ଭୁବନେଶ୍ବର : ଯୁବକଜଣକ ରହୁଛନ୍ତି ଆମେରିକାରେ। ହେଲେ ଓଡ଼ିଶାରେ ତାଙ୍କର କୋଭିଡ୍‌ ନମୁନା ସଂଗ୍ରହ କରାଯାଇଛି। ନମୁନା ସଂଗ୍ରହ ସମୟରେ ସମସ୍ତଙ୍କ ଭଳି ତାଙ୍କ ପାଖକୁ ମଧ୍ୟ ମେସେଜ୍ ଆସିଛି। ନିଜକୁ ଅନ୍ୟମାନଙ୍କଠାରୁ ଅଲଗା କରି ରଖିବା ଲାଗି କୁହାଯାଇଛି। ଯାହାକୁ ନେଇ ସେ ଆଶ୍ଚର୍ଯ୍ୟ ହେବା ସହ ମୁଖ୍ୟମନ୍ତ୍ରୀ ଓ ବରଗଡ଼ ଜିଲ୍ଲାପାଳଙ୍କୁ ଏ ସଂପର୍କରେ ଟ୍ବିଟ୍‌ କରିଛନ୍ତି।

ଯୁବକଜଣଙ୍କ ହେଉଛନ୍ତି ପଙ୍କଜ ପଣ୍ଡା। ସେ ଆମେରିକାସ୍ଥିତ ରୋଡ୍‌ ଆଇଲାଣ୍ଡର ଉନ୍‌ସକେଟ୍‌ରେ ରହୁଥିବା ନିଜ ଟ୍ବିଟ୍‌ର ହ୍ୟାଣ୍ଡେଲରେ ଦର୍ଶାଇଛନ୍ତି। ଗତକାଲି ଭାରତୀୟ ସମୟ ସଂଖ୍ୟା ୮ଟା ୨୮ ମିନିଟ୍‌ରେ ତାଙ୍କର ରାପିଡ୍‌ ଆଣ୍ଟିଜେନ୍ କିଟ୍‌ରେ ନମୁନା ସଂଗ୍ରହ କରାଯାଇଥିବା ମେସେଜ୍ ଯାଇଛି। ଏହି ମେସେଜ୍‌କୁ ସେ ଶନିବାର ସକାଳ ୭ଟାରେ ଟ୍ବିଟ୍ କରିବା ସହିତ ତ୍ରୁଟି ସୁଧାରିବା ସଂପର୍କରେ ଉଲ୍ଲେଖ କରିଛନ୍ତି। ତାଙ୍କର ଏହି ଟ୍ବିଟ୍‌କୁ ୪୧ଜଣ ଲାଇକ୍‌ ଦେଇଥିବା ବେଳେ ୧୯ଜଣ ରିଟ୍ବିଟ୍‌ କରିଛନ୍ତି। କେହି ଜଣେ ଚିହ୍ନାପରିଚିତ ଲୋକ ଜାଣିଶୁଣି ତାଙ୍କ ନମ୍ବରକୁ ଦେଇଥିବା ଅନେକ ରିଟ୍ବିଟ୍‌‌ରେ କହିଛନ୍ତି।

ତେବେ ନମୁନା ସଂଗ୍ରହରେ ଏଭଳି ଜାଲିଆତି ଓଡ଼ିଶାରେ ନୂଆ ନୁହେଁ, ପୂର୍ବରୁ ରାଜଧାନୀର ଏକ ଘରୋଇ କ୍ଲିନିକ୍‌ରେ କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କ ନିକଟକୁ ଏକାଧିକ ମେସେଜ୍ ସହିତ ସେ ପଜିଟିଭ୍ ଥିବା ବିଏମ୍‌ସିରୁ କଲ୍‌ ଯାଇଥିଲା। ଯାହାକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଭଳି ତ୍ରୁଟିପୂର୍ଣ୍ଣ ଫୋନ୍ ନମ୍ବର ଓ ଠିକଣା ଦେଇ ପଜିଟିଭ୍ ଚିହ୍ନଟ ହୋଇଥିବା ଲୋକଙ୍କ ସଂପର୍କରେ ପ୍ରତ୍ୟେକ ଦିନ ଷ୍ଟେଟ୍‌ ପୁଲରେ ତଥ୍ୟ ଦିଆଯାଉଛି। ଯେହେତୁ ରାଜ୍ୟରେ କୋଭିଡ୍‌ ନମୁନା ସଂଗ୍ରହ ସମୟରେ କୌଣସି ଓଟିପି ବ୍ୟବସ୍ଥା ନାହିଁ, ତେଣୁ ଲୋକମାନେ ମନଇଚ୍ଛା ଠିକଣା ଓ ନମ୍ବର ଦେଉଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସେମାନେ ଯଦିଓ ପରବର୍ତୀ ସମୟରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି, ହେଲେ ତାଙ୍କୁ ଯୋଗାଯୋଗ କରିବାର କୌଣସି ବ୍ୟବସ୍ଥା ନ ଥିବାରୁ ମନଇଚ୍ଛା ବାହାରେ ବୁଲିବାରେ ରୋକ୍ ଲଗା ଯାଇ ପାରୁନାହିଁ। ସେମାନେ ଅନ୍ୟମାନଙ୍କୁ କରୋନା ବାଣ୍ଟି ଚାଲିଛନ୍ତି।

The post ରହୁଛନ୍ତି ଆମେରିକାରେ, କୋଭିଡ ନମୁନା ସଂଗ୍ରହ ହେଲା ଓଡ଼ିଶାରୁ? first appeared on Sambad.

from କରୋନା | Sambad https://ift.tt/2SziBId