
ସହଯୋଗ କରିବେ ସରକାର
କୋର୍ଟ, ସରକାରଙ୍କୁ ରିପୋର୍ଟ ଦେବ ଟାସ୍କ ଫୋର୍ସ
ନୂଆଦିଲ୍ଲୀ : ଅକ୍ସିଜେନର ଅଭାବ ଯୋଗୁଁ ଶହ ଶହ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି। ଉପଯୁକ୍ତ ସମୟରେ ଏବଂ ଉପଯୁକ୍ତ ପରିମାଣର ଅକ୍ସିଜେନ୍ ଯୋଗାଣରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି ବୋଲି ଅନେକ ରାଜ୍ୟ ସରକାର ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ଏସଂପର୍କରେ ସର୍ବୋଚ୍ଚ ଅଦାଲତଙ୍କ କେତେକ ପରାମର୍ଶକୁ ମଧ୍ୟ ଠିକ୍ ସମୟରେ ପୂରଣ କରିପାରି ନାହାନ୍ତି ସରକାର। ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏଥିରେ ହସ୍ତକ୍ଷେପ କରିଛନ୍ତି ସୁପ୍ରିମ କୋର୍ଟ। ଅକ୍ସିଜେନ୍ ଅଭାବରୁ ଯେପରି ରୋଗୀମାନଙ୍କର ମୃତ୍ୟୁ ନଘଟେ ସେଥିଲାଗି ଆଜି ଏକ ୧୨ ଜଣିଆ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଡାକ୍ତରୀ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏହି ଟାସ୍କ ଫୋର୍ସ ଅକ୍ସିଜେନର ଉପଲବ୍ଧତାର ଅନୁଧ୍ୟାନ କରିବା ସହିତ ଏହାର ଯୋଗାଣ ବ୍ୟବସ୍ଥାକୁ କିପରି ସୁନିୟୋଜିତ କରାଯାଇପାରିବ ସେସଂପର୍କରେ ସୁପାରିସ କରିବ। କରୋନା ଚିକିତ୍ସା ପାଇଁ ଔଷଧର ଉପଲବ୍ଧତା ଉପରେ ମଧ୍ୟ ଏହି ଟାସ୍କ ଫୋର୍ସ ସୁପାରିସ କରିବ।
ବର୍ତ୍ତମାନର ଅକ୍ସିଜେନ୍ ସ୍ଥିତିକୁ ଆକଳନ କରି ଭବିଷ୍ୟତ ପାଇଁ ଏକ ପାରଦର୍ଶୀ ବ୍ୟବସ୍ଥା କରିବା ଏବଂ ମହାମାରୀ ସମୟରେ ଅକ୍ସିଜେନ୍ ଯୋଗାଣଜନିତ ସଙ୍କଟ ଏଡ଼ାଇବା ପାଇଁ ଏହି ଟାସ୍କ ଫୋର୍ସ ରଣନୀତି ପ୍ରସ୍ତୁତ କରିବେ। କେନ୍ଦ୍ର ସରକାରଙ୍କ ସହମତିରେ ଏହି କମିଟି ଗଠନ କରାଯାଇଛି। ଏବେ ଅକ୍ସିଜେନ କେତେ ଅଛି? କେଉଁ ରାଜ୍ୟ ପାଇଁ କେତେ ଅକ୍ସିଜେନ୍ ଦରକାର? ଏହାର ଅନୁଧ୍ୟାନ କରି ବୈଜ୍ଞାନିକ, ତର୍କସଂଗତ ଏବଂ ନ୍ୟାୟସଙ୍ଗତ ଆଧାରରେ ଅକ୍ସିଜେନ ଆବଣ୍ଟନ ନେଇ ଏହା ପ୍ରସ୍ତାବ ଦେବ। ଏବେ ଦିଲ୍ଲୀ, କର୍ଣ୍ଣାଟକ ସମେତ ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ସଙ୍କଟ ପରିପ୍ରେକ୍ଷୀରେ ସୁପ୍ରିମ୍ କୋର୍ଟଙ୍କ ଏହି ପଦକ୍ଷେପ ବେଶ୍ ଗୁରୁତ୍ବପୂର୍ଣ୍ଣ।
ନ୍ୟାସ୍ନାଲ୍ ଟାସ୍କ ଫୋର୍ସର ସଂଯୋଜକ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ସଚିବ ରହିବେ। ଟାସ୍କ ଫୋର୍ସ ସପ୍ତାହକ ମଧ୍ୟରେ କାମ ଆରମ୍ଭ କରିବ। ପ୍ରାରମ୍ଭରେ ଏହାର କାର୍ଯ୍ୟକାଳ ୬ ମାସ ରଖାଯାଇଛି। ଉକ୍ତ କମିଟି ସୁପ୍ରିମ୍ କୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିବେ। କେନ୍ଦ୍ର ସରକାର ଟାସ୍କ ଫୋର୍ସକୁ ସମସ୍ତ ଜରୁରୀ ସହାୟତା ଯୋଗାଇ ଦେବେ। ରାଜ୍ୟ ସରକାର ଏବଂ ହସ୍ପିଟାଲମାନେ ମଧ୍ୟ ସେମାନଙ୍କୁ ସହଯୋଗ କରିବେ। ଅକ୍ସିଜେନ୍ ସଙ୍କଟ ପାଇଁ ଅନେକ ରାଜ୍ୟ କେନ୍ଦ୍ର ସରକାରଙ୍କ ଆବଣ୍ଟନ ନୀତିକୁ ଦାୟୀ କରୁଥିବା ବେଳେ ଏବେ ଜାତୀୟ ଟାସ୍କ୍ ଫୋର୍ସ ଗଠନ ଏହି ବିବାଦରେ ପୂର୍ଣ୍ଣଛେଦ ପକାଇବ ବୋଲି କୁହାଯାଉଛି।
ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ ଏମଆର୍ ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟମାନଙ୍କୁ ଉପଯୁକ୍ତ ପରିମାଣର ଅକ୍ସିଜେନ୍ ବଣ୍ଟନ ଏବଂ ଏକ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଦାୟିତ୍ବକୁ ଦୃଷ୍ଟିରେ ରଖାଯାଇଛି। ଏହି ଟାକ୍ସଫୋର୍ସ ସୁପାରିସ ନଦେବା ପର୍ଯ୍ୟନ୍ତ କେନ୍ଦ୍ର ସରକାର ପ୍ରଚଳିତ ନିୟମ ଅନୁଯାୟୀ ରାଜ୍ୟମାନଙ୍କୁ ଅକ୍ସିଜେନ୍ ଯୋଗାଣ ଜାରି ରଖିବେ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି।
The post ଅକ୍ସିଜେନ୍ ସଙ୍କଟ: ହସ୍ତକ୍ଷେପ କଲେ ସୁପ୍ରିମ କୋର୍ଟ first appeared on Sambad.from କରୋନା | Sambad https://ift.tt/3tualWz
0 Comments