
ନୂଆଦିଲ୍ଲୀ: ‘ଡିଫେନ୍ସ୍ ରିସର୍ଚ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ ଅର୍ଗାନାଇଜେସନ୍’ (ଡିଆର୍ଡିଓ) ପ୍ରସ୍ତୁତ କରିଥିବା କୋଭିଡ୍-ନିରୋଧୀ ଖାଇବା ଔଷଧ ‘ଟୁ-ଡିଜି’କୁ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉନ୍ମୋଚନ କରିବା ସହ ଦିଲ୍ଲୀର କେତେକ ଡାକ୍ତରଖାନାକୁ ପ୍ରାୟ ୧୦,୦୦୦ ଡୋଜ୍ ବଣ୍ଟନ କରିବେ। ତାଙ୍କ ସହିତ ଥିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ।
‘୨-ଡିଅକ୍ସି-ଡି-ଗ୍ଲୁକୋଜ୍’ ବା ‘ଟୁ-ଡିଜି’ ନାମକ ଏହି ଔଷଧକୁ ହାଇଦ୍ରାବାଦର ପ୍ରଖ୍ୟାତ ଔଷଧ ନିର୍ମାତା ‘ଡକ୍ଟର୍ ରେଡିସ୍ ଲାବ୍ରଟରିଜ୍’ ସହଯୋଗରେ ‘ଡିଆର୍ଡିଓ’ ଲ୍ୟାବ୍ ପ୍ରସ୍ତୁତ କରିଛି।
ସାମାନ୍ୟରୁ ସାଙ୍ଘାତିକ କୋଭିଡ୍-୧୯ ସଂକ୍ରମଣ ଚିକିତ୍ସା ନିମନ୍ତେ ଜରୁରୀକାଳୀନ ଭାବେ ଏହି ଔଷଧ ବ୍ୟବହାର କରିବା ପାଇଁ ମେ ୮ ତାରିଖ ଦିନ ‘ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ’ ଅନୁମତି ଦେଇଥିଲେ।
ଗତବର୍ଷ ମେ ରୁ ଅକ୍ଟୋବର ମଧ୍ୟରେ ଉପରୋକ୍ତ ଔଷଧକୁ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣରେ କୋଭିଡ୍-୧୯ ଆକ୍ରାନ୍ତଙ୍କୁ ଖୁଆଇବା ପରେ ତାହା ଫଳପ୍ରଦ ହେଉଥିବା ଜଣାପଡ଼ିଥିଲା। ବିଶେଷକରି ଏହି ଔଷଧ ଆକ୍ରାନ୍ତମାନଙ୍କର ଡାକ୍ତରଖାନା ରହଣି ସମୟ ଓ ଅକ୍ସିଜେନ୍ ନିର୍ଭରଶୀଳତା ହ୍ରାସ କରୁଛି।
ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ, ଏହି ଔଷଧରେ ଥିବା ଏକ ପ୍ରକାରର ‘କୃତ୍ରିମ ଗ୍ଲୁକୋଜ୍ ମଲିକ୍ୟୁଲ୍’ ଶରୀର ମଧ୍ୟରେ ଭାଇରସ୍ର ଗତିରୋଧ କରୁଛି। ଚୂର୍ଣ୍ଣ ରୂପରେ ଆସୁଥିବା ଏହି ଔଷଧକୁ ପାଣି ସହ ପିଇ ହେବ।
The post ଆଜି ବଣ୍ଟନ ହେବ ୧୦,୦୦୦ ପ୍ୟାକେଟ୍ ‘ଡିଆର୍ଡିଓ’ର କୋଭିଡ୍-ନିରୋଧୀ ଖାଇବା ଔଷଧ ‘ଟୁ-ଡିଜି’ first appeared on Sambad.from କରୋନା | Sambad https://ift.tt/3hxo1Om
0 Comments