ଅଙ୍ଗନବାଡ଼ି କର୍ମୀଙ୍କ ତ୍ୟାଗକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ଭୁବନେଶ୍ବର : ଆଗଧାଡିର ଯୋଦ୍ଧା ଭାବେ ଅଙ୍ଗନବାଡ଼ି କର୍ମୀଙ୍କ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍‌ ଦ୍ବିତୀୟ ଲହରରୁ ନିଜ ଗାଁକୁ ସୁରକ୍ଷା ଦେବା ସହ ନିଜେ ସୁରକ୍ଷିତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗ ପକ୍ଷରୁ ଆଇସିଡିଏସ୍‌ କର୍ମକର୍ତ୍ତା ଓ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଅନୁଷ୍ଠିତ ଭର୍ଚୁଆଲ୍‌ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ଏକ ବର୍ଷରୁ ଅଧିକ ସମୟ ଧରି କୋଭିଡ୍‌ ମୁକାବିଲାରେ ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାମାନେ ଖୁବ୍ ଭଲ କାମ କରୁଛନ୍ତି। ଆସନ୍ତା ୨୪ ତାରିଖରୁ ଅଙ୍ଗନବାଡ଼ି କର୍ମୀମାନେ ଘର ଘର ବୁଲି କୋଭିଡ୍‌ ଲକ୍ଷଣ ଓ ଗୁରୁତର ରୋଗୀଙ୍କୁ ଚିହ୍ନଟ କାର୍ଯ୍ୟ ଆରମ୍ଭ କରିବେ। ଏଥିରେ ସେମାନେ ନିଶ୍ଚିତ ଭାବେ ସଫଳ ହେବେ ଓ‌ ସେମାନଙ୍କ ମାଧ୍ୟମରେ ଗାଁକୁ ସଂକ୍ରମଣମୁକ୍ତ କରାଯାଇପାରିବ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଗ୍ରାମାଞ୍ଚଳରେ କୋଭିଡ୍‌ ସଚେତନତା ସୃଷ୍ଟି ସହ ନିଜର ଓ ନିଜ ପରିବାରର ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଦକ୍ଷତା ବୃଦ୍ଧି ୱେବିନାର୍‌ର ଆଭିମୁଖ୍ୟ ସମ୍ପର୍କରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଘରକୁ ଘର ସର୍ଭେ ସମୟରେ ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାମାନଙ୍କୁ କୋଭିଡ୍‌ ସମ୍ପର୍କିତ ତିନିଟି ମୁଖ୍ୟ ପ୍ରସଙ୍ଗ ଯଥା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସତର୍କତା, ପୁଷ୍ଟିସାଧନ ଏବଂ ଶିଶୁ ସୁରକ୍ଷା ଉପରେ ବିଶେଷଜ୍ଞମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦ୍ଦେଶକ ଅମରେନ୍ଦ୍ର ନାଥ ମହାନ୍ତି ଓ ତାଙ୍କ ଟିମ୍‌ ଦ୍ବାରା ବିଭିନ୍ନ ପରାମର୍ଶ ଦିଆଯାଇଥିଲା। ସମାଜ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ କାର୍ଯ୍ୟକ୍ରମର ରୂପାୟନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ। ୟୁନିସେଫ୍‌ ସହାୟତାରେ ଆୟୋଜିତ ଏହି ୱେବିନାର୍‌ରେ ପ୍ରାୟ ୭୦ ହଜାର କ୍ଷେତ୍ର କର୍ମଚାରୀ ଯୋଡ଼ି ହୋଇଥିଲେ। ଜିଲ୍ଲା ସ୍ତରରେ କୋଭିଡ୍‌ ମୁକାବିଲା ପାଇଁ କାର୍ଯ୍ୟ କରୁଥବା ଡିଏସ୍‌ଡବ୍ଲ୍ୟୁ, ସିଡିପିଓ, ସୁପର୍‌ଭାଇଜର୍‌, ପ୍ରୋଗ୍ରାମ ମ୍ୟାନେଜର୍‌, ଡିସିପିଓ ଓ ଅଙ୍ଗନବାଡ଼ି କର୍ମୀମାନେ ନିଜ ନିଜ ଜିଲ୍ଲାରୁ ଏହି ୱେବିନାର୍‌ରେ ସାମିଲ ହୋଇଥିଲେ।

The post କୋଭିଡ୍‌ ଦ୍ବିତୀୟ ଲହରରେ ଗାଁକୁ ସୁରକ୍ଷା‌ ଦେଇ ନିଜେ ସୁରକ୍ଷିତ ରୁହ first appeared on Sambad.

from କରୋନା | Sambad https://ift.tt/2RCYmJx