ମୁଜାଫରନଗର: କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତ ରାଷ୍ଟ୍ରୀୟ ଲୋକଦଳର ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜିତ ସିଂହଙ୍କର ଆଜି ଦେହାନ୍ତ ହୋଇଯାଇଛି। କରୋନାଭାଇରସ୍‌+ ଜଣାପଡ଼ିବା ପରେ ଚିକିତ୍ସା ନିମନ୍ତେ ‘ରାଷ୍ଟ୍ରୀୟ ଲୋକଦଳ’ର ମୁଖ୍ୟ ୮୬ ବର୍ଷିୟ ଅଜିତଙ୍କୁ ଗୁରୁଗ୍ରାମର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ପୁତ୍ର ଅଜିତ ସିଂହ ବାଗପତ ଆସନରୁ ୭ ଥର ସାଂସଦ ହୋଇଥିଲେ। ଏହାଛଡ଼ା, ସେ କେନ୍ଦ୍ରମନ୍ତ୍ରୀ ଭାବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଦାୟିତ୍ବ ନିର୍ବାହ କରିଥିଲେ। ସର୍ବ ପ୍ରଥମେ ସେ ଭିପି ସିଂହଙ୍କ ସରକାରରେ କେନ୍ଦ୍ର ଶିଳ୍ପମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ। ପୁଣି ସେ କଂଗ୍ରେସରେ ଯୋଗ ଦେଇ ପିଭି ନରସିଂହ ରାଓଙ୍କ ସରକାରରେ ଖାଦ୍ୟମନ୍ତ୍ରୀ ହେବା ପରେ ୧୯୯୬ରେ କଂଗ୍ରେସ ପାର୍ଟିରୁ ଇସ୍ତଫା ଦେଇଥିଲେ।

Image Courtesy of CNBCTV18

ଏହାପରେ, ସେ ‘ରାଷ୍ଟ୍ରୀୟ ଲୋକଦଳ’ ସ୍ଥାପନ କରିବା ସହ ୨୦୦୧ରେ ଅଟଳବିହାରୀ ବାଜପେୟୀଙ୍କ ସରକାର ସହ ମେଣ୍ଟ କରି କୃଷିମନ୍ତ୍ରୀ ହୋଇଥିଲେ। ୨୦୦୩ ମେ ପର୍ଯ୍ୟନ୍ତ ସେ ‘ଏନ୍‌ଡିଏ’ ମେଣ୍ଟରେ ଅନ୍ୟତମ ସଦସ୍ୟ ଭାବେ ରହି ଆସିଥିଲେ।

୧୯୭୯-୧୯୮୦ ପର୍ଯ୍ୟନ୍ତ ୬ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଥିବା ସୁଦକ୍ଷ କୃଷକ ନେତା ଚରଣ ସିଂହଙ୍କ ପୁତ୍ର ଅଜିତ ୧୯୩୧ରେ ଜନ୍ମଲାଭ କରିଥିଲେ। ରାଜନୀ‌ତିରେ ଯୋଗ ଦେବା ପୂର୍ବରୁ ସେ ଯୁକ୍ତରାଷ୍ଟ୍ର ଆମେରିକାରେ ୧୫ ବର୍ଷ ଧରି କମ୍ପ୍ୟୁଟର୍‌ ଶିଳ୍ପରେ କାର୍ଯ୍ୟ କରିଥିଲେ। ପରେ ବାପାଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ସେ ସମୃଦ୍ଧ ପଶ୍ଚିମ ଉତ୍ତର ପ୍ରଦେଶ ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ।

‘ଆଇଆଇଟି-ଖଡ଼ଗପୁର’ ଏବଂ ଚିକାଗୋର ‘ଇଲିନିୟସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜି’ରୁ ଡିଗ୍ରି ହାସଲ କରିଥିବା ଅଜିତ ସିଂହ ୧୯୮୬ରେ ପ୍ରଥମେ ରାଜ୍ୟସଭା ସାଂସଦ ହୋଇଥିଲେ। ପରେ ସେ ଲୋକସଭା ନିମନ୍ତେ ବାଗପତରୁ ୭ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଜାଟ୍‌-ପ୍ରାଧାନ୍ୟ ପଶ୍ଚିମ ଉତ୍ତର ପ୍ରଦେଶରେ ତାଙ୍କ ଦଳ ‘ଆର୍‌ଏଲ୍‌ଡି’ର ପ୍ରଚଣ୍ଡ ପ୍ରଭାବ ରହିଛି।

The post କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତ ‘ରାଷ୍ଟ୍ରୀୟ ଲୋକଦଳ’ର ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜିତ ସିଂହଙ୍କ ଦେହାନ୍ତ first appeared on Sambad.

from କରୋନା | Sambad https://ift.tt/3b52TLw