ନୂଆଦିଲ୍ଲୀ: ରବିବାର ଦିନ ଭାରତୀୟ ବାୟୁସେନା ବିମାନ ଯୋଗେ ଜର୍ମାନିର ଫ୍ରାଙ୍କ୍‌ଫର୍ଟରୁ ୪ଟି ‘ଅକ୍ସଜେନ୍‌ କଣ୍ଟେନର୍‌’ ନେଇ ଦିଲ୍ଲୀସ୍ଥିତ ହିନ୍ଦୋନ୍ ବିମାନଘାଟିରେ ପହଞ୍ଚାଇଛି। ଏହା ବ୍ୟତିରେକେ, ଇଂଲଣ୍ଡ୍‌ର ବ୍ରାଇଜ୍‌ ନର୍ଟନ୍‌ରୁ ତାମିଲନାଡୁସ୍ଥିତ ଚେନ୍ନାଇ ବିମାନଘାଟିକୁ ୪୫୦ଟି ଅକ୍ସିଜେନ୍‌ ସିଲିଣ୍ଡର୍‌ ଆଣିବା ଲାଗି ଭାରତୀୟ ବାୟୁସେନା ତା’ର ‘ସି-୧୭’ ବିମାନ ବ୍ୟବହାର କରିଛି।

ସେହିଭଳି, ଫ୍ରାନ୍‌ସ୍‌, ତାଇୱାନ୍‌, ଉଜ୍‌ବେକିସ୍ତାନ ଏବଂ ବେଲ୍‌ଜିୟମ୍‌ ମଧ୍ୟ ରବିବାର ଦିନ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ସମେତ ଅନେକ ଡାକ୍ତରୀ ଉପକରଣ ପଠାଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ୧,୨୫,୦୦୦ ଶିଶି ଭୂତାଣୁ ନିରୋଧୀ ଔଷଧ ରେମ୍‌ଡେସିଭିୟର୍‌ ପଠାଇଛି। ପୃଥକ୍‌ ଭାବେ ବେଲ୍‌ଜିୟମ୍‌ ମଧ୍ୟ ରବିବାର ଦିନ ଭାରତକୁ ୯,୦୦୦ ଶିଶି ରେମ୍‌ଡେସିଭିୟର୍‌ ପଠାଇଛି।

Image Courtesy of India Today

ମହାମାରୀ ମୁକାବିଲାରେ ଭାରତକୁ ସହଯୋଗ କରିବା ନିମନ୍ତେ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମାନୁଏଲ୍‌ ମ୍ୟାକ୍ରୋନ୍‌ ଆରମ୍ଭ କରିଥିବା ‘ସଲିଡାରିଟି ମିସନ୍‌’ର ପ୍ରଥମ ପର୍ଯ୍ୟାୟରେ ଏକ ସ୍ବତନ୍ତ୍ର ପଣ୍ୟବାହୀ ବିମାନ ୨୮ ଟନ୍‌ ଡାକ୍ତରୀ ଉପକରଣ ଧରି ଭାରତରେ ଅବତରଣ କରିଥିଲା। ଏଥିରେ ଆସିଥିବା ୮ଟି ପ୍ରକାଣ୍ଡ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ଅନେକ ବର୍ଷ ଧରି ୨୫୦ଟି ଶଯ୍ୟାକୁ ଅହର୍ନିଶ ଅକ୍ସିଜେନ୍‌ ଯୋଗାଇ ପାରିବ। ଏଥିସହ ଆସିଥିବା ଅନ୍ୟାନ୍ୟ ଡାକ୍ତରୀ ଉପକରଣକୁ ମିଶାଇ ୧୭ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସହାୟତା ଆସିଥିବା କଥା ଫ୍ରାନ୍‌ସ୍‌ ଦୂତାବାସ କହିଛି।

ତାଇୱାନ୍‌ ମଧ୍ୟ ନିବିଡ଼ ବନ୍ଧୁତ୍ବ ପ୍ରଦର୍ଶନ କରି ଭାରତକୁ ୧୫୦ଟି ଅକ୍ସିଜେନ୍‌ କଣ୍ଟେନର୍‌ ଏବଂ ୫୦୦ ଅକ୍ସିଜେନ୍‌ ସିଲିଣ୍ଡର୍‌ ପଠାଇଛି। ଖୁବ୍‌ ଶୀଘ୍ର ଅନ୍ୟାନ୍ୟ ଡାକ୍ତରୀ ସାମଗ୍ରୀ ଭାରତକୁ ପଠାଯିବ ବୋଲି ‘ତାଇପେଇ ଇକୋନୋମିକ୍‌ ଆଣ୍ଡ୍ କଲ୍‌ଚୁରାଲ୍‌ ସେଣ୍ଟର୍‌’ କହିଛି।

The post ବିମାନ ଯୋଗେ ଜର୍ମାନିରୁ ‘ଅକ୍ସିଜେନ୍‌ କଣ୍ଟେନର୍‌’ ଆଣିଲା ଭାରତୀୟ ବାୟୁସେନା; ଫ୍ରାନ୍‌ସ୍‌ ଓ ବେଲ୍‌ଜିୟମ୍‌ ପଠାଇଲେ ଔଷଧପତ୍ର first appeared on Sambad.

from କରୋନା | Sambad https://ift.tt/3e8Zm0u