ରାଜ୍ୟରେ ୩୨ ହଜାର ଶିଶୁ କୋଭିଡ ଆକ୍ରାନ୍ତ

୧୦ ଦିନରେ ୨୨.୫ ପ୍ରତିଶତ ବୃଦ୍ଧି
୭ ଦିନରେ ବିସ୍ତୃତ ତଥ୍ୟ ପାଇଁ ଜାତୀୟ ଶିଶୁ ସୁରକ୍ଷା କମିସନଙ୍କ ନିର୍ଦେଶ

ଭୁବନେଶ୍ବର : ଦ୍ବିତୀୟ ଲହରରେ ରାଜ୍ୟରେ ୩୨ ହଜାର ୮୮୪ ଶିଶୁ କୋଭିଡ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଥିମଧ୍ୟରୁ ୧୦ ଦିନରେ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ୨୨.୫ ପ୍ରତିଶତ ବୃଦ୍ଧି ପାଇଛି । ଏହି ସଂଖ୍ୟା ବେଶ୍ ଚିନ୍ତାଜନକ ହୋଇଥିବାରୁ ରାଜ୍ୟରେ କୋଭିଡ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ସୁବିଧା ନେଇ ୭ ଦିନ ମଧ୍ୟରେ ସୂଚନା ପ୍ରଦାନ ପାଇଁ ରାଜ୍ୟ ସ୍ବାସ୍ଥ୍ୟ,ପରିବାର କଲ୍ୟାଣ ବିଭାଗ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରିଛନ୍ତି ଜାତୀୟ ଶିଶୁ ସୁରକ୍ଷା କମିସନ।

ତୃତୀୟ ଲହର ଆସିଲେ ଶିଶୁମାନେ କୋଭିଡ ଆକ୍ରାନ୍ତ ହେବେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଥିଲେ। ମାତ୍ର ଦ୍ବିତୀୟ ଲହରରେ ମଧ୍ୟ ଏତେ ସଂଖ୍ୟାରେ ଶିଶୁ ‌କୋଭିଡ ଆକ୍ରାନ୍ତ ହୋଇଥିବାରୁ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ନବଜାତକଙ୍କଠାରୁ ଆରମ୍ଭ କରି ୧୪ ବର୍ଷ ପର୍ଯ୍ୟନ୍ତ, ସବୁ ବର୍ଗର ପିଲାଙ୍କୁ କୋଭିଡ ଆକ୍ରାନ୍ତ କଲାଣି। ଏଥିମଧ୍ୟରେ ୫ରୁ ୧୨ ବର୍ଷ ମଧ୍ୟରେ ପିଲା ସର୍ବାଧିକ ରହିଛନ୍ତି। ଲକଡାଉନରେ ସ୍କୁଲ ବନ୍ଦ ହେବା ଯୋଗୁଁ ପିଲାମାନେ ବାହାରେ ଖେଳି ଏବଂ କୋଭିଡ ଆକ୍ରାନ୍ତ ଅଭିଭାବକଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହେଉଛନ୍ତି। ଅନେକ କୋଭିଡ ଡାକ୍ତରଖାନାରେ ପିଲାଙ୍କ ପାଇଁ ସ୍ବତନ୍ତ୍ର ଓ୍ବାର୍ଡ ବ୍ୟବସ୍ଥା ନାହିଁ। ସେମାନଙ୍କ ଚିକିତ୍ସା ପାଇଁ ଶକ୍ତିଶାଳୀ ଔଷଧ ଦିଆଯାଇ ପାରିବ ନାହିଁ। ଏଭଳି ସ୍ଥିତିରେ ପିଲାଙ୍କ କୋଭିଡ ଚିକିତ୍ସା କିଭଳି ହେଉଛି ଏହାକୁ ଗୁରୁତ୍ବର ସହ ନେଇଛନ୍ତି ଜାତୀୟ ଶିଶୁ ସୁରକ୍ଷା ସୁରକ୍ଷା କମିସନ। ରାଜ୍ୟର ବିଭିନ୍ନ ଡାକ୍ତରଖାନା ସ୍ଥିତ ଏସଏନସିୟୁ, କିମ୍ବା ଏନଆଇସିୟୁ କିମ୍ବା ପିଆଇସିୟୁରେ କେତେ କୋଭିଡ ଆକ୍ରାନ୍ତ ଶିଶୁ ଚିକିତ୍ସିତ ହେଉଛନ୍ତି ଏହାର ବିସ୍ତୃତ ତଥ୍ୟ ଦେବାକୁ କୁହାଯାଇଛି।

ଅନ୍ୟଦିଗରେ ୧୮ ବର୍ଷରୁ ଉର୍ଧ୍ବଙ୍କ ପାଇଁ ଟିକା ରହିଛି। ପିଲାଙ୍କ ପାଇଁ ଏହା ବିଳମ୍ବିତ ହେଉଛି। ତୃତୀୟ ଲହରରେ ଅଧିକ ଶିଶୁ ଆକ୍ରାନ୍ତ ହେବେ ବୋଲି ପୂର୍ବାନୁମାନ କରାଯାଉଛି। କେରଳରେ ମଧ୍ୟ ଏହାର ପ୍ରଭାବ ଅନୁଭବ ହେଉଥିବା ଡାକ୍ତର କହିଲେଣି। ଏଭଳି ସ୍ଥିତି ପାଇଁ ଓଡ଼ିଶା ମଧ୍ୟ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ମତ ପ୍ରକ‌‌ାଶ ପାଇଛି। ଇତିମଧ୍ୟରେ ଭୁବନେଶ୍ବର ଏମ୍ସରେ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି।

The post ରାଜ୍ୟରେ ୩୨ ହଜାର ଶିଶୁ କୋଭିଡ ଆକ୍ରାନ୍ତ first appeared on Sambad.

from କରୋନା | Sambad https://ift.tt/3hEaWTz

Post a Comment

0 Comments