ନୂଆଦିଲ୍ଲୀ: କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହେବାର ୩ ମାସ ପରେ କରୋନାଭାଇସ୍‌ ନିରୋଧୀ ଟିକା ନେଇ ହେବ ବୋଲି ‘ନ୍ୟାସ୍‌ନାଲ୍‌ ଏକ୍ସପର୍ଟ ଗ୍ରୁପ୍‌ ଅନ୍‌ ଭ୍ୟାକ୍ସିନ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ଫର୍‌ କୋଭିଡ୍‌-୧୯’ (ଏନ୍‌ଇଜିଭିଏସି) କରିଥିବା ସୁପାରିସକୁ ବୁଧବାର ଦିନ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ପୂର୍ବରୁ ଏଥିପାଇଁ ୬ ମାସ ସମୟ ବ୍ୟବଧାନ ରଖାଯାଇଥିଲା।

କୋଭିଡ୍‌-୧୯ ମହାମାରୀ ପରିସ୍ଥିତିରେ ଉନ୍ନତି ଏବଂ ବୈଶ୍ବିକ ବୈଜ୍ଞାନିକ ପ୍ରମାଣ ଆଧାରିତ ହୋଇଥିବାରୁ ‘ଏନ୍‌ଇଜିଭିଏସି’ର ସୁପାରିସକୁ ଗ୍ରହଣ କରାଯାଇଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

ଏଥିସହ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଘୋଷଣା କରିଛି ଯେ, ପ୍ରଥମ ଡୋଜ୍‌ ଟିକା ନେବା ପରେ ଯଦି କୌଣସି ବ୍ୟକ୍ତି କୋଭିଡ୍-୧୯ ଆକ୍ରାନ୍ତ ହୋଇ ଥାଆନ୍ତି, ସେ ସୁସ୍ଥ ହେବାର ୩ ମାସ ପରେ ଦ୍ବିତୀୟ ଡୋଜ୍‌ ଟିକା ନେଇ ପାରିବେ। ଛୁଆମାନଙ୍କୁ କ୍ଷୀର ଦେଉଥିବା ମହିଳାମାନେ ମଧ୍ୟ କୋଭିଡ୍‌-୧୯ ନିରୋଧୀ ଟିକା ନେଇ ପାରିବେ। କିନ୍ତୁ, ଅନ୍ତଃସତ୍ତ୍ବା ମହିଳାମାନଙ୍କୁ ଟିକା ଦିଆଯିବା ସଂକ୍ରାନ୍ତରେ ଆଲୋଚନା ଚାଲିଛି ଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

Image Courtesy of The Hindu

ସେହିଭଳି, ଅନ୍ୟ କୌଣସି ସାଙ୍ଘାତିକ ରୋଗାକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବା ‘ଆଇସିୟୁ କେୟାର୍‌’ରେ ଥିବା ବ୍ୟକ୍ତିମାନେ ସୁସ୍ଥ ହେବାର ୪ ରୁ ୮ ସପ୍ତାହ ମଧ୍ୟରେ କୋଭିଡ୍‌-୧୯ ନିରୋଧୀ ଟିକା ନେଇ ପାରିବେ।

ଟିକା ନେବା ପୂର୍ବରୁ ଆଉ କୌଣସି ହିତାଧିକାରୀଙ୍କର ‘ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ୍‌’ କରାଯିବ ନାହିଁ। ଟିକାକରଣ ସଂକ୍ରାନ୍ତ ଏହି ପରିବର୍ତ୍ତନ କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅବଗତ କରାଇ ଦେଇଛି।

The post କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହେବାର ୩ ମାସ ପରେ ଟିକା ନେଇ ହେବ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ first appeared on Sambad.

from କରୋନା | Sambad https://ift.tt/3u0bR33