ଦୋଷା: ରାଜସ୍ଥାନର ଦୋଷା ଜିଲ୍ଲାରୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । ଦେଶରେ ଏହା ବୋଧେ ପ୍ରଥମ ଘଟଣା । ଯାହାକି ଜଣେ ମହିଳାଙ୍କୁ କରୋନା ଟିକାର ପ୍ରଥମ ଡୋଜ୍ ଦେବାର ୧୦ ମିନିଟ ପରେ ଦ୍ୱିତୀୟ ଡୋଜ୍ ଦିଆଯାଇଥିବା ମହିଳା ଜଣଙ୍କ ଦାବି କରିଛନ୍ତି । ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏଭଳି ହୋଇଥିବା କଥାକୁ ସିଧା ସିଧା ଖଣ୍ଡନ କରିଛନ୍ତି ।

କହିରଖୁ କି ଶୁକ୍ରବାର ଦିନ ଦୋଷା ଜିଲ୍ଲାରେ କିଛି କେନ୍ଦ୍ରରେ ୧୮-୪୪ ବର୍ଷ ବୟସର ଲୋକଙ୍କୁ କୋଭିଡ-୧୯ ଟିକା ଦିଆଯାଉଥିଲା । ଏହି କ୍ରମରେ ନଙ୍ଗଲ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବେରସୀ ଟିକାକରଣ କେନ୍ଦ୍ରରେ ଖେରବାଲ ଗାଁର ୪୩ ବର୍ଷ ବୟସ୍କ ମହିଳା କିରଣ ଶର୍ମା ତାଙ୍କ ପୁଅ ସହ ଟିକାକରଣ କେନ୍ଦ୍ରରେ ପହଂଚି ଟିକାର ପ୍ରଥମ ଡୋଜ୍ ନେଇଥିଲେ । ମହିଳାଙ୍କ କହିବା ମୁତାବକ ସେ ପ୍ରଥମ ଡୋଜ୍ ଟିକା ନେବା ପରେ ଅନ୍ୟ ଜଣେ ସ୍ୱାସ୍ଥ୍ୟକର୍ମୀ ଆସି କିରଣଙ୍କ ଆଧାରକାର୍ଡ ଯାଂଚ କରିଥିଲେ । ଯାଂଚ ପରେ ସ୍ୱାସ୍ଥ୍ୟକର୍ମୀ ଜଣଙ୍କ କିରଣଙ୍କୁ ଟିକାର ଆଉ ଗୋଟିଏ ଖୋରାକ ଦେଇଦେଇଥିଲେ । ଦୁଇଟି ଡୋଜ ଟିକା ନେବା ପରେ ମହିଳା ଜଣଙ୍କ ଘରକୁ ଫେରିଥିଲେ । ଏନେଇ ମହିଳା ଜଣଙ୍କ କହିଛନ୍ତି କି ତାଙ୍କୁ ଜଣା ନଥିଲା କି ଟିକାର ଦୁଇଟି ଡୋଜ ଏକା ସାଙ୍ଗରେ ନିଆଯାଏ ନାହିଁ ବୋଲି, ତେଣୁ ସେ ଏନେଇ ସ୍ୱାସ୍ଥ୍ୟକର୍ମୀଙ୍କୁ କିଛି କହିନଥିଲେ।

ଏନେଇ କିରଣ ତାଙ୍କ ସ୍ୱାମୀ ରାମଚରଣଙ୍କୁ କହିବା ପରେ ପୂରା ପରିବାର ବ୍ୟସ୍ତ ବିବ୍ରତ ହୋଇପଡିଥିଲେ । ହେଲେ ଶୁକ୍ରବାରରୁ ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ମହିଳାଙ୍କ ଶରୀରରେ କୌଣସି ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ଏସବୁ ଜାଣିବା ପରେ ମହିଳା ଜଣଙ୍କ ଭୟ ପାଇଯାଇଛନ୍ତି । ଫଳରେ ତାଙ୍କୁ ଠିକ୍ ରେ ନିଦ ନହେବା ଓ ସାମାନ୍ୟ ଜ୍ୱର ଆସୁୁଥିବା କଥା ସେ କହିଛନ୍ତି ।

ଅନ୍ୟପଟେ ଏଭଳି ଘଟଣା ପ୍ରଘଟ ହେବା ପରେ ନଙ୍ଗଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସଫେଇ ଦିଆଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି କି, କିରଣଙ୍କୁ ଦୁଇଥର ଟିକା ଦିଆଯାଇ ନାହିଁ । ନଙ୍ଗଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରଭାରୀ ନୀଲମ ମୀଣା କହିଛନ୍ତି କି କିରଣ ଭୁଲ କଥା କହୁଛନ୍ତି । ତାଙ୍କଠାରେ ପ୍ରଥମ ଡୋଜ ଟିକା ଦେବା ବେଳେ ତାଙ୍କ ଶରୀରରୁ ରକ୍ତ ବାହାରିଥିଲା । ଫଳରେ ଟିକା ଦେବାରୁ ବିରତ ରହିଥିଲେ ସ୍ୱାସ୍ଥ୍ୟକର୍ମୀ । ଏହାର କିଛି ସମୟ ପରେ ଅନ୍ୟଜଣେ ସ୍ୱାସ୍ଥ୍ୟକର୍ମୀ ଆସି ତାଙ୍କ ଆଧାରକାର୍ଡ ଯାଂଚ କରି ପୁଣିଥରେ ତାଙ୍କୁ ଟିକା ଦେଇଥିଲେ ।

The post ପ୍ରଥମ ଡୋଜ୍ ଟିକା ‌ଦେବାର ୧୦ ମିନିଟ ମଧ୍ୟରେ ମହିଳାଙ୍କୁ ଦିଆଗଲା ଦ୍ବିତୀୟ ଡୋଜ୍ ଟିକା first appeared on Sambad.

from କରୋନା | Sambad https://ift.tt/3yMLtgN