
ୱାସିଂଟନ୍: କୋଭିଡ୍ ଟିକା ଉପରୁ ବିଶ୍ବବ୍ୟାପୀ ‘ପେଟେଣ୍ଟ୍’ ଉଠାଇ ଦେବା ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ଦେଇଥିବା ପ୍ରସ୍ତାବକୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପ୍ରଶାସନ ସମର୍ଥନ କରୁଥିବା କଥା ବୁଧବାର ଦିନ ଘୋଷଣା କରିଛି। ଏ ସଂକ୍ରାନ୍ତରେ ‘ବିଶ୍ବ ବାଣିଜ୍ୟ ସଙ୍ଗଠନ’ ସହ ବୁଝାମଣା କରାଯିବ ବୋଲି ମଧ୍ୟ ଆମେରିକା କହିଛି। ଫଳରେ, ଏହି ଜୀବନ ରକ୍ଷାକାରୀ ଔଷଧ ପାଇବାକୁ ପ୍ରବଳ ଉଦ୍ୟମ କରୁଥିବା ଗରିବ ଦେଶମାନଙ୍କ ପାଇଁ ଆଶା ସଞ୍ଚାର ହୋଇଛି।
ଏକ ବିବୃତିରେ ଯୁକ୍ତରାଷ୍ଟ୍ର ଆମେରିକା ବାଣିଜ୍ୟ ପ୍ରତିନିଧି କ୍ୟାଥେରାଇନ୍ ତାଇ କହିଛନ୍ତି, ବାଣିଜ୍ୟ ନିମନ୍ତେ ‘ବୌଦ୍ଧିକ ସମ୍ପତ୍ତି ସତ୍ବ’ ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ବି ୱାସିଂଟନ୍ କୋଭିଡ୍-୧୯ ଟିକା ନିମନ୍ତେ ଥିବା ସେସବୁ ନିରାପତ୍ତା ଉଠାଇ ନିଆଯିବା କଥାକୁ ସମର୍ଥନ କରୁଛି।
ଟୁଇଟ୍ରେ ସେ ଲେଖିଛନ୍ତି, ମହାମାରୀର ଅବସାନ ଲାଗି ସହଯୋଗ କରିବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା କୋଭିଡ୍-୧୯ ଟିକା ଉପରୁ ‘ଆଇପି ପ୍ରୋଟେକ୍ସନ୍’ ଛାଡ଼ କରାଯିବା ଯୋଜନାକୁ ସମର୍ଥନ କରୁଛି। ଏହାକୁ ସାକାର କରିବା ଲାଗି ଆମେ ‘ବିଶ୍ବ ବାଣିଜ୍ୟ ସଙ୍ଗଠନ’ ସହ ବୁଝାମଣା କରିବାରେ ସକ୍ରିୟ ଅଂଶ ଗ୍ରହଣ କରିବୁ।
ସେ ଆହୁରି ମଧ୍ୟ ଲେଖିଛନ୍ତି, ଏଇଟା ହେଉଛି ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ। କୋଭିଡ୍-୧୯ର ଅଭୂତପୂର୍ବ ସମୟ ଅଭୂତପୂର୍ବ ପଦକ୍ଷେପ ଗ୍ରହଣ କରିବାକୁ ଆହ୍ବାନ ଦେଉଛି।
ସୂଚନଯୋଗ୍ୟ, କୋଭିଡ୍-୧୯ ଟିକା ଉତ୍ପାଦନ ନିମନ୍ତେ ଅଧିକ ଔଷଧ ନିର୍ମାଣକାରୀ କମ୍ପାନିମାନଙ୍କୁ ଅନୁମତି ଦିଆଯାଉ ବୋଲି ଭାରତ ‘ବିଶ୍ବ ବାଣିଜ୍ୟ ସଙ୍ଗଠନ’ ନିକଟରେ ଦାବି କରି ଆସୁଅଛି। କିନ୍ତୁ, ପ୍ରମୁଖ ଔଷଧ କମ୍ପାନିମାନେ ବିରୋଧ କରୁଛନ୍ତି।
The post କୋଭିଡ୍ ଟିକା ଉପରୁ ‘ପେଟେଣ୍ଟ୍’ ଉଠାଇ ଦେବା ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକାର ପ୍ରସ୍ତାବକୁ ସମର୍ଥନ କଲା ଆମେରିକା first appeared on Sambad.from କରୋନା | Sambad https://ift.tt/3eV2gVK
0 Comments