ନୂଆଦିଲ୍ଲୀ: ଦେଶରେ ଦ୍ରୁତ କୋଭିଡ୍‌ ସଂକ୍ରମଣ ହେତୁ ଡାକ୍ତରଖାନାରେ ପ୍ରବଳ ରୋଗୀ ଭର୍ତ୍ତି ହେବା ଓ ଅକ୍ସିଜେନ୍‌ ଭଳି ସମ୍ବଳ ଅଭାବ ଦେଖା ଦେଇଥିବାରୁ କେନ୍ଦ୍ର ସରକାର ତାଙ୍କର କର୍ମଚାରୀମାନଙ୍କ ଉପସ୍ଥାନ ନିୟମ କୋହଳ କରିଛନ୍ତି।  ଭିନ୍ନକ୍ଷମ ଏବଂ ଅନ୍ତଃସତ୍ତ୍ବା କର୍ମଚାରୀମାନେ ଅଫିସ୍‌କୁ ନ ଆସି ଘରେ ଥାଇ କାମ କରି ପାରିବେ ବୋଲି ଏକ ସଂଶୋଧିତ ସର୍କ୍ୟୁଲାର୍‌ରେ ଗୁରୁବାର ଦିନ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

କାର୍ଯ୍ୟସ୍ଥଳୀରୁ ଜନ ଗହଳି ଏଡ଼ାଇବାକୁ ଏ ମାସ ଶେଷ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କର ସମସ୍ତ ବିଭାଗ ଭିନ୍ନ ଭିନ୍ନ ସମୟରେ କାର୍ଯ୍ୟ କରିବ। ଅଣ୍ଡର୍‌ ସେକ୍ରେଟେରି ଏବଂ ତାଙ୍କ ଠାରୁ ନିମ୍ନ ବର୍ଗର ୫୦% କର୍ମଚାରୀଙ୍କୁ ନେଇ ଅଫିସ୍‌ ଚଳାଯିବ ବୋଲି ମଧ୍ୟ ସରକାର ନିର୍ଦେଶ ଦେଇଛନ୍ତି। ମେ ମାସ ‌୩୧ ତାରିଖ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ।

Image Courtesy of News18

ଏହି ଆଦେଶନାମାରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ‘କଣ୍ଟେନ୍‌ମେଣ୍ଟ୍‌’ ନ ଉଠିବା ପର୍ଯ୍ୟନ୍ତ ‘କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌’ରେ ଥିବା କର୍ମଚାରୀମାନେ ଘରେ ଥାଇ କାମ କରିପାରିବେ। କିନ୍ତୁ, ଯୋଗାଯୋଗ ଲାଗି ସବୁ ସମୟରେ ସେମାନେ ଟେଲିଫୋନ୍‌ ଓ ଅନ୍ୟ ଇଲେକ୍ଟ୍ରୋନିକ୍‌ ମିଡିଆରେ ଉପଲବ୍ଧ ହେବା ନିତାନ୍ତ ଜରୁରୀ।

ସେହିପରି, ଅଫିସ୍‌ରେ କୋଭିଡ୍‌+ ମାମଲା ଏବଂ ଅଫିସ୍‌ ଚଳିବାର ଆବଶ୍ୟକତା ପ୍ରତି ଧ୍ୟାନ ଦେଇ ସମସ୍ତ ମନ୍ତ୍ରାଳୟର ସଚିବ/ବିଭାଗ ସବୁ ସେମାନଙ୍କ କର୍ମଚାରୀମାନଙ୍କର ଉପସ୍ଥାନ ନିୟନ୍ତ୍ରଣ କରିପାରିବେ ବୋଲି ଜାରି ନିୟମାବଳୀରେ ଉଲ୍ଲେଖ ଅଛି।

ଅଫିସ୍‌ ଆସୁଥିବା ସମସ୍ତ କର୍ମଚାରୀ ଫେସ୍‌ମାସ୍କ୍‌ ପିନ୍ଧିବା, ଶାରୀରିକ ଦୂରତ୍ବ ବଜାୟ ରଖିବା, ସାନିଟାଇଜର୍‌ ବ୍ୟବହାର କରିବା ସହ ସବୁ ବେଳେ ସାବୁନରେ ହାତ ଧୋଇବା ପାଇଁ ଏଥିରେ ନିର୍ଦେଶ ଦିଆଯାଇଛି। ଜଳପାନ କିଓସ୍କ ଓ ପାର୍କିଙ୍ଗ୍‌ ଅଞ୍ଚଳ ସମେତ କର୍ମଚାରୀମାନେ ଲିଫ୍‌ଟ୍‌, ପାହାଚଶ୍ରେଣୀ, କରିଡର୍‌ ଏବଂ ସଭିଙ୍କ ପାଇଁ ଚଲାବୁଲା ପାଇଁ ଉଦ୍ଦିଷ୍ଟ ସ୍ଥାନରେ ଗହଳି କରିପାରିବେ ନାହିଁ ବୋଲି ମଧ୍ୟ ଏଥିରେ କୁହାଯାଇଛି।

The post କର୍ମଚାରୀଙ୍କ ଉପସ୍ଥାନ ନିୟମ କୋହଳ କଲେ କେନ୍ଦ୍ର ସରକାର; ଅନ୍ତଃସତ୍ତ୍ବା ମହିଳା ଏବଂ ଭିନ୍ନକ୍ଷମ କର୍ମଚାରୀ ଘରୁ ଥାଇ କାମ କରିପାରିବେ first appeared on Sambad.

from କରୋନା | Sambad https://ift.tt/3uvDli0