ବ୍ରହ୍ମପୁର/ନୟାଗଡ଼ : ବ୍ରହ୍ମପୁର ସହର ଓ ନୟାଗଡ଼ରେ କରୋନା କାରୁଣ୍ୟର ୨ଟି ସମାନ ଘଟଣା ଘଟିଛି। ସ୍ବାମୀ ଆଖି ବୁଜିବା ପରେ ଜଣେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟାର ବାଟ ବାଛି ନେଇଥିବାବେଳେ ଅନ୍ୟ ଜଣେ ହୃଦ୍‌ଘାତରେ ପ୍ରାଣ ହରାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ସୌନ୍ଦର୍ଯ୍ୟନଗର ବାସିନ୍ଦା ତଥା ନୀଳକଣ୍ଠନଗର ସରସ୍ବତୀ ବିଦ୍ୟାମନ୍ଦିରର ବରିଷ୍ଠ ଆଚାର୍ଯ୍ୟ ହାଡ଼ିବନ୍ଧୁ ନାହାକ(୫୭) ଗତ ଶୁକ୍ରବାର ଦିନ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ଘର ମୁରବିଙ୍କ ଦେହାନ୍ତ ପରେ ପରିବାର ସଦସ୍ୟ ଭାଙ୍ଗି ପଡ଼ିଥିବା ବେଳେ ପତ୍ନୀ କବିତା(୪୭) ଅତ୍ୟନ୍ତ ମ୍ରିୟମାଣ ହୋଇ ଫ୍ୟାନ୍‌ରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ସେହିଭଳି, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ମିଳିଥିବା ଖବର ଅନୁଯାୟୀ ଇଟାମାଟି ଥାନା ଅଧୀନ ଟାଙ୍ଗିସାହି ପାଟଣାର ଦିଲୀପ ପାତ୍ର କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ବରରେ ଚିକିତ୍ସାଧୀନ ଥିଲେ। ତେବେ ଆଜି ସନ୍ଧ୍ୟାରେ ହଠାତ୍‌ ତାଙ୍କର ମୃତ୍ୟୁ ଖବର ଆସିଥିଲା। ଅଚାନକ ଏଭଳି ଖବର ପାଇବା ପରେ ତାଙ୍କ ପତ୍ନୀ ବିନିଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଦିଲ୍ଲୀପ ଆଠମଲ୍ଲିକରେ ଆଇସିସିଆଇ ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ପ୍ରାୟ ଏକ ବର୍ଷ ତଳେ ବିନିଙ୍କୁ ବିବାହ କରିଥିଲେ। ସ୍ବାମୀଙ୍କ ମୃତ୍ୟୁ ଖବର ପାଇ ବିନିଙ୍କର ଏପରି ଆକସ୍ମିକ ମୃତ୍ୟୁକୁ ନେଇ ବିଭିନ୍ନ କଥା ଚର୍ଚ୍ଚା ହେଉଛି।

The post ସ୍ବାମୀଙ୍କ ମୃତ୍ୟୁ ପରେ ୨ ମହିଳାଙ୍କ ମୃତ୍ୟୁ first appeared on Sambad.

from କରୋନା | Sambad https://ift.tt/3ea72PW