ହାଇଦ୍ରାବାଦ: ଦ୍ବିତୀୟ ପର୍ଯ୍ୟାୟରେ ରୁଷ୍‌ ପଠାଇଥିବା କୋଭିଡ୍‌-୧୯ ଟିକା ‘ସ୍ପୁଟ୍‌ନିକ୍‌ ଭି’ ଆଜି ସକାଳେ ହାଇଦ୍ରାବାଦରେ ପହଞ୍ଚିଥିବା କଥା ଭାରତସ୍ଥିତ ରୁଷୀୟ ରାଷ୍ଟ୍ରଦୂତ ସୂଚନା ଦେଇଛନ୍ତି।

ରାଷ୍ଟ୍ରଦୂତ ନିକୋଲେ କୁଦାଶେୱ ଟୁଇଟ୍‌ କରି ଦ୍ବିତୀୟ ଛେକରେ ପ୍ରେରିତ ଟିକାର ଫଟୋଚିତ୍ର ସେୟାର୍‌ କରିବା ସହ ଲେଖିଛନ୍ତି, ‘ସ୍ପୁଟ୍‌ନିକ୍‌ ଭି’ର ଦ୍ବିତୀୟ ଛେକ ଆଜି ଭାରତରେ ପହଞ୍ଚିଲା! କୋଭିଡ୍‌-୧୯ ବିପକ୍ଷରେ ରୁଷ୍‌ ଓ ଭାରତର ମିଳିତ ଲଢ଼େଇ ଦେଖି ଆମେ ଖୁବ୍‌ ଆନନ୍ଦିତ। ଆଜିକାଲି ଏହାହିଁ ହେଉଛି ଆମ ଦ୍ବିପାକ୍ଷିକ ସହଯୋଗର ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରମାନଙ୍କ ମଧ୍ୟରେ ଅନ୍ୟତମ। ଏହି ସହଯୋଗ ଠିକଣା ବାଟରେ ଅଟଳ ରହି ଅଗ୍ରସର ହେଉଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ସ୍ପୁଟ୍‌ନିକ୍‌ ଭି’ର ଗୁଣ ବିଶ୍ବ ବିଦିତ। ୨୦୨୦ ଦ୍ବିତୀୟାର୍ଦ୍ଧରୁ ରୁଷ୍‌ରେ ନାଗରିକମାନଙ୍କୁ ସଫଳତାର ସହ ଏହି ଟିକା ଦିଆହୋଇ ଆସୁଛି। କୋଭିଡ୍‌-୧୯ର ନୂତନ ଷ୍ଟ୍ରେନ୍‌ ବିପକ୍ଷରେ ମଧ୍ୟ ଏହା ଫଳପ୍ରଦ ବୋଲି ରୁଷୀୟ ବିଶେଷଜ୍ଞମାନ‌େ ଘୋଷଣା କରିଛନ୍ତି।

Image Courtesy of ANI

‘ସ୍ପୁଟ୍‌ନିକ୍‌ ଭି’ ହେଉଛି ରୁଷୀୟ-ଭାରତୀୟ ଟିକା। ଆମର ଆଶା କ୍ରମେ ଭାରତରେ ଏହାର ବାର୍ଷିକ ଉତ୍ପାଦନ ୮୫୦ ନିୟୁତ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅବିଳମ୍ବେ ଭାରତରେ ଏକ ଡୋଜ୍‌ବିଶିଷ୍ଟ ଟିକା ‘ସ୍ପୁଟ୍‌ନିକ୍‌ ଲାଇଟ୍‌’ ପ୍ରଚଳନ କରାଇବାର ଯୋଜନା ମଧ୍ୟ ରହିଛି।

ସୂଚନାଯୋଗ୍ୟ, ମେ ପହିଲା ଦିନ ‘ସ୍ପୁଟ୍‌ନିକ୍‌ ଭି’ର ପ୍ରଥମ ଛେକ ଭାରତରେ ପହଞ୍ଚିଥିଲା। ମେ ୧୩ ତାରିଖରେ କସୌଲିର ‘ସେଣ୍ଟ୍ରାଲ୍‌ ଡ୍ରଗ୍‌ ଲାବ୍ରଟରି’ ଅନୁମୋଦନ ପାଇବା ପରେ ମେ ୧୪ ତାରିଖ ଦିନ ହାଇଦ୍ରାବାଦର ‘ଡକ୍ଟର୍‌ ରେଡିସ୍‌ ଲାବ୍ରଟରିଜ୍‌’ ପ୍ରଥମ କରି ଭାରତରେ ‘ସ୍ପୁଟ୍‌ନିକ୍‌ ଭି’ ଟିକା ପ୍ରୟୋଗ କରିଥିଲା। ରୁଷ୍‌ରୁ ‘ଡକ୍ଟର୍‌ ରେଡିସ୍‌ ଲାବ୍ରଟରିଜ୍‌’ ଆମଦାନି କରୁଥିବା ଏହି ଟିକାର ମୂଲ୍ୟ ଭାରତୀୟ ବଜାରରେ ଡୋଜ୍‌ପିଛା ଟ. ୯୯୫.୪୦ ମିଳୁଛି।

ସ୍ମରଣଯୋଗ୍ୟ, ଦେଶରେ ସରକାର ଅନୁମ‌ୋଦନ କରିଥିବା ୩ଟି କୋଭିଡ୍-୧୯ ଟିକା ମଧ୍ୟରୁ ‘ସ୍ପୁଟ୍‌ନିକ୍ ଭି’ ଅନ୍ୟତମ। ଅନ୍ୟ ଦୁଇଟି ଟିକା ହେଲା ‘କୋଭିସିଲ୍ଡ୍‌’ ଓ ‘କୋଭାକ୍ସିନ୍’।

The post ହାଇଦ୍ରାବାଦରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟରେ ପ୍ରେରିତ ରୁଷୀୟ ଟିକା ‘ସ୍ପୁଟ୍‌ନିକ୍‌ ଭି’ first appeared on Sambad.

from କରୋନା | Sambad https://ift.tt/2QnmKOP