ଜଗନ୍ନାଥପ୍ରସାଦ : କରୋନାରେ କେରଳ ଦୁଇ ଯାଆଁଳା ଭାଇ ଜୋ’ଫ୍ରେଡ୍‌ ଓ ରାଲ୍‌ଫ୍ରେଡ୍‌ଙ୍କ ମୃତ୍ୟୁ ଭଳି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍‌ରେ ଏକ ସମାନ ଘଟଣା ଘଟିଛି। ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁର କୋଳରେ ଶୋଇଯାଇଛନ୍ତି ଯମଜ ଭାଇ ଲବ ଓ କୁଶ। ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପରେ ଦୁଇଦିନ ଅନ୍ତରରେ ଯମଜ ଭାଇଙ୍କ ମୃତ୍ୟୁ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ଦେଇଛି। ଅସହାୟ ପାଲଟିଯାଇଛି ବୃଦ୍ଧା ମା’।

ଗତ ୧୭ ତାରିଖ ଦିନ ଚିକିଲି ଗ୍ରାମର ଧବଳେଶ୍ବର ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଥିଲା। ଭୁବନେଶ୍ବରର ଏକ ଘରୋଇ ଉଦ୍ୟୋଗରେ ଚାକିରି କରୁଥିବା ତାଙ୍କର ଯାଆଁଳା ପୁଅ ଲବ ଓ କୁଶ (୨୬) ଗ୍ରାମରେ ପହଞ୍ଚି ଯଥାରୀତି ଅନୁସାରେ ଶ୍ରାଦ୍ଧବାର୍ଷିକୀ ପାଳନ କରିଥିଲେ। ଏହାର ଦୁଇଦିନ ପରେ ଅର୍ଥାତ୍ ଗତ ୧୯ ତାରିଖରେ ହଠାତ୍ ସାନଭାଇ କୁଶ ଅସୁସ୍ଥ ହୋଇ ପଡ଼ିଥିଲେ। ଭଞ୍ଜନଗର ଡିସିଏଚ୍‌ସିରେ କୁଶ ଚିକିତ୍ସିତ ହେଉଥିବାବେଳେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା। ୨୦ ତାରିଖ ରାତିରେ ହଠାତ୍ କୁଶଙ୍କ ମୃତ୍ୟୁ ହୋଇଥିଲା। କୁଶଙ୍କ ଶବକୁ ଗ୍ରାମ ଭିତରକୁ ଅଣା ନଯାଇ କୋଭିଡ୍ ଗାଇଡଲାଇନ୍ ଅନୁସାରେ ଶ୍ମଶାନରେ ସଂସ୍କାର କରାଯାଇଥିଲା। କିନ୍ତୁ ଏହାପରେ ଲବ ବି ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଲବ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

ଆଉ ଦୁନିଆକୁ ଏକାଠି ଆସିଥିବା ଦୁଇ ଭାଇ ଦୁଇ ଦିନ ଅନ୍ତରରେ ଡକାଡକି ହୋଇ ପଳାଇଥିଲେ। ଏହି ଘଟଣା ଗଁାରେ ଶୋକର ଛାୟା ଖେଳାଇ ଦେଇଛି।

The post କରୋନାରେ ଚାଲିଗଲେ ଯାଆଁଳା ଭାଇ ଲବ, କୁଶ first appeared on Sambad.

from କରୋନା | Sambad https://ift.tt/348lQcf