
ରାଉରକେଲା: କେବଳ ଗୋଟିଏ ଥର ନୁହେଁ ବରଂ ଦୁଇ ଦୁଇ ଥର କରୋନାକୁ ପରାସ୍ତ କରିସାରିଲେଣି ସେକ୍ଟର-୧ ସି’ବ୍ଲକ ବାସିନ୍ଦା ପ୍ରତାପ ମହାନ୍ତି(୪୬)। କରୋନା ପ୍ରଥମ ଲହରରେ ଗତ ନଭେମ୍ବର ମାସରେ ପ୍ରଥମଥର ଓ ପ୍ରାୟ ମାସେ ପୂର୍ବେ ଦ୍ବିତୀୟଥର ସଂକ୍ରମିତ ହୋଇଥିଲେ। ତେବେ ଉଭୟଥର ସେ କରୋନାକୁ ପରାସ୍ତ କରିବାରେ ସକ୍ଷମ। ଯଦିଓ ପ୍ରଥମ ଲହରରେ ପରିବାରର ଅନ୍ୟସଦସ୍ୟ ଆକ୍ରାନ୍ତ ହୋଇନଥିଲେ, ଏଥର କିନ୍ତୁ ପୁରା ପରିବାର ସଂକ୍ରମିତ ହୋଇଥିଲେ। ମାତ୍ର ଦୃଢ଼ ମନୋବଳ ଯୋଗୁ ପୁରା ପରିବାର କରୋନାକୁ ମାତ୍ ଦେଇଛି। ଏନେଇ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି ପ୍ରତାପ।
ଗତ ଏପ୍ରିଲ ୧୫ ତାରିଖ ସନ୍ଧ୍ୟାରେ ସାମାନ୍ୟ ମୁଣ୍ଡ ବିନ୍ଧା ହେବା ସହ ଜ୍ବର ହୋଇଥିଲା। ଏଣୁ ସଂକ୍ରମିତ ହୋଇଥିବା ଆଶଙ୍କା କରି ତା’ପରଦିନ ହିଁ ଇସ୍ପାତ ଜେନେରାଲ ହସପିଟାଲରେ କୋଭିଡ୍ ଟେଷ୍ଟ୍ କଲି। ରିପୋର୍ଟ ପଜିଟିଭ ଆସିବାରୁ ଘରକୁ ଆଉ ନ ଫେରି ସିଧାସଳଖ ସେକ୍ଟର-୫ ସ୍ଥିତ କୋଭିଡ୍ କେୟାର ସେଣ୍ଟର୍ରେ ଭର୍ତ୍ତି ହୋଇଥିଲେ। କୌଣସି ପ୍ରକାର ରିସ୍କ ନ ନେଇ ୧୯ ତାରିଖରେ ପତ୍ନୀ ନିରୂପମା(୪୧), ପୁଅ ମନୀଷ(୧୫) ଓ ଝିଅ କୀର୍ତ୍ତିକା(୧୦)ଙ୍କୁ ଟେଷ୍ଟ୍ କରାଇନେବାକୁ ପରାମର୍ଶ ଦେଇଥିଲି। ପରାମର୍ଶକ୍ରମେ ସେମାନେ ଟେଷ୍ଟ୍ କରିବାରୁ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ମୁଁ ଆକ୍ରାନ୍ତ ହେବାପରେ ମାନସିକ ସ୍ତରରେ ବେଶ୍ ସୁଦୃଢ଼ ଥିଲି, କିନ୍ତୁ ପତ୍ନୀ ଓ ଦୁଇ ନାବାଳକ ପୁଅ-ଝିଅ ସଂକ୍ରମିତ ହେବାପରେ ଚିନ୍ତା ପଶିଯାଇଥିଲା। ମାତ୍ର ଚିନ୍ତା ଭାରାକ୍ରାନ୍ତ କରିପାରିନଥିଲା। ପରିବାର ସଦସ୍ୟ ଘରେ ସଙ୍ଗରୋଧରେ ରହିଥିଲେ। ପ୍ରତିଦିନ ସେମାନଙ୍କ ସହ ଫୋନ୍, ଭିଡିଓ କଲ୍ ମାଧ୍ୟମରେ କଥାବାର୍ତ୍ତା ହେଉଥିଲି। ଭାଗ୍ୟବଶତଃ ପତ୍ନୀ କିମ୍ବା ପିଲାଛୁଆଙ୍କର ବିଶେଷ ଲକ୍ଷଣ ନ ଥିଲା।
ଗତ ବର୍ଷ ନଭେମ୍ବର ୨୧ ତାରିଖରେ ପ୍ରଥମଥର ପାଇଁ ଆକାନ୍ତ ହେବାପରେ ସୁସ୍ଥ ହୋଇଥିଲି। ଜାଣିଥିଲି ଏଭଳି ସମୟରେ ଭାଙ୍ଗିନପଡ଼ି ମନୋବଳକୁ ଦୃଢ଼ କରିବାକୁ ପଡ଼ିବ। ଡାକ୍ତରଙ୍କ ନିୟମିତ ପରାମର୍ଶ, ନିର୍ଦ୍ଦେଶ ମୁତାବକ ଔଷଧ ଓ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଗ୍ରହଣ କରିଥିଲୁ। ଏହି ସମୟରେ ଭାଇ, ସାଙ୍ଗସାଥୀ ବେଶ୍ ସହଯୋଗ କରିଥିଲେ। ଘରେ ଥିବା ପତ୍ନୀ ଓ ପିଲାଛୁଆଙ୍କ ପାଇଁ ଖାଦ୍ୟ ସାମଗ୍ରୀ ପହଞ୍ଚାଇବାଠାରୁ ସମସ୍ତ ଆବଶ୍ୟକତା ଯୋଗାଇ ଦେଇଥିଲେ। ଏବେ ଆମେ ପୁରା ପରିବାର ସୁସ୍ଥ। ତଥାପି ସମସ୍ତ କୋଭିଡ୍ ନିୟମାବଳୀକୁ ପାଳନ କରୁଛୁ।
The post ଦୁଇ ଦୁଇଥର କରୋନାକୁ ପରାସ୍ତ କଲେଣି ପ୍ରତାପ first appeared on Sambad.from କରୋନା | Sambad https://ift.tt/3ut3iy2
0 Comments