ଏପ୍ରିଲ୍ ମାସ ଶେଷ ହେବାକୁ ଆଉ ୫ କି ୬ଦିନ ଥାଏ। ସେହି ସମୟରେ ହଠାତ୍ ମୋ ଦେହରେ ଅସ୍ବାଭାବିକ ଭାବେ ତାତି ବଢ଼ିବା ସହିତ ନିଶ୍ବାସ ନେବାରେ ଅସୁବିଧା ହେଲା। ଡାକ୍ତରଖାନା ନ ଯାଇ ଘରେ ରହି ଉପଚାର ଆରମ୍ଭ କଲି। ଦିନର ନିର୍ଦ୍ଦିଷ୍ଟ ସମୟ ସକାଳେ ଓ ସନ୍ଧ୍ୟା ବେଳେ ତାତି ଆସୁଥିବାରୁ ପୁଅକୁ କହି ମେଡିସିନ୍ ଦୋକାନରୁ ପାରାସିଟାମଲ୍ ଓ ଅନ୍ୟ ବଟିକା ଖାଇଲି। ପ୍ରାୟ ୫ଦିନ କାଳ ଏଇଭଳି ବଟିକା ଖାଉଥିଲେ ମଧ୍ୟ କିଛି ଲାଭ ହେଉନଥାଏ। ବରଂ ସ୍ବାସ୍ଥ୍ୟାବସ୍ଥା ବେଶି ବିଗିଡ଼ିବା ସହିତ ଶ୍ବାସନଳୀ ଫୁଲୁଥାଏ। ତେଣୁ ବାଧ୍ୟ ହୋଇ ମେ’ ୧ ତାରିଖ ଦିନ ଏକ ଘରୋଇ ଡାକ୍ତରଖାନାରେ ଆଡମିସନ୍ ନେଲି। ଦୁଇ ଦିନ ଭେଣ୍ଟିଲେଟର୍‌ରେ ରହିବା ପରେ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଲା।

ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ହୋଇଥିଲେ ବି ପୂରା ସୁସ୍ଥ ନ ଥିବାରୁ ଡାକ୍ତରଖାନାରେ ରହିବାକୁ ଡାକ୍ତର ପରାମର୍ଶ ଦେଲେ। ଏହାପରେ ଆରମ୍ଭ ହୋଇଗଲା ଅସଲ ଯନ୍ତ୍ରଣା। ଚାରିକାନ୍ଥ ନିବୁଜ ଗୋଟିଏ ଘରେ ପଡ଼ିଥାଏ। ଇଚ୍ଛା ହେଲେ ବାହାରକୁ ଯାଇପାରୁ ନଥିଲି କି ପରିବାରଲୋକଙ୍କୁ ମଧ୍ୟ ଦେଖି ପାରୁନଥିଲି। ଘରେ ଥିବା ସମୟରେ ଅଜାଣତରେ ମୋ ସଂସ୍ପର୍ଶରେ ଆସି ମୋ ପତ୍ନୀ କୌଶଲ୍ୟା ଦେବୀ ସନ୍ତୁକା(୭୨) କରୋନାରେ ଆକ୍ରାନ୍ତ ହୋଇଥିଲେ। ତେଣୁ ମୋ ପଛେ ପଛେ ସେ ବି ଆସି ମୋ ପାଖରେ ଆଡମିସନ୍ ନେଲେ। ସେ ଆସିବା ପରେ ସତେଯେମିତି ମନରେ ଦମ୍ଭ ଆସିଗଲା। ପତ୍ନୀଙ୍କ ଯୋଗୁଁ ଆଉ ଔଷଧ ଖାଇବାରେ ହେଉ କି ମନକୁ ଖୁସି ରଖିବାରେ କୋଉଥିରେ ବି ହେଳା ହେଉ ନଥିଲା। ଜେଲ୍‌ର ଚାରିକାନ୍ଥ ଭଳି ଲାଗୁଥିବା ହସ୍ପିଟାଲ୍‌ର ରୁମ୍‌ ମତେ ବଞ୍ଚିବାର ନୂଆ ଦିଶା ଦେଖାଇଲା। ପତ୍ନୀଙ୍କ ଆସିବାର ମାତ୍ର ୧୧ ଦିନ ମଧ୍ୟରେ ମୁଁ ସୁସ୍ଥ ହେଲି। ପତ୍ନୀ ମଧ୍ୟ ସୁସ୍ଥ ହେଲେ। ଏବେ ଆମେ ଦୁହେଁ ଆମ ନିଜର କଟକ ମଣିକ୍‌ଘୋଷ ବଜାରସ୍ଥିତ ଘରକୁ ଫେରିଛୁ।

ଦିନେଶ ଲାଲ୍ ସନ୍ତୁକା(୭୬),
ଜ୍ୟାକ୍‌ସନ୍ ମେଡିସିନ୍ ଏଜେନ୍ସିର ଡିଷ୍ଟ୍ରିବ୍ୟୁଟର୍

The post କୋଭିଡ୍‌କୁ ପରାସ୍ତ କଲେ ବୟସ୍କ ଦମ୍ପତି: ପତ୍ନୀଙ୍କ ଯୋଗୁଁ ମନରେ ଦମ୍ଭ ଆସିଥିଲା first appeared on Sambad.

from କରୋନା | Sambad https://ift.tt/3wHvrTv