ନୂଆଦିଲ୍ଲୀ : ଭାରତରେ ବିଭୀଷିକା ରଚାଇଥିବା ମହାମାରୀ କୋଭିଡ୍‌-୧୯ ଦ୍ବିତୀୟ ଲହର ସଂକ୍ରମଣ ମୋଡ଼ ବଦଳାଇ ନିମ୍ନମୁଖୀ ହୋଇଥିବା ଜଣାଯାଇଛି। ଲଗାତାର ସାତ ଦିନ ଧରି ଦେଶରେ ଦୈନିକ ସଂକ୍ରମଣ କମି ଆସିବା ସହ ପଜିଟିଭ୍‌ ହାର ମଧ୍ୟ ୨୦ ପ୍ରତିଶତ ତଳକୁ ଖସି ଆସିଛି। ସେହିପରି ଏହି ସପ୍ତାହକ ଭିତରେ ଦେଶରେ ମୋଟ ସକ୍ରିୟ ମାମଲା ମଧ୍ୟ ଖସିଛି। ଯଦିଓ ମୃତକଙ୍କ ସଂଖ୍ୟା ଅଳ୍ପ କିଛି ଅଧିକ ରହିଛି, ତେବେ ମୋଟାମୋଟି ଭାବେ ସଂକ୍ରମଣ ଦୃଷ୍ଟିରୁ ଦ୍ବିତୀୟ ଲହର ଶୀର୍ଷ ଛୁଇଁଥିବା ଅନୁମାନ କରାଯାଉଛି।

ସୂଚନାନୁଯାୟୀ, ଦେଶର ବିଶେଷ କରି ଗ୍ରାମାଞ୍ଚଳରେ ଅପେକ୍ଷାକୃତ କମ୍‌ ସଂଖ୍ୟକ ନମୁନା ପରୀକ୍ଷଣ ହେଉଥିବାରୁ ବାସ୍ତବ ଚିତ୍ର ଯଦିଓ ସାମାନ୍ୟ ଏପଟ ସେପଟ ହେବାର ଆଶଙ୍କା ରହିଛି, ତେବେ ସଂକ୍ରମଣର ଅନ୍ୟ ଉପାଦାନଗୁଡ଼ିକୁ ବିଚାରକୁ ନେଲେ ପୂର୍ବାନୁମାନ ଅନୁଯାୟୀ ସଂକ୍ରମଣ ଏହା ଭିତରେ ଶୀର୍ଷ ହାସଲ କରିସାରିଥିବା ମନେ ହେଉଛି। ଦ୍ବିତୀୟ ଲହରର ଭୟାବହତାକୁ ସ୍ପଷ୍ଟ ସୂଚିତ କରିବା ଲାଗି ସାତ ଦିନର ହାରାହାରି ସଂକ୍ରମଣ ଏକ ଭରସାଯୋଗ୍ୟ ମାପକାଠି ହୋଇଥିବାରୁ ଏଭଳି ଆକଳନ କରାଯାଉଛି। କାରଣ ଗତ ମେ’ ୮ ତାରିଖରେ ରହିଥିବା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩.୯୧ ଲକ୍ଷରେ ପ୍ରାୟ ୫୦ ହଜାର ହ୍ରାସ ଘଟି ଗତ ୧୫ ତାରିଖରେ ତାହା ୩.୫୪ ଲକ୍ଷକୁ ଖସି ଆସିଛି। ସେହିପରି ଜାତୀୟ ଟେଷ୍ଟ ପଜିଟିଭ୍‌ ହାର(ଟିପିଆର୍‌) ଏଇ ସପ୍ତାହରେ ୧୯.୫ ପ୍ରତିଶତ ହୋଇଥିଲା ବେଳେ ପୂର୍ବ ସପ୍ତାହରେ ତାହା ୨୨.୪ ପ୍ରତିଶତ ରହିଥିଲା। ଏଥି ସହିତ ନମୁନା ପରୀକ୍ଷଣ ସଂଖ୍ୟାରେ ବୃଦ୍ଧି ଘଟିବା ସତ୍ତ୍ବେ କମ୍‌ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଅନ୍ୟତମ ଭରସାଯୋଗ୍ୟ ଆକଳନ ଆଣିଛି।

ସେହିପରି ସପ୍ତାହକ(ମେ’ ୮ରୁ ୧୪ ଯାଏ) ଭିତରେ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନୂତନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ କମି ଆସିଛି। ଅପରପକ୍ଷେ, ଏହି ସମୟ ଭିତରେ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସଂକ୍ରମଣରେ ୧୦ ପ୍ରତିଶତରୁ ଅଧିକ ହ୍ରାସ ଘଟିଥିବା ଜଣାଯାଇଛି। ସେଥି ମଧ୍ୟରୁ ଦିଲ୍ଲୀରେ ସର୍ବାଧିକ ୩୯% ହ୍ରାସ ହୋଇଥିବା ବେଳେ ଛତିଶଗଡ଼ରେ ୩୧ ପ୍ରତିଶତ, ଉତ୍ତରପ୍ରଦେଶରେ ୨୯ ପ୍ରତିଶତ, ବିହାରରେ ୨୭ ପ୍ରତିଶତ, ମହାରାଷ୍ଟ୍ରରେ ୨୧ ପ୍ରତିଶତ, ମଧ୍ୟପ୍ରଦେଶରେ ୨୧ ପ୍ରତିଶତ ଓ ଝାଡ଼ଖଣ୍ଡରେ ୨୦ ପ୍ରତିଶତ କମିଆସିଛି। ଅବଶ୍ୟ ଏହି ସମୟ ଭିତରେ ତାମିଲନାଡୁ, ହିମାଚଳପ୍ରଦେଶ, ଆସାମ, ପଶ୍ଚିମବଙ୍ଗ, ଓଡ଼ିଶା ଓ ପଞ୍ଜାବ ଆଦି ରାଜ୍ୟରେ ସଂକ୍ରମଣ ଉଲ୍ଲେଖନୀୟ ଭାବେ ବଢ଼ିଛି। ତେବେ ଦେଶର ମୋଟାମୋଟି ସ୍ଥିତିକୁ ବିଚାର କଲେ ଦ୍ବିତୀୟ ଲହର ଶୀର୍ଷ ଛୁଇଁ ସାରିଥିବା ଅନୁମାନ କରାଯାଉଛି।

The post ଶୀର୍ଷ ଛୁଇଁଲାଣି ସଂକ୍ରମଣ! first appeared on Sambad.

from କରୋନା | Sambad https://ift.tt/2RoNZsz