ୍ଣାଟକ, ଦ୍ବିତୀୟ ସର୍ବାଧିକ କରୋନା ମୃତ୍ୟୁ first appeared on Sambad.from କରୋନା | Sambad https://ift.tt/33W61oO
0 Comments