ନୂଆଦିଲ୍ଲୀ : ଦେଶରେ ଦୈନିକ କୋଭିଡ୍‌ ମୃତକଙ୍କ ସଂଖ୍ୟା ଲଗାତାର ୪ ଦିନ ଧରି ୪ ହଜାର ଉପରେ ରହିବା ପରେ ଗୁରୁବାର ତଳକୁ ଖସିଛି। ମଙ୍ଗଳବାର କୋଭିଡ୍‌ ମୃତ୍ୟୁ ସମସ୍ତ ରେକର୍ଡ ଭାଙ୍ଗି ସାଢ଼େ ୪ ହାଜାର ଛୁଇଁବା ପରେ ବୁଧବାର ତାହା ୪ ହଜାରରୁ ଢେର୍‌ ତଳକୁ ଖସି ଆସିବା ଆଶ୍ବସ୍ତିର ବିଷୟ ହୋଇଛି। ସେହିପରି ଦୈନିକ ନୂତନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୪ ଲକ୍ଷର ଯଥେଷ୍ଟ ତଳେ ରହିବା ସହ ଅଧିକ ସଂଖ୍ୟକ ପୀଡ଼ିତ ଆରୋଗ୍ୟଲାଭ କରିବା ମଧ୍ୟ ଆଶ୍ବାସନା ଆଣିଛି।

ଗୁରୁବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟା ଭିତରେ ଦେଶରେ ୨,୭୬,୧୧୦ ଜଣ ନୂତନ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହ ଏହି ଦିନକ ଭିତରେ ୩,୮୭୪ ଜଣଙ୍କର ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାରୁ ଜଣାଯାଇଛି। ଗତ ୧୫ ତାରିଖ ଠାରୁ ଏହା ସର୍ବନିମ୍ନ ଦୈନିକ ମୃତ୍ୟୁ ହେବା ସହ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨,୮୭,୧୨୨ ଜଣ କୋଭିଡ୍‌ ପୀଡ଼ିତ ଆଖି ବୁଜିଥିବା ଜଣାପଡ଼ିଛି।

ବୁଧବାରର ଏହି ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ୨,୫୭,୭୨,୪୪୦ ଜଣ ନାଗରିକ ଏହି ମହାମାରୀ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଅପରପକ୍ଷେ, ଏହି ୨୪ ଘଣ୍ଟାର ଅବଧି ଭିତରେ ୩,୬୯,୦୭୭ ଜଣ ପୀଡ଼ିତ ଆରୋଗ୍ୟ ଲାଭ କରିଥିବା ବେଳେ ଦେଶରେ ସକ୍ରିୟ ମାମଲା ୩୧,୨୯,୮୭୮କୁ ଖସି ଆସିଛି ଯାହା ମୋଟ ସଂକ୍ରମଣର ୧୨.୪୧ ପ୍ରତିଶତ ବୋଲି ଜଣାଯାଇଛି। ସେହିପରି ଆରୋଗ୍ୟ ହାରରେ ମଧ୍ୟ ଉନ୍ନତି ଘଟି ୮୬.୭୪ ପ୍ରତିଶତ ହୋଇଛି।

ସୂଚନାଯୋଗ୍ୟ, ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଗତବର୍ଷ ଅଗଷ୍ଟ ୭ରେ ୨୦ ଲକ୍ଷ ଡେଇଁଥିବା ବେଳେ ଅଗଷ୍ଟ ୨୩ ବେଳକୁ ୩୦ ଲକ୍ଷ, ସେପ୍ଟେମ୍ବର ୫ରେ ୪୦ ଲକ୍ଷ ଓ ସେପ୍ଟେମ୍ବର ୧୬ରେ ୫୦ ଲକ୍ଷ ସୀମା ଟପିଥିଲା। ସେହିପରି ସେପ୍ଟେମ୍ବର ୨୮ରେ ଏହା ୬୦ ଲକ୍ଷ, ଅକ୍ଟୋବର ୧୧ରେ ୭୦ ଲକ୍ଷ, ଅକ୍ଟୋବର ୨୯ରେ ୮୦ ଲକ୍ଷ, ନଭେମ୍ବର ୨୦ରେ ୯୦ ଲକ୍ଷ ଓ ଡିସେମ୍ବର ୧୯ରେ ୧ କୋଟି ସୀମା ଡେଇଁଥିଲା। ତେବେ ଏହାର ସାଢ଼େ ୪ ମାସ ପରେ ଗତ ମେ’ ୪ରେ ଏହା ୨ କୋଟି ଅତିକ୍ରାନ୍ତ କରିଥିଲା।

The post ଦେଶରେ ସଂକ୍ରମଣ, ମୃତ୍ୟୁସଂଖ୍ୟା କମୁଛି first appeared on Sambad.

from କରୋନା | Sambad https://ift.tt/3f7kqoy